ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ସାତକୋଶିଆରେ ପୁଣି ବ୍ୟାଘ୍ର ପ୍ରକଳ୍ପ: ମହାରାଷ୍ଟ୍ରରୁ ଆସିବେ ୧୬ ମହାବଳ, ଏନ୍‌ଟିସିଏ ପକ୍ଷରୁ ମିଳିଲା ଅନୁମୋଦନ

ଭୁବନେଶ୍ୱର,୨୯/୦୮: ସାତକୋଶିଆକୁ ପୁଣି ଫେରିବେ ମହାବଳ । ଖୁବ୍‌ ଶୀଘ୍ର ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ । ଏଥିପାଇଁ ବନ ବିଭାଗ ତରଫରୁ କରାଯିବ ୫ ବର୍ଷିଆ ଯୋଜନା । ୫ ବର୍ଷରେ ପ୍ରାୟ ୧୬ଟି ବାଘ ପର୍ଯ୍ୟାୟ କ୍ରମେ ସାତକୋଶିଆକୁ ଆସିବେ । ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରେ ବାଘମାନଙ୍କ ଜେନେଟିକ୍‌ ଓଡ଼ିଶାର ବାଘଙ୍କ ସହ ସାମଞ୍ଜସ୍ୟ ରହୁଥିବାରୁ ସେଠାରୁ ଓ ମଧ୍ୟପ୍ରଦେଶରୁ ମହାବଳ ବାଘ-ବାଘୁଣୀ ଆସିବେ । ସାତକୋଶିଆରେ ପୁଣି ଥରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବାକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥା (ଏନ୍‌ଟିସିଏ) ଅନୁମୋଦନ ଦେଇଥିବା ପିସିସିଏଫ୍‌ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । 

ଏହି ବ୍ୟାଘ୍ର ପ୍ରକଳ୍ପ ପାଇଁ ଏନଟିସିଏ ୧୫ଟି ସର୍ତ୍ତ ରଖିଛି । ସବୁ ସର୍ତ୍ତ ମାନି ବ୍ୟାଘ୍ର ପ୍ରକଳ୍ପ ଚଳାଇବୁ ବୋଲି ପିସିସିଏଫ୍‌ କହିଛନ୍ତି । ପ୍ରଥମେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ଗାଁଗୁଡ଼ିକୁ ସ୍ଥାନାନ୍ତର କରାଯିବ । କୋର ଏରିଆରୁ ସମସ୍ତ ଜନବସତି ଖାଲି କରାଯାଇଛି । ବଫର୍‌ ଏରିଆରୁ ୬ଟି ଗାଁ ଖାଲି ହୋଇଥିବା ବେଳେ ଆଉ କିଛି ଗାଁ ଖାଲି କରାଯିବ । ସ୍ଥାନୀୟ ବାସିନ୍ଦା ଓ ଜନ ପ୍ରତିନିଧିଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ପିସିସିଏଫ୍‌ ଶ୍ରୀ ନନ୍ଦ କହିଛନ୍ତି । 

ସୂଚନା ଥାଉକି, ଓଡ଼ିଶା ଜଙ୍ଗଲରେ ମହାବଳ ବଂଶ ବୃଦ୍ଧି ପାଇଁ ରାଜ୍ୟ ଜଙ୍ଗଲ ତଥା ବନ୍ୟପ୍ରାଣୀ ବିଭାଗ, ଏନ୍‌ଟିସିଏ (ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥା) ଏବଂ ମଧ୍ୟପ୍ରଦେଶ ସରକାରଙ୍କ ମିଳିତ ଉଦ୍ୟମ କ୍ରମେ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା ଭାରତର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ । ତିନି ଯୋଡ଼ା ଯୁବ ମହାବଳ ଦମ୍ପତି ସାତକୋଶିଆରେ ଛଡ଼ାଯିବାର ଯୋଜନା ରହିଥିବାବେଳେ ମାତ୍ର ଗୋଟିଏ ଯୋଡ଼ା ମହାବଳ ଛଡ଼ା ଯାଇଥିଲା ।  ୨୦୧୮ ଜୁନ୍‌ ୨୧ରେ ମଧ୍ୟପ୍ରଦେଶ କାହ୍ନା ଜାତୀୟ ବ୍ୟାଘ୍ର ପ୍ରକଳ୍ପରୁ ‘ମହାବୀର’ ନାମକ ମହାବଳକୁ ସାତକୋଶିଆ ଅଣା ଯାଇଥିଲା । ୨୦୧୮ ଜୁନ୍‌ ୨୮ରେ ବାନ୍ଧବଗଡ଼ ବ୍ୟାଘ୍ର ପ୍ରକଳ୍ପରୁ ସାତକୋଶିଆକୁ ଆସିଥିଲା ବାଘୁଣୀ ‘ସୁନ୍ଦରୀ’ । ୨୦୧୮ ଜୁଲାଇ ୬ରେ ମହାବୀରକୁ ଏନ୍‌କ୍ଲୋଜର ମୁକ୍ତ କରା ଯାଇଥିଲା ।  

ଜଙ୍ଗଲରେ ଅବାଧରେ ବୁଲୁଥିବା ମହାବୀର ୨୦୧୮ ନଭେମ୍ବର ୧୪ରେ ହିନ୍ଦୋଳ ରେଞ୍ଜ ଓ ରାଇଗୁଡ଼ା ରେଞ୍ଜ ବର୍ଡରରେ ଶିକାରୀଙ୍କ ଫାସରେ ପଡ଼ି ମୃତ୍ୟୁବରଣ କରିଥିଲା । 

ଏକୁଟିଆ ବୁଲୁଥିବା ବାଘୁଣୀ ସୁନ୍ଦରୀ ୨୦୧୮ ସେପ୍ଟେମ୍ବର ୧୨ରେ ପୁରୁଣାକୋଟ ହାତୀବାରି ଗ୍ରାମର କୈଳାସୀ ସାଏ ନାମକ ଜଣେ ମହିଳାଙ୍କୁ ଝୁଣି ଖାଇଥିଲା । ବାଘୁଣୀ ସୁନ୍ଦରୀ ମଣିଷ ମାରି ଖାଇବା ପରେ ପରଦିନ ସାତକୋଶିଆ ବନାଞ୍ଚଳରେ ଲଙ୍କାକାଣ୍ଡ ହୋଇଥିଲା । ସ୍ଥାନୀୟ ଲୋକେ ବ୍ୟାଘ୍ର ପ୍ରକଳ୍ପକୁ ବିରୋଧ କରି ବନାଞ୍ଚଳ ଅଫିସରେ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା କରିଥିଲେ । ୨୦୧୮ ଅକ୍ଟୋବର ୨୧ରେ ବାଘୁଣୀ ଆକ୍ରଅମଣରେ ତ୍ରିନାଥ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ ସୁନ୍ଦରୀ ସ୍ଥାନାନ୍ତର ଦାବିରେ ରାସ୍ତାରୋକ ଠାରୁ ଆରମ୍ଭ କରି ପୁଲିସ-ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଲାଗିଥିଲା । ୨୦୧୮ ନଭେମ୍ବର ୬ରେ ଚନ୍ଦକାରୁ କୁମ୍‌କୀ ହାତୀ ‘ଯଶୋଦା’କୁ ନେଇ ବନବିଭାଗ ସୁନ୍ଦରୀକୁ ଟ୍ରାଙ୍କୁଲାଇଜର ମାଡ଼ କରି କାବୁ କରି ତାକୁ ଏନ୍‌କ୍ଲୋଜରରେ ରଖା ଯାଇଥିଲା । ୨୦୨୧ ମାର୍ଚ୍ଚ ୨୩ରେ ମଧ୍ୟପ୍ରଦେଶ କାହ୍ନା ଜାତୀୟ ଉଦ୍ୟାନର ରିହାବିଲିଟେସନ୍‌ ସେଣ୍ଟରକୁ ‘ସୁନ୍ଦରୀ’କୁ ଫେରାଇ ନିଆ ଯାଇଥିଲା । ତେଣୁ ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ଫେଲ୍‌ ମାରିଥିଲା । ଏବେ ପୁଣି ବନବିଭାଗ ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଛି ।   

ରାଜ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ବନବିଭାଗ ବିଭିନ୍ନ ପ୍ରକାର ଯୋଜନା କରିଛି । ନିକଟରେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ୫ଟି ମହାବଳ ଆଣିବାକୁ ଯୋଜନା ରହିଛି । ସମ୍ବଲପୁର ଡେବ୍ରିଗଡ଼ ଅଭୟାରଣ୍ୟରେ ୩ଟି ଓ ଶିମିଳିପାଳ ଅଭୟାରଣ୍ୟରେ ୨ଟି ମହାବଳ ଛଡ଼ାଯିବ । 

ସୂଚନା ଥାଉକି, ଗତ ବାଘ ଗଣନାରେ ଓଡି଼ଶାରେ ମୋଟ ୩୮ ମହାବଳ ବାଘ ଥିବା ଜଣାପଡ଼ିଛି । ସେଥିରୁ ୮ଟି ଛୁଆ ବାଘ । କେବଳ ଶିମିଳିପାଳ ଅଭୟାରଣ୍ୟରେ ୨୭ଟି ବାଘ ବୁଲୁଛନ୍ତି । ଶିମିଳିପାଳ ଅଭୟାରଣ୍ୟରେ ୧୧ଟି ସାଧାରଣ ବାଘ ଓ ୧୩ଟି କଳାବାଘ ଅଛନ୍ତି । ୧୧ଟିରୁ ୭ଟି ମାଈ ଓ ୪ଟି ଅଣ୍ଡିରା ଏବଂ ୧୩ଟି କଳାବାଘରୁ ୭ଟି ମାଈ ଓ ୬ଟି ଅଣ୍ଡିରା ପ୍ରଜାତିର । କେନ୍ଦୁଝର ବନାଞ୍ଚଳରେ ଗୋଟିଏ ଅଣ୍ଡିରା ବାଘ ରହିଛି । ପାରଳାଖେମୁଣ୍ଡି ବନାଞ୍ଚଳ ଓ ହୀରାକୁଦ ବନାଞ୍ଚଳରେ ଗୋଟିଏ ଲେଖାଏଁ ଅଣ୍ଡିରା ବାଘ ଥିବା ଜଣାପଡି଼ଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.