ଭୁବନେଶ୍ଵର, ୧୧/୦୧ : ରାଜସ୍ଵ ଅଧିକାରୀ ଏଣିକି ଆଉ କରିପାରିବେନି ଅଣରାଜସ୍ଵ କାମ। ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କଲା ରାଜସ୍ଵ ବିଭାଗ। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରଶାସନକୁ ଲୋକାଭିମୁଖୀ କରିବା ପାଇଁ ଅନେକ ସଂସ୍କାର କରିବାର ଆବଶ୍ୟକତା ଅଛି। ରାଜସ୍ଵ ବିଭାଗର କାମକୁ ଆହୁରି ଶାଣିତ କରିବାକୁ ଅନେକ ପଦକ୍ଷେପ ନିଆଯାଉଛି। ଯାହାଦ୍ଵାରା ରାଜସ୍ଵ ବିଭାଗର ଦାୟିତ୍ଵରେ ଥିବା ରାଜସ୍ୱ ଅଧିକାରୀମାନେ ବିଭାଗ ପ୍ରତି ସମ୍ପୂର୍ଣ୍ଣ ନ୍ୟାୟ କରିପାରିବେ। ରାଜସ୍ଵ ସେବା ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ରାଜସ୍ୱ ଅଧିକାରୀମାନେ ଆହୁରି ପ୍ରତିବଦ୍ଧତା ସହ କାମ କରିବେ ସେଥିପାଇଁ ଅନେକ ସଂସ୍କାର ଅଣାଯାଉଛି।
ରାଜସ୍ଵ ବିଭାଗର ମୂଳ ରାଜସ୍ୱ ଅଧିକାରୀମାନେ ରାଜସ୍ୱ ବିଭାଗରେ କାମ କରି ଥାଆନ୍ତି। ଏହାସହ ଅଧିକାରୀମାନଙ୍କୁ ଅନ୍ୟ ବିଭାଗକୁ କାମ କରିବା ପାଇଁ ପଠାଯାଇଥାଏ। ତେଣୁ ବିଭାଗ ଏହାଦ୍ୱାରା ସୃଷ୍ଟି ହେଉଥିବା ଦ୍ଵନ୍ଦରେ ସ୍ପଷ୍ଟତା ଆଣିବା ପାଇଁ ଚାହୁଁଛି। ଯେଉଁ ଅଧିକାରୀମାନେ ରାଜସ୍ୱ ବିଭାଗର ORS ଭାବେ ପଦୋନ୍ନତି ପାଉଥିଲେ, ସେମାନଙ୍କର କାମ ବିଷୟରେ ଅନୁଭବ ନଥିଲା । ସେହିପରି ଅନେକ ପୁରୁଣା ଆଇନ ଗୁଡ଼ିକୁ ସଂଶୋଧନ କରାଯିବ, ଯେଉଁ ଆଇନର ଆବଶ୍ୟକ ନାହିଁ ତାହାକୁ ରଦ୍ଦ କରାଯିବ ।