ଜଗତସିଂହପୁର, ୧୭/୧୨ : ଋଣ ଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ। ଜଗତସିଂହପୁର ସହର ଚର୍ଚ୍ଚିକା ବଜାରରେ ଏକ ଚିଟ୍ଫଣ୍ଡ୍ ସଂସ୍ଥା ଖୋଲି ହିତାଧିକାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଠକେଇ ହୋଇଛି। ସମ୍ପୃକ୍ତ ସଂସ୍ଥାର ମୁଖ୍ୟଙ୍କୁ ଜଗତସିଂହପୁର ସଦର ପୋଲିସ ଅଟକ ରଖି ତଦନ୍ତ ଚଳାଇଛି।
ସୂଚନାନୁଯାୟୀ, ଏରସମା ଅଞ୍ଚଳର ସୁଧାଂଶୁ ଶେଖର ଦାସ ନାମକ ଜନୈକ ଯୁବକ ଜଗତସିଂହପୁର ସହ ଚର୍ଚ୍ଚିକା ବଜାରରେ ଏକ ଚିଟ୍ଫଣ୍ଡ୍ ସଂସ୍ଥା ଖୋଲିଥିଲେ। ଏମଏସଏମି ଋଣ ଦେବା ପାଇଁ କହି ସେ ୩୦୦ ରୁ ଉର୍ଦ୍ଧ୍ଵ ହିତାଧିକାରୀଙ୍କ ଠାରୁ ଜଣପିଛା ୨୦ ହଜାର ଟଙ୍କା ଲେଖାଏଁ ଆଦାୟ କରି ସେମାନଙ୍କୁ ୨ ଲକ୍ଷ ୭୯ ହଜାର ଟଙ୍କା ଲେଖାଏଁ ଋଣ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଋଣ ଦେବା ନାଁରେ ବାରମ୍ବାର ଦିନ ଗଡାଇବାରୁ ଏହାକୁ ନେଇ ଜମାଖାତା ଖୋଲିଥିବା ହିତାଧିକାରୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା । ଯାହା ଫଳରେ ଆଜି ସମସ୍ତ ହିତାଧିକାରୀ ସଂସ୍ଥା କାର୍ଯ୍ୟାଳୟ ନିକଟରେ ଏକାଠି ହୋଇ ସୁଧାଂଶୁ ଦାସକୁ ଘେରାଉ କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ସଦର ପୋଲିସ ପହଁଚି ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚରା କରୁଛି। ଅଭିଯୋଗକାରୀମାନଙ୍କୁ ଥାନାକୁ ଆସି ଏତାଲା ଦେବାପାଇଁ ପୋଲିସ ପରାମର୍ଶ ଦେଇଛି।