ଜଗତସିଂହପୁର, ୨୦/୧୨: ଜଗତସିଂହପୁର ଜିଲ୍ଲାରେ ଗୁରୁବାର ଠାରୁ ପାଗ କୋହଲା ରହିଥିବା ସହ ବର୍ଷା ଆଶଙ୍କା ଥିବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । ଧାନ ଏବେ ପାଚିବା ଆରମ୍ଭ କରିଥିବା ସହ ବିଭିନ୍ନ ସ୍ଥାନରେ ଧାନ କଟା ମଧ୍ୟ ଆରମ୍ଭ ହେଲାଣି । ଏହି ସମୟରେ ବର୍ଷା ଯୋଗୁ ଫସଲ ଉଜୁଡି ଯିବାର ସମ୍ଭାବନା ସୃଷ୍ଟି ହୋଇଛି ।
ଚଳିତ ବର୍ଷ ଜିଲ୍ଲାରେ ୮୦ ହଜାର ହେକ୍ଟର ଚାଷ ଜମିରେ ଧାନ ଫସଲ ହୋଇଥିବା ବେଳେ ଏବେ ଅମଳ କାର୍ଯ୍ୟରେ ଲାଗି ପଡିଛନ୍ତି ଚାଷୀ । ହେଲେ ବର୍ଷା ଯୋଗୁଁ ଧାନ ଗଜା ହୋଇଯିବାର ସମ୍ଭାବନାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ଜିଲ୍ଲାର ଚାଷୀ । ଯେଉଁ ଧାନ ଗୁଡିକ କଟା ହୋଇ ବିଲରେ ପଡିଛି, ସେଗୁଡିକୁ ଖୁବ ଶୀଘ୍ର ଖଳାକୁ ନେବା ପାଇଁ ଚାଷୀଙ୍କ ମଧ୍ୟରେ ତତ୍ପରତା ଦେଖିବାକୁ ମିଳିଛି ।