ଭୁବନେଶ୍ୱର,୦୫/୦୪: ଶନିବାର ପବିତ୍ର ଅଶୋକାଷ୍ଟମୀ ।  ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା  ରଥ ରାମେଶ୍ୱର ଅଭିମୁଖେ ଯାତ୍ରାରମ୍ଭ କରିବ। ରଥଗଡ଼ାରୁ ଘରଘର ନାଦ କରି ବାହାରିବ ପ୍ରଭୁଙ୍କ ରଥ । ଏହି ପଞ୍ଚ  ଦିବସୀୟ ଯାତ୍ରାରେ ଏକାମ୍ରର ଆରାଧ୍ୟ  ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଏବଂ  ଭଉଣୀ ରୁକ୍ମିଣୀ ରାମେଶ୍ୱରଙ୍କ ପୀଠକୁ  ଯିବେ । ସେଠାରେ ୪ ଦିନ ଅବସ୍ଥାନ କରି ୯ ତାରିଖରେ ବାହୁଡ଼ା ଯାତ୍ରା କରିବେ ।  

ଶୁକ୍ରବାର ରାତିରେ ବ୍ରାହ୍ମଣମାନଙ୍କ ଦ୍ୱାରା ରଥ ପ୍ରତିଷ୍ଠା କରାଯାଇଛି । ଠାକୁରଙ୍କ ଏହି ପ୍ରସିଦ୍ଧ ଯାତ୍ରାକୁ ଶୃଙ୍ଖଳିତ କରିବା ଦିଗରେ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ  କରାଯାଇଛି । ସୁରକ୍ଷା ପାଇଁ ଡିସିପିଙ୍କ  ନେତୃତ୍ୱରେ ୧୩ ପ୍ଳାଟୁନ ଫୋର୍ସ ମୁତୟନ ରହିବେ । ଏହା ବ୍ୟତୀତ  ରାସ୍ତାରେ ପାଣି ସିଞ୍ଚନ କରିବ  ଅଗ୍ନିଶମ ବିଭାଗ । ବିଏମ୍‌ସି ତରଫରୁ  ଆଲୋକୀକରଣ, ସଫେଇ ଓ ପିଇବା  ପାଣି ବ୍ୟବସ୍ଥା ହୋଇଛି । ସେହିପରି  ଗମନାଗମନ ପାଇଁ କ୍ରୁଟ୍‌ ପକ୍ଷରୁ ଅଧିକ  ମୋ ବସ ବ୍ୟବସ୍ଥା କରାଯାଇଛି ।  ଶ୍ରଦ୍ଧାଳୁଙ୍କୁ ଖରା ତାତିରୁ ଆଶ୍ୱସ୍ତି ଦେବାକୁ ମନ୍ଦିର ପ୍ରଶାସନ ଏବଂ ସ୍ୱେଚ୍ଛାସେବୀ  ମାନେ ସିଞ୍ଚନ ମେସିନ ଯୋଗେ ପାଣି ସିଞ୍ଚନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । 

ରଥଯାତ୍ରା ପାଇଁ ନିର୍ଦ୍ଧାରିତ ନୀତି ଅନୁଯାୟୀ, ଭୋର  ୫ଟାରେ ମନ୍ଦିର ପହୁଡ଼ ଖୋଲି ମଙ୍ଗଳ ଆଳତି ଓ ଅବକାଶ  ନୀତି ସମାପନ ହେବ । ଦିନ ସାଢେ ୧୨ଟାରୁ ସାଢେ ଗୋଟାଏ  ମଧ୍ୟରେ ଦେବଦେବୀଙ୍କୁ ପହଣ୍ଡି କରାଯାଇ ରଥ ଉପରକୁ  ବିଜେ କରାଯିବ । ରଥ ଉପରେ ଏବଂ ତଳେ ୧୪ ପ୍ରକାରର  ପୂଜା ବଢ଼ିବା ପରେ ଅଶ୍ୱ ଯୋଚା ଯିବ । ଆଜ୍ଞାମାଳ ପାଇଲା  ପରେ ରଥ ଗଡ଼ିବ । 

ରଥ ଟଣା ଯିବା ସମୟରେ କର୍ଡନ ଭିତରେ କେବଳ ଖଉଡ଼ା(ରଥରେ ବ୍ରେକ୍‌ ଲଗାଉ ଥିବା ସେବାୟତ) ଓ  ମହାରଣା ସେବାୟତ ମାନେ ରହି ପାରିବେ । ଏଥର ମଧ୍ୟ ରଥ ଟଣା ଅପରାହ୍ନ ଠିକ ସାଢେ ୩ଟାରେ ଆରମ୍ଭ ହେବ  ବୋଲି ଚୂଡ଼ାନ୍ତ ହୋଇଛି । ରଥ ଗଡ଼ିବା ବାଟରେ ଗୋପାଳ ତୀର୍ଥ, ଶିବତୀର୍ଥ, ଭାରତୀ ମଠ ଓ ଅସୁର କିଆରୀଠାରେ  ଦେବଦେବୀଙ୍କୁ ଭୋଗ ଲାଗି ହେବ । ରାମେଶ୍ୱର ପହଞ୍ଚିବା ପରେ ସେଠାରେ ପ୍ରଥମେ  ଅଶୋକା କୁଣ୍ଡରେ ମହାପ୍ରଭୁ ସ୍ନାନ କରିବେ । ପରେ ୧୪ଟି  ଅଶୋକା କଢି ମଧ୍ୟ ଲାଗି ହେବେ । 

ରାମେଶ୍ୱରଙ୍କ ସହ ଭେଟ ଆଳତି କରାଯାଇ ସେଠାରେ ଆସ୍ଥାନକୁ ବିଜେ କରିବେ । ରଥଯାତ୍ରା ପାଇଁ ରାମେଶ୍ୱର କ୍ଳବ ଓ ରାମେଶ୍ୱର ମନ୍ଦିର  ୨୪ ପ୍ରହର କମିଟି ତରଫରୁ ବିଭିନ୍ନ ପ୍ରକାରର ସାଂସ୍କୃତିକ  କାର୍ଯ୍ୟକ୍ରମ ବ୍ୟବସ୍ଥା କରା ଯାଇଛି । ସେହିପରି ଏକାମ୍ର ଭଜନ ମଣ୍ଡପଠାରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ଦ୍ୱାରା ମଧ୍ୟ ୬  ଦିନିଆ ‘ଲିଙ୍ଗରାଜ ମହୋତ୍ସବ’ ପାଳନ କରାଯିବ।