କେନ୍ଦୁଝର ସଦର,୭/୬(ଆପ୍ର) : ଖରା ଯାଇ ବର୍ଷା ପ୍ରବେଶ କରିଛି। ଚଳିତ ବର୍ଷ ନିୟମିତ ବର୍ଷା ହେଉଥିଵା ଯୋଗୁଁ ଚାଷୀଙ୍କ ମନରେ ଚାଷ କରିବା ପାଇଁ ବେଶ୍ ଉତ୍ସାହ ସୃଷ୍ଟି କରିଛି। ମାତ୍ର ଧାନ ବିହନ ବିକ୍ରେତାଙ୍କର ଲାଭଖୋର ମନୋଭାବ ଯୋଗୁଁ ଚାଷୀମାନେ ଅତିଷ୍ଠ ହୋଇପଡ଼ିଛନ୍ତି।
ସୂଚନାରୁ ପ୍ରକାଶ ଯେ ଖରିଫ ସମୟରେ କେନ୍ଦୁଝର ଜିଲ୍ଲାର ଚାଷୀମାନେ ବ୍ୟାପକ ଧାନ ଚାଷ କରି ନିଜେ ଚଳିବା ସହିତ ବିକ୍ରି ମଧ୍ଯ କରିଥାନ୍ତି। ଅଧିକ ଅମଳ ପାଇଁ କୃଷକ ମାନେ ଧାର ଉଧାର କରି ହାଇବ୍ରିଡ ଜାତୀୟ ଧାନ ବିହନ କିଣି ବିଲରେ ଚାଷ କରିଥାନ୍ତି। ମାତ୍ର ଏହାର ଭରପୁର ଫାଇଦା ନେଉଛନ୍ତି ମୁନାଫାଖୋର୍ ହାଇବ୍ରିଡ୍ ଧାନ ବିହନ କମ୍ପାନୀ ଓ ବ୍ୟବସାୟୀ ମାନେ। ଜିଲ୍ଲା ବିଭିନ୍ନ ସ୍ଥାନର ପଞ୍ଜୀକୃତ ଓ ଅଣପଞ୍ଜୀକୃତ ଦୋକାନଗୁଡିକ ମାନଙ୍କରେ ହାଇବ୍ରିଡ୍ ଧାନ ବିହନ ବିକ୍ରୀ ହେଉଥିବା ବେଳେ ଏହାର କୌଣସି ବିକ୍ରୟ ମୂଲ୍ୟ ସରକାରଙ୍କ ପକ୍ଷରୁ ସୂଚିତ କରାଯାଉ ନାହିଁ । ବିହନ କମ୍ପାନୀ ଗୁଡ଼ିକ ଚାଷୀଙ୍କୁ ବୋକା ବନାଇବା ପାଇଁ ଉପଯୁକ୍ତ ମୂଲ୍ୟ ଠାରୁ ବହୁ ଅଧିକ ଦର ପ୍ୟାକେଟ ଗୁଡିକରେ ଲେଖିଥାନ୍ତି। ଦୋକାନୀ ଗୁଡ଼ିକ କୃଷକଙ୍କ ପକେଟକୁ ଦେଖି ମୋଟା ଅଙ୍କର ଲାଭ ରଖି ଧାନ ବିକ୍ରୟ କରୁଛନ୍ତି। ଚଳିତ ବର୍ଷ କମ୍ପାନୀ ଏବଂ ବିକ୍ରେତାଙ୍କ ଦୌରାତ୍ମ୍ୟ ଚରମ ସୀମା ଟପିଛି।
ବିହନ ଧାନ କିଲୋ ପିଛା ୪ ଶହରୁ ୫ ଶହ ଟଙ୍କାରେ ବିକ୍ରୀ ହେଉଥିବା ବେଳେ ତିନି କିଲୋ ପାକେଟ ଗୁଡ଼ିକ ପ୍ରାୟ ୧୪ ଶହରୁ ୧୫ ଶହରେ ବିକ୍ରୀ ହେଉଛି। ଯାହା ଫଳରେ ଚାଷୀ ଠକାମୀର ସ୍ବୀକାର ହେଉଛନ୍ତି। ହାଇବ୍ରିଡ ଚାଷ ଯେହେତୁ ବହୁଳ ଭାବରେ ଆଦୃତ ହେଉଛି ତେଣୁ ରାଜ୍ଯ ସରକାର ପକ୍ଷରୁ ସ୍ଵତନ୍ତ୍ର ଭାବେ ଗୁରୁତ୍ବ ଦେଇ ଧାନ ବିହନ କମ୍ପାନୀ ଗୁଡ଼ିକ ବିକ୍ରୟ କେନ୍ଦ୍ର ଗୁଡିକରେ ରେଟ୍ ଚାଟ୍ ଲଗାଇବା ବାଧ୍ୟତାମୂଳକ କରାଯାଉ। କୃଷି ବିଭାଗରୁ ଅଭିଯୋଗ ନମ୍ବର ଉପରେ ସଚେତନତା କରାଯାଉ ବୋଲି ଚାଷୀ ମହଲରେ ଦାବୀ ହେଉଛି।
ଏ ନେଇ ବ୍ଲକ୍ ସ୍ତରୀୟ କୃଷୀ ଅଧିକାରୀଙ୍କୁ ପଚାରିବାରୁ କୁହନ୍ତି ଯେଉଁ ବିକ୍ରୟ କେନ୍ଦ୍ର ବା ଦୋକାନୀ ଅଧିକ ମୂଲ୍ୟରେ ହାଇବ୍ରିଡ ଧାନ ବିହନ ବିକ୍ରୀ କରୁଛନ୍ତି ସେମାନଙ୍କ ନିକଟରୁ ବିଲ୍ ନେଇ ଅଭିଯୋଗ କଲେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ସରକାରଙ୍କ ପକ୍ଷରୁ ସମସ୍ତ ଚାଷୀଙ୍କୁ ସୁଲଭ ମୂଲ୍ୟରେ ଆବଶ୍ୟକତା ଅନୁସାରେ ହାଇବ୍ରିଡ ଧାନ ବିହନ ଯୋଗାଇବା ସହିତ କମ୍ପାନୀମାନେ ଉପଯୁକ୍ତ ଧାନର ମୂଲ୍ୟ ସାରଣୀ ଲଗାଇବା ପାଇଁ ଯୁବ ଓ ଶ୍ରମ ବିକାଶ ମଞ୍ଚର ସଧାରଣ ସମ୍ପାଦିକା ଶୈଳଵାଳା ପରିଡ଼ା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସମେତ ବିଭାଗୀୟ ଅଧିକାରୀଙ୍କୁ ନିକଟରେ ଦାବୀ କରିଛନ୍ତି।