ନୂଆଦିଲ୍ଲୀ,୦୬/୦୭: ଦେଶର ପୂର୍ବତନ ଚିଫ୍ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ ଅବସର ନେଇ ସାରିଛନ୍ତି । ଏହା ପରେ ବି ସେ ସରକାରୀ ଘର ଛାଡି ନାହାନ୍ତି । ଅବସର ପରେ ବି ସରକାରୀ ବାସଭବନରେ ଅଧିକ ଦିନ ରହିବା ବିବାଦ ଘେରକୁ ଆସିଛି । ଘର ଖାଲି କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ସୁପ୍ରିମକୋର୍ଟ ପୂର୍ବ ସିଜେଆଇ ଡିୱାଇ ଚନ୍ଦ୍ରଚୂଡଙ୍କୁ ସରକାରୀ ଆବାସ ଛାଡିବାକୁ କୁହାଯାଇଛି ।
ଘର ଖାଲି ନକରିବାର କାରଣ ? ୨ ବର୍ଷ ଚିଫ୍ ଜଷ୍ଟିସ ଅଫ୍ ଇଣ୍ଡିଆ ରହିଥିଲେ ଡିୱାଇ ଚନ୍ଦ୍ରଚୂଡ଼ । ୨୦୨୪ ନଭେମ୍ବର ୧୦ରେ ପ୍ରାୟ ୮ ମାସ ହେବ ସେ ଅବସର ନେଲେଣି । ସିଜେଆଇ ଥିବା ବେଳେ ତାଙ୍କୁ ଚିଫ୍ ଜଷ୍ଟିସ୍ ଆବାସ ଆଧାରରେ ୫ କୃଷ୍ଣ ମେନନ୍ ମାର୍ଗରେ ସରକାରୀ ଘର ମିଳିଥିଲା । ଅବସରର ପରେ ବି ସେ ସେଠାରେ ରହୁଛନ୍ତି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏ ନେଇ କେନ୍ଦ୍ରୀୟ ସହରୀ ବିକାଶ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପୂର୍ବ ସିଜେଆଇ ଚନ୍ଦ୍ରଚୂଡ଼ଙ୍କୁ ଆବାସ ଖାଲି କରିବାକୁ ଚିଠିରେ କୁହାଯାଇଛି । ନିୟମ ଅନୁସାରେ ଅବସର ପରେ ଏତେ ଦିନ ଯାଏ ସରକାରୀ ଆବାସରେ ରହିବା କଥା ନୁହେଁ ।
ପୂର୍ବତନ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂତ୍ର ଅନୁଯାୟୀ, ଯୋଗାଇ ଦିଆଯାଇଥିବା ବାସସ୍ଥାନଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା। ଏହାର ମରାମତି ଆବଶ୍ୟକ ଥିଲା । ଏହି କାରଣରୁ ସେ ବଙ୍ଗଳା ଛାଡ଼ି ନାହାନ୍ତି । ଚନ୍ଦ୍ରଚୂଡଙ୍କ ଅବସର ପରେ ସେହି ଘରକୁ ଆଉ କେହି ନେବାକୁ ଇଚ୍ଛା ପ୍ରକାଶ କରି ନାହାନ୍ତି । ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ବର୍ତ୍ତମାନର ଚିଫ୍ ଜଷ୍ଟିସ ବିଆର ଗଭଇ କୃଷ୍ଣା ମେନନ ମାର୍ଗ ସ୍ଥିତ ବଙ୍ଗଳା ନେବାକୁ ମନା କରିଥିଲେ । ଏହି କାରଣରୁ ଡିୱାଇ ଚନ୍ଦ୍ରଚୂଡଙ୍କୁ ଉକ୍ତ ଘର ଛାଡିବାକୁ କିଛି ଚାପ ପଡିନାହିଁ ।