ନୂଆଦିଲ୍ଲୀ: ସୀମାରେ ପାକିସ୍ତାନ ଏବଂ ଚୀନର ଆକ୍ରମଣାତ୍ମକ ମନୋଭାବକୁ ଦୃଷ୍ଟିରେ ରଖି, ଭାରତ ଏହାର ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ମଜଭୁତ କରୁଛି । ଏଥିପାଇଁ ଭାରତ ଅତ୍ୟାଧୁନିକ Tu-160M ବୋମାବର୍ଷକ ପାଇଁ ରୁଷ ସହିତ ଏକ ଚୁକ୍ତି କରିଥିଲା । ଭାରତ Tu-160M ବୋମାବର୍ଷକ 'ହ୍ୱାଇଟ୍ ସ୍ୱାନ୍' ଲିଜ୍ରେ ଆଣିବା ଲାଗି ରୁଷ ସହିତ ଏକ ଚୁକ୍ତି କରିଥିଲା। ଏହା ସହିତ ଏଥିରେ ଭାରତୀୟ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଖଞ୍ଜିବା ପାଇଁ ମଧ୍ୟ ଏକ ଚୁକ୍ତି ହୋଇଥିଲା । ତେବେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବାରୁ ଏହାର ଡେଲିଭରି ବିଳମ୍ବ ହେଉଛି ।
ଏହି ବମ୍ବର (ବୋମାବର୍ଷକ) ଭାରତୀୟ ନୌବାହିନୀରେ ସାମିଲ ହେବା ମାତ୍ରେ, ପାକିସ୍ତାନ ଏବଂ ଚୀନ ପ୍ରମାଦ ଗଣିବେ । ଏହା ଅତ୍ୟନ୍ତ ଭୟଙ୍କର ଏବଂ ଏହାର ମୁକାବିଲା କରିବାକୁ ପାକିସ୍ତାନ କିମ୍ବା ଚୀନ ପାଖରେ କୌଣସି ଯୁଦ୍ଧାସ୍ତ୍ର ନାହିଁ । ଏହି ବୋମାବର୍ଷକର କ୍ଷମତା ସଂପର୍କରେ କହିଲେ, ଏହାର ଗତି ଅତି ପ୍ରଖର । Tu-160M ୨୨୦୦ କିମି ପ୍ରତି ଘଣ୍ଟା ବେଗରେ ଗତି କରିପାରିବ । ଏହାର ୧୨୦୦୦ କି.ମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା । ତାହା ପୁଣି ବିନା ଇନ୍ଧନରେ । ଏହାର ପେଲୋଡ୍ କ୍ଷମତା ୪୦ ଟନ୍। ଏହାକୁ ରୁଷ ସେନା ବ୍ୟବହାର କରେ ।
ଏହି ଚୁକ୍ତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏଥିରେ ଭାରତର ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରକୁ ଖଞ୍ଜିବାର ଯୋଜନା ରହିଛି । ଭାରତ ଏବଂ ରୁଷ ମଧ୍ୟରେ ଏହି ଚୁକ୍ତି ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର, ମିଶନ ପ୍ରସ୍ତୁତି ଏବଂ ରଣନୈତିକ ଆତ୍ମନିର୍ଭରତାକୁ ମଧ୍ୟ ସୁଦୃଢ଼ କରିବ । ରୁଷକୁ ଏବେ ତାର ରଣନୈତିକ କ୍ଷମତା ବଜାୟ ରଖିବା ପାଇଁ Tu-160M ବିମାନର ଆବଶ୍ୟକତା ରହିଛି । ଯୁଦ୍ଧକାଳୀନ ଚାହିଦା ଏବଂ ପାଶ୍ଚାତ୍ୟ ପ୍ରତିବନ୍ଧକ ଯୋଗୁଁ ଏହି ବିମାନଗୁଡ଼ିକ ତିଆରି ହେଉଥିବା କାଜାନ ବିମାନ କାରଖାନା ଏବେ ପ୍ରବଳ ଚାପରେ ରହିଛି । ଉଚ୍ଚ-ପ୍ରଯୁକ୍ତିବିଦ୍ୟା ଉପାଦାନ ଏବଂ ଇଲେକ୍ଟ୍ରୋନିକ୍ସର ଅଭାବ ଉତ୍ପାଦନକୁ ମନ୍ଥର କରିଦେଇଛି ।
ରୁଷୀୟ ବିମାନ ଘାଟି ଉପରେ ସାମ୍ପ୍ରତିକ ୟୁକ୍ରେନୀୟ ଡ୍ରୋନ ଆକ୍ରମଣ ଦର୍ଶାଉଛି ଯେ, Tu-160M ଏବେ ରୁଷ ଜାତୀୟ ସୁରକ୍ଷାର ଏକ ମୁଖ୍ୟ ସମ୍ପତ୍ତି ପାଲଟିଛି । ଏପରି ପରିସ୍ଥିତିରେ ରୁଷ ଏବେ ଭାରତ ଭଳି ନିକଟତମ ସହଯୋଗୀଙ୍କୁ ମଧ୍ୟ ଏହି ବିମାନ ଦେବାକୁ ସଂକୋଚ କରୁଛି । ଭାରତ ରୁଷ ସହିତ ଦଶନ୍ଧୀ ପୁରୁଣା ପ୍ରତିରକ୍ଷା ସମ୍ପର୍କ ବଜାୟ ରଖିଛି । କିନ୍ତୁ ଆମେରିକା, ଫ୍ରାନ୍ସ, ଇସ୍ରାଏଲ ଏବଂ ଜାପାନ ଭଳି ଦେଶ ସହିତ ମଧ୍ୟ ଜଡିତ । ଏହାରି ମଧ୍ୟରେ ରୁଷ ଠାରୁ Tu-160M ଭଳି ଏକ ଅତି ଅତ୍ୟାଧୁନିକ ଅସ୍ତ୍ର ହାସଲ କରିବା ପାଶ୍ଚାତ୍ୟ ଦେଶଗୁଡ଼ିକ ସହିତ କୂଟନୈତିକ ଉତ୍ତେଜନା ବୃଦ୍ଧି କରିପାରେ।
ଭାରତୀୟ ବାୟୁସେନା ବର୍ତ୍ତମାନ ମୁଖ୍ୟତଃ ଯୁଦ୍ଧ ବିମାନ ଉପରେ ନିର୍ଭର କରେ । ମଧ୍ୟମ ଦୂରଗାମୀ ଆକ୍ରମଣ ଲାଗି ଏସବୁ ଉପଯୁକ୍ତ। କିନ୍ତୁ ଦୂରଗାମୀ ବାୟୁ ଆକ୍ରମଣ କ୍ଷମତାର ଅଭାବ, ରଣନୈତିକ ସନ୍ତୁଳନରେ ଏକ ତ୍ରୁଟି ବୋଲି କୁହାଯାଇପାରେ । TU-160M ପରି ବିମାନ ଅନ୍ୟ ଦେଶର ସୀମା ଅତିକ୍ରମ ନକରି ଅତି ଦୂରରେ ଥିବା ଟାର୍ଗେଟକୁ ଭେଦ କରିପାରିବ । ଆମେରିକା, ରୁଷ ଏବଂ ଚୀନ୍ ଭଳି ଦେଶମାନଙ୍କ ପାଖରେ ପୂର୍ବରୁ ଦୀର୍ଘକାଳୀନ ରଣନୈତିକ ବୋମାବର୍ଷକ ବିମାନ ରହିଛି ।