ପ୍ରମୂଖ ଖବର

ଜାନୁଆରୀ ୧୮ରେ ଘଟିବ ମହାଜାଗତିକ ଦୃଶ୍ୟ, ଖାଲି ଆଖିରେ ଦେଖିପାରିବେ ୨ ଗ୍ରହର ମିଳନ

Published By : Rasmita Pradhan | January 11, 2025 12:58 PM

ଭୁବନେଶ୍ଵର, ୧୧/୦୧ : ଜାନୁଆରୀ ୧୮ରେ ଘଟିବ ମହାଜାଗତିକ ଦୃଶ୍ୟ। ଦେଖିବାକୁ ମିଳିବ ସବୁଠୁ ଆକର୍ଷଣୀୟ ଦୃଶ୍ୟ। ମହାକାଶରେ ହେବ ୨ ଗ୍ରହର ମିଳନ। ଖାଲି ଆଖିରେ ଦେଖିହେବ ଏହି ଅପୂର୍ବ ଦୃଶ୍ୟ। ଏହି ଦିନ ହେବ ଶୁକ୍ର ଏବଂ ଶନି ଗ୍ରହର ମିଳନ। ଶୁକ୍ରକୁ ଟପି ଆଗକୁ ବଢିବେ ଶନି ଗ୍ରହ। ଖାଲି ଆଖିରେ ଦେଖିହେବ ଦୁଇ ଗ୍ରହଙ୍କ ଦୌଡ଼ ଓ ମିଳନର ଅପୂର୍ବ ଦୃଶ୍ୟ। ଏବେ ଶୁକ୍ରର ବେସ୍ ଉପରେ ଦୃଶ୍ୟମାନ ହେଉଛନ୍ତି ଶନି ଗ୍ରହ। ଆଗକୁ ଗ୍ରହ ଦୁଇଟି ମଧ୍ୟରେ ଦୂରତା କମିବ। ୧୮ ତାରିଖ ସନ୍ଧ୍ୟାରେ ଦୁହେଁ ନକଟତର ହେବେ। ପ୍ରାୟ ୨ ଘଣ୍ଟା ଧରି ଦୁଇ ଗ୍ରହ ପାଖାପାଖି ଦେଖାଯିବେ। ଏହାପରେ ଶନି ତଳକୁ ତଳକୁ ଯାଇ ଶୁକ୍ରଙ୍କ ଠାରୁ ଦୂରେଇ ଯିବେ।

କେବଳ ସେତିକି ନୁହେଁ, ଜାନୁଆରୀ ଦ୍ଵିତୀୟ ଅର୍ଦ୍ଧରେ ସବୁଦିନ ସନ୍ଧ୍ୟା ଆକାଶରେ ଖାଲି ଆଖିରେ ଦେଖିପାରିବେ ୪ ଗ୍ରହ। ବର୍ତ୍ତମାନ ଠାରୁ ଜାନୁଆରୀ ମାସ ସାରା ସୂର୍ଯ୍ୟାସ୍ତ ପରେ ୪ଟି ଗ୍ରହ ଖାଲି ଆଖିରେ ଦେଖିହେବ। ଏବେ ପଶ୍ଚିମ ଦିଗବଳୟର କିଛି ଉପରେ ଏହି ୪ଟି ଗ୍ରହ ଦୃଶ୍ୟମାନ ହେବେ। ପ୍ରଥମେ ଉଜ୍ଜଳ ଶୁକ୍ର ଗ୍ରହ, ତାର କିଛି ଉପରକୁ ଇଷତ୍ ହଳଦି ରଙ୍ଗର ଶନି ଗ୍ରହ ଓ ପୂର୍ବ ଦିଗ୍‌ବଳୟରେ ମଙ୍ଗଳ ଗ୍ରହ, ଏହାର କିଛି ଉପରକୁ ଉଜ୍ଜ୍ଵଳ ବୃହଷ୍ପତି ଗ୍ରହ ଦେଖାଯିବେ। ରାତି ବଢିବା ସାଙ୍ଗେ ଏହି ଗ୍ରହ ଗୁଡ଼ିକ ପୂର୍ବରୁ ପଶ୍ଚିମ ଆଡ଼କୁ ଗତି କରି କ୍ରମାନ୍ଵୟରେ ଅସ୍ତ ହେବେ। ରାତି ସାଢେ ୮ଟା ବେଳକୁ ପ୍ରଥମେ ଶୁକ୍ର ଓ ପରେ ଶନି ଗ୍ରହ ଅସ୍ତ ହେବେ। 

ସୂର୍ଯ୍ୟଙ୍କ ଚାରିପଟେ ବୁଲୁଥିବା ୮ଟି ଗ୍ରହ ଭିତରୁ ୫ଟି ଗ୍ରହଙ୍କୁ ଖାଲି ଆଖିରେ ଦେଖିହୁଏ। ସେମାନଙ୍କ ଭିତରୁ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି, ଏବଂ ଶନି ଖାଲି ଆଖିରେ ଦେଖାଯାଆନ୍ତି। ଏହାକୁ ଗ୍ରହ ସମାବେଶ ବା ପ୍ଲାନେଟ୍ ପରେଡ୍ କୁହାଯାଏ। ତେବେ ଆକାଶରେ ଏକ ସମୟରେ ୩ଟି ଗ୍ରହ ଦେଖାଯିବା ଅତି ସାଧାରଣ ଘଟଣା। ପ୍ରତି ବର୍ଷ ଅନେକ ଥର କିଛି ଦିନ ପର୍ଯ୍ୟନ୍ତ ଏମାନେ ଦୃଶ୍ୟମାନ ହୁଅନ୍ତି। ହେଲେ ପ୍ରତି ୧୯ ବର୍ଷରେ ଥରେ ୫ଟି ଗ୍ରହ ଦେଖାଦିଅନ୍ତି। ସେହିପରି ୧୭୦ ବର୍ଷରେ ଥରେ ଏକାସାଙ୍ଗରେ ୮ଟି ଗ୍ରହ ଦେଖାଯାଆନ୍ତି। 

ଏଥର ୪ଟି ଗ୍ରହ ଖାଲି ଆଖିରେ ଦେଖାଯିବେ। ତେଣୁ ବିଶ୍ଵ ସାରା ଜ୍ୟୋତିର୍ବିଜ୍ଞାନୀମାନେ ନିଜର ଦୂରବୀକ୍ଷଣ ଧରି ଏହି ମହାକାଶୀୟ ଉତ୍ସବ ଦେଖିବା ପାଇଁ ପ୍ରସ୍ତୁତ ହେଲେଣି। ଏଭଳି ଅପୂର୍ବ ସଂଯୋଗ ଘଟୁଥିବାରୁ ଛାତ୍ରଛାତ୍ରୀମାନେ ଏହି ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ଏହି ସୁନ୍ଦର ମହାଜାଗତିକ ଘଟଣା ମେଘମୁକ୍ତ ଥିବା ଭାରତ ତଥା ଓଡ଼ିଶାର ସବୁ ଅଞ୍ଚଳରୁ ଖାଲି ଆଖିରେ ଦେଖିହେବ। କାହା ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.