ଭୁବନେଶ୍ୱର, ୧୬/୦୪: ଯାତ୍ରା ବିବାଦ ଉପରେ ପଡୁନି ଯବନିକା । ପୁଣି ଆଉ ଏକ ବିବାଦ ଯାତ୍ରାକୁ ଆହୁରି ବିବାଦୀୟ କରିଛି । ଏଥର ବିବାଦ ଭିତରକୁ ଟାଣି ହୋଇଛନ୍ତି ତୁଳସୀ ଗଣନାଟ୍ୟର ଅଭିନେତ୍ରୀ ସୋନାଲି ପଣ୍ଡା । ସୋନାଲିଙ୍କ ସ୍ୱାମୀ ତୁଳସୀ ଗଣନାଟ୍ୟ ମାଲିକଙ୍କ ନାଁରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ସେ ଅଭିଯୋଗ କରିଛନ୍ତି, ତୁଳସୀ ଗଣନାଟ୍ୟ ମାଲିକ ସୋନାଲି ପଣ୍ଡାଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି । ମୋ ଠୁ, ମୋ ପୁଅଠୁ ତାଙ୍କୁ ଦୂରେଇ ରଖିଛନ୍ତି । ମୁଁ ତୁଳସୀ ଗଣନାଟ୍ୟରେ କାମ କରୁଥିବା ସମୟରେ ମୋତେ ବିଭିନ୍ନ ଧମକ ଚମକ୍ ଦିଅନ୍ତି ।
ଅନ୍ୟପଟେ ଏହି ଘଟଣାକୁ ନେଇ ସ୍ୱାମୀଙ୍କ ଗୁମର ଖୋଲିଛନ୍ତି ସୋନାଲି ପଣ୍ଡା । ସୋନାଲି କହିଛନ୍ତି, ଏହି ଘଟଣାରେ କୌଣସି ସତ୍ୟାସତ୍ୟ ନାହିଁ । ତୁଳସୀ ଗଣନାଟ୍ୟ ମାଲିକ ମୋତେ ଝିଅ କରିଛନ୍ତି । ମୋର ଅସୁବିଧା ସମୟରେ ମୋତେ ସାହାଯ୍ୟ କରିଛନ୍ତି । ମୋ ସ୍ୱାମୀ ବହୁ ଝିଅ ମାନଙ୍କ ସହ କଥା ହୁଅନ୍ତି । ଏମିତିକି ସେ ଆଉ ଏକ ବିବାହ ମଧ୍ୟ କରିଛନ୍ତି । ମୁଁ କୌଣସି ମାନସିକ ନିର୍ଯାତନାର ଶିକାର ହୋଇନି । ମୋ ସୋ ଇଚ୍ଛାରେ ତୁଳସୀ ଗଣନାଟ୍ୟରେ ରହିଛି । ମୋର ମୋ ସ୍ୱାମୀଙ୍କ ସହିତ କୌଣସି ସମ୍ପର୍କ ନାହିଁ । ସେ ଦୀର୍ଘ ୧୨ ବର୍ଷ ହେଲାଣି କେଉଁଠି ଥିଲେ ବୋଲି ସୋନାଲି ପ୍ରଶ୍ନ ଉଠାଇଛନ୍ତି । ସେପଟେ ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ କହିଛନ୍ତି ସେ ତୁଳସୀ ଗଣନାଟ୍ୟରେ କାମ କରୁନଥିଲେ । ସେ ଅନ୍ୟ ଏକ ଝିଅକୁ ବିବାହ କରିଛନ୍ତି । ଘଟଣା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି ।