ପୁରୀ, ୨୧।୨ : ଶ୍ରୀମନ୍ଦିରରେ ବିଶୃଙ୍ଖଳା ପାଇଁ ଦୁଇଜଣ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସେମାନେ ହେଲେ ମୁଖ ପଖାଳ ସେବକ ମଦନ ମୋହନ ଖୁଣ୍ଟିଆ ଏବଂ ବିଶ୍ବନାଥ ଖୁଣ୍ଟିଆ। ଶ୍ରୀମନ୍ଦିର ଆଇନ୍ ୨୧-କ ଧାରା ଅନୁସାରେ ଉଭୟଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ, ସେନେଇ ସନ୍ତୋଷଜନକ କୈଫିୟତ ରଖିବାକୁ ୭ ଦିନର ସମୟ ଦିଆଯାଇଛି। ଶ୍ରୀମନ୍ଦିର କମାଣ୍ଡରଙ୍କ ଜରିଆରେ ଏହି କେଫିୟତ ଦାଖଲ କରିବାକୁ କୁହାଯିବା ସହ ଧାର୍ଯ୍ୟ ସମୟ ଭିତରେ ଏହା ହସ୍ତଗତ ନହେଲେ, କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଅଛି।
ନୋଟିସରେ କୁହାଯାଇଛି ଯେ, ଗତ ୧୬ ତାରିଖ ଦିନ ମୁକ୍ତିମଣ୍ଡପ ସାମ୍ନାରେ ଅବକାଶ ପାଦୁକା ବଣ୍ଟନକୁ ନେଇ ଉଭୟ ସେବକ ପରସ୍ପରକୁ ଗାଳିଗୁଳଜ କରିବା ସହ ମାରପିଟ୍ କରି ରକ୍ତାକ୍ତ କରିଥିଲେ। ଏହି ଘଟଣାକୁ ଯୋଗୁଁ ଶ୍ରୀମନ୍ଦିର ପରିସରରେ ସେତେବେଳ ଉପସ୍ଥିତ ଥିବା ଭକ୍ତ ଶ୍ରୀମନ୍ଦିର ଶୃଙ୍ଖଳା ନେଇ ସନ୍ଦେହ ପ୍ରକାଶ କରିଥିଲେ। ସେହିପରି ଶ୍ରୀମନ୍ଦିର ଗାରିମା ଓ ମର୍ଯ୍ୟାଦା ମଧ୍ୟ କ୍ଷୁର୍ଣ୍ଣ ହୋଇଥିଲା। ତେଣୁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ ସେ ନେଇ ସନ୍ତୋଷଜନକ କୈଫିୟତ ଦାଖଲ କରିବାକୁ ନୋଟିସରେ କୁହାଯାଇଅଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏହି ନୋଟିସ୍ ଜାରି କରିବା ସହ ଆଉଥରେ ସ୍ପଷ୍ଟ କରିଛନ୍ତି ଯେ, ଶ୍ରୀମନ୍ଦିର ମଧ୍ୟରେ ବିଶୃଙ୍ଖଳାକୁ କଦାପି ବରଦାସ୍ତ କରାଯିବ ନାହିଁ। ଶ୍ରୀମନ୍ଦିର ଗାରିମା ଉପରେ ପ୍ରଭାବ ପକାଉଥିବା ଏଭଳି ଘଟଣା ଉପରେ କଡା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଗ୍ରହଣ କରାଯିବ।