ବୋରିଗୁମ୍ମା, ୨୨/୧୨: ବୋରିଗୁମ୍ମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲରେ ପାନୀୟ ଜଳ ସମସ୍ୟା ନେଇ ଅବିଭାବକ ସ୍ଥାନୀୟ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏହା ସହ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ନାରାବାଜି ମଧ୍ୟ କରିଛନ୍ତି । ବୋରିଗୁମ୍ମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ପ୍ରାୟ ୨୦୦ ଜଣ ଛାତ୍ରୀ ହୋଷ୍ଟେଲରେ ରହି ପାଠ ପଢୁଛନ୍ତି । ସେହିପରି ବିଦ୍ୟାଳୟ ପରିସରରେ ଆଇଟିଡିଏ ହଷ୍ଟେଲରେ ୧୦୦ ଜଣ ଛାତ୍ରଛାତ୍ରୀ ରହି ପାଠ ପଢୁଛନ୍ତି । ମୋଟ ୩୦୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ କେବଳ ଦୁଇଟି ନଳକୂପ ରହିଥିବା ବେଳେ ତାହା ମଧ୍ୟ ସଠିକ ଭାବରେ କାମ କରୁନାହିଁ । ଛାତ୍ରଛାତ୍ରୀ ଶୌଚ ପାଇଁ ହେଉ କି ନିଜ ପୋଷାକ ପରିଷ୍କାର କରିବା ପାଇଁ ଜଳ ସମସ୍ୟା ଦେଖା ଦେଇଛି । ପାଣି ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀ ଠିକରେ ସଫାସୁତୁରା ରହିବାରେ ଅସୁବିଧା ହେଉଛି । ସ୍ନାନ କରିବା ପାଇଁ ପାଣି ସମସ୍ୟା ରହିଛି । ଅଧିକାଂଶ ଛାତ୍ରଛାତ୍ରୀଙ୍କୁ କାଛୁ କୁଣ୍ଡିଆ ମଧ୍ୟ ହେଉଛି ।
ଆଜକୁ ୪ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଛି । ଶେଷରେ ରବିବାର ସମସ୍ତ ଅବିଭାବକ ଏକଜୁଟ ହୋଇ ବୋରିଗୁମ୍ମା ବିଡ଼ିଓ ସଂଧ୍ୟାରାଣୀ ସମର୍ଥଙ୍କୁ ଭେଟି ବିଦ୍ୟାଳୟରେ ଜଳ ସମସ୍ୟା ସମ୍ପର୍କରେ ଆଲୋଚନା କରି ଲିଖିତ ଅଭିଯୋଗ କରିଥିଲ । ଅତିଶୀଘ୍ର ବିଦ୍ୟାଳୟରେ ପାଣି ସମସ୍ୟା ଦୂର କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବିଡ଼ିଓ । ଆଗାମୀ ଦିନରେ ଜଳ ସମସ୍ୟା ସମାଧାନ ନ ହେଲେ ରାଜ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଅବିଭାବକ।