ଜଗତସିଂହପୁର, ୨୧/୧୨: ଜଗତସିଂହପୁର ଜିଲ୍ଲାରେ ଲାଗି ରହିଛି ଅଦିନିଆ ଲଘୁଚାପ ଜନିତ ବର୍ଷା । ଶୁକ୍ରବାର ଦିନ ୧୦ଟା ଠାରୁ ଜଗତସିଂହପୁର ଜିଲ୍ଲାରେ ବର୍ଷା ଲାଗି ରହିବା ଯୋଗୁଁ ପ୍ରାୟ ୫୦ ହଜାର ହେକ୍ଟର ଚାଷ ଜମିରେ ଧାନ ଫସଲ ଉଜୁଡି ଯାଇଛି । ଏବେ ଧାନ ଅମଳ ସମୟ ହୋଇ ଥିବାରୁ ବର୍ଷା ପାଇଁ ଚାଷୀ ଧାନ ଖଳାକୁ ନେବା ସମ୍ଭବ ହୋଇ ପାରୁନାହିଁ । ବିଲରେ ଆଣ୍ଠୁଏ ପାଣିରେ ବୁଡି ରହିଛି ଧାନ । ବର୍ଷା ଛାଡିବା ପରେ ଏହା ଗଜା ହୋଇ ଯିବା ସହ କଳା ପଡିଯିବାର ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି ।
ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଭଲ ଧାନ ଫସଲ ହୋଇଥିବା ବେଳେ ଏହାକୁ ମଣ୍ଡିରେ ବିକ୍ରି କରି ଚାଷୀମାନେ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା କରିଥିଲେ । ହେଲେ ଅଦିନିଆ ବର୍ଷା ଚାଷୀମାନଙ୍କର ସବୁ ଆଶାକୁ ମଉଳେଇ ଦେଇଛି । ସେହିପରି ଜିଲ୍ଲାରେ ପନିପରିବା ଚାଷ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷ କରି କୋବି ଚାଷୀ ମାନେ ଅଧିକ କ୍ଷତିର ସମ୍ମୁଖିନ ହୋଇଛନ୍ତି ।