ଜଗତସିଂହପୁର, ୨୨/୧୨: ଦୁଇ ଦିନ ବର୍ଷିବା ପରେ ରବିବାର ସକାଳୁ ପାଗରେ ପରିବର୍ତ୍ତନ ହେବା ସହ ବର୍ଷା କମିଛି । ହେଲେ କୋହଲା ପାଗ ଜାରି ରହିଛି । ବର୍ଷା ଛାଡି ଯାଇଛି ସତ ହେଲେ ଚାଷୀ ଆଖିରେ ଦେଇ ଯାଇଛି ଲୁହ । ଆଖି ଆଗରେ ଉଜାଡ଼ି ଦେଇଛି ସୁନାର ଫସଲ । ଲଗାଣ ବର୍ଷା ଯୋଗୁଁ ଜଗତସିଂହପୁର ଜିଲ୍ଲାରେ ପ୍ରାୟ ୫୦ହଜାର ହେକ୍ଟର ଚାଷ ଜମିରେ ଧାନ ଫସଲ ଉଜୁଡି ଯାଇଛି ।
ଏବେ ଧାନ ଅମଳ ସମୟ ହୋଇ ଥିବାରୁ ଚାଷୀ ଧାନ କାଟି ବିଲରେ ପକାଇ ଥିବା ସହ ଖଳାକୁ ବୁହାଇବା ଆରମ୍ଭ କରିଥିଲା । ହେଲେ ବର୍ଷା ଯୋଗୁଁ ଧାନ ଆଉ ଖଳାକୁ ନେବା ସମ୍ଭବ ହୋଇ ନଥିବା ବେଳେ ବିଲରେ ଏବେ ପାଣିରେ ବୁଡି ରହିଛି ଧାନ । ଅନେକ ସ୍ଥାନରେ ଧାନ ଗଜା ହେବା ମଧ୍ୟ ଆରମ୍ଭ କଲାଣି । ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଭଲ ଧାନ ଫସଲ ହୋଇଥିବା ବେଳେ ଏହାକୁ ମଣ୍ଡିରେ ବିକ୍ରି କରି ଚାଷୀ ଭଲ ଦୁଇ ପଇସା ରୋଜଗାର କରିବ ବୋଲି ଆଶା କରିଥିଲା । ହେଲେ ଅଦିନିଆ ବର୍ଷା ଚାଷୀର ସବୁ ଆଶାକୁ ଉଜାଡ଼ି ଦେଇଛି ।