ନୂଆଦିଲ୍ଲୀ,୧୬/୦୪ : ସାରା ଦେଶରେ ଖାଦ୍ୟ ସାମଗ୍ରୀ ଦର କମିବା ଯୋଗୁ ଖୁଚୁରା ମୁଦ୍ରାସ୍ଫୀତି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି । ମାର୍ଚ୍ଚରେ ଖାଉଟି ମୂଲ୍ୟ ସୂଚୀ ୩.୩୪% ସ୍ତରରେ ରହିଛି । ୨୦୨୯ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ୩.୨୮% ସ୍ତରରେ ଥିଲା । ଓଡ଼ିଶା କଥା ବିଚାରକୁ ନେଲେ ମାର୍ଚ୍ଚରେ ଏହା ୩.୨୧% ରହିଛି । ରାଜ୍ୟର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ମୁଦ୍ରାସ୍ଫୀତି ଯଥାକ୍ରମେ ୩.୪୪% ଏବଂ ୨.୬୫% ରହିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି ।
ଫେବ୍ରୁଆରୀ ମାସରେ ସାରା ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୩.୬୧% ସ୍ତରରେ ଥିଲା । ମୁଦ୍ରାସ୍ଫୀତି ବାସ୍କେଟରେ ଖାଦ୍ୟ ସାମଗ୍ରୀର ଅଂଶ ୫୦% ରହିଥାଏ । ଏ କ୍ଷେତ୍ରରେ ମୁଦ୍ରାସ୍ଫୀତି ମାସିକ ଭିତ୍ତିରେ ୩.୭୫%ରୁ ୨.୬୭%କୁ ଖସିଛି । ସାରା ଦେଶରେ ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ୩.୭୯%ରୁ ୩.୨୫%କୁ ହ୍ରାସ ହୋଇଛି । ସହରାଞ୍ଚଳ ମୁଦ୍ରାସ୍ଫୀତି ୩.୩୨%ରୁ ୩.୪୩% ହୋଇଛି । ସାରା ଦେଶରେ ମୁଦ୍ରାସ୍ଫୀତି ଥିବା ୫ ସାମଗ୍ରୀ ମଧ୍ୟରେ ନଡ଼ିଆ ତେଲ ୫୬.୮୧%, ନଡ଼ିଆ ୪୨.୦୫%, ସୁନା ୩୪.୦୯%, ରୁପା ୩୧.୫୭% ଏବଂ ୨୫.୫୫% ରହିଛି ।
ସେହିଭଳି ସବୁଠାରୁ କମ୍ ମୁଦ୍ରାସ୍ଫୀତି ଥିବା ସାମଗ୍ରୀ ମଧ୍ୟରେ ଟମାଟୋ, ଫୁଲକୋବି, ଜିରା ଏବଂ ଅଦା ରହିଛି । ଅନ୍ୟ ପଟେ ଶସ୍ୟରେ ମୁଦ୍ରାସ୍ଫୀତି ୫.୯୩%କୁ ଖସିଛି । ମାଛ ଓ ମାଂସ କ୍ଷେତ୍ରରେ ଏହା ୦.୨୨%, ଦୁଗ୍ଧରେ ୨.୬୫%, ତେଲ ୧୭.୦୭%, ଫଳ ୧୬.୨୭%, ମୃଦୁ ପାନୀୟ ୪.୦୧%, ତମାଖୁ ୨.୪୮%, ପୋଷାକ ଏବଂ ଫୁଟୱେର କ୍ଷେତ୍ରରେ ୨.୬୨% ରହିଛି । ସେହିଭଳି ମାର୍ଚ୍ଚରେ ପାଇକାରୀ ମୁଦ୍ରାସ୍ଫୀତି ୪ ମାସର ନିମ୍ନ ସ୍ତର ୨.୦୫%କୁ ଖସିଛି । ଏହା ପୂର୍ବରୁ ନଭେମ୍ବରରେ ଏହି ବର୍ଗରେ ମୁଦ୍ରାସ୍ଫୀତି ୧.୮୯% ଥିଲା । ସେହିଭଳି ଫେବ୍ରୁଆରୀରେ ପାଇକାରୀ ମୁଦ୍ରାସ୍ଫୀତି ୨.୩୮% ସ୍ତରରେ ଥିଲା ବୋଲି ଏହି ରିପୋର୍ଟରେ କୁହାଯାଇଛି ।
ଏହି ଖବରଟିକୁ ପଢନ୍ତୁ- ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଲା ସୁନା, ରୂପା କିଲୋଗ୍ରାମ ପ୍ରତି ରହିଛି ଏତିକି ଟଙ୍କା…