କଟକ,୧୫।୩ : ବରିଷ୍ଠ କଂଗ୍ରେସ ନେତା, ଉତ୍କଳ ଯାଦବ ମହାସଭାର ପୂର୍ବତନ ସଭାପତି ବୀରକିଶୋର ପରିଡ଼ାଙ୍କ ଶନିବାର ଅପରାହ୍ନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା।ଜଣେ ନିଷ୍ଠାପର ଓ ଦକ୍ଷ ସଂଗଠକ ଭାବରେ ସେ ସର୍ବତ୍ର ପରିଚିତ ଥିଲେ।
ଜନତା ଦଳରେ ରାଜନୀତି ଆରମ୍ଭ କରିଥିବା ଶ୍ରୀ ପରିଡ଼ା ପରବର୍ତ୍ତୀ ସମୟରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ୧୯୯୫ ଓ ୨୦୦୦ ମସିହାରେ ଦୁଇଥର କଂଗ୍ରେସ ଟିକେଟରେ କିଶୋର ନଗର ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ନିଜ ଅଂଚଳରେ ବହୁ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ସେ ଜଡିତ ଥିବା ସହ କିଶୋର ନଗର କଲେଜ ପ୍ରତିଷ୍ଠା କରିବାରେ ତାଙ୍କର ଉଲ୍ଲେଖଯୋଗ୍ୟ ଭୂମିକା ଥିଲା।
ତାଙ୍କର ବିୟୋଗରେ ବରିଷ୍ଠ କଂଗ୍ରେସ ନେତା ବିଶ୍ବଜିତ ଦାସ, ଦିଲ୍ଲୀପ ମହାନ୍ତି, ସୁକାନ୍ତ ଜେନା, କୁଞ୍ଜବିହାରୀ ବେହେରା, ହେମନ୍ତ ଜେନା,ଅଭୟ ମହାରଣା, କାଙ୍ଗାଳି ଚରଣ ବେହେରା, କୈଳାସ ପରିଡ଼ା,ଯାଦବ ମହାସଭାର ସଦସ୍ୟ ଅଶୋକ ବେହେରା,ଯୁବନେତା କାର୍ତ୍ତିକ ଚନ୍ଦ୍ର ସାହୁ, ପ୍ରମୁଖ ତାଙ୍କର ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାଙ୍କର ବିୟୋଗ କଂଗ୍ରେସ ସଂଗଠନ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତପ୍ରକାଶ କରିବା ସହ ନେତୃମଣ୍ଡଳୀ ତାଙ୍କର ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି।