କେନ୍ଦ୍ରାପଡା, ୨୫/୧୦: ମଧ୍ୟ ରାତ୍ରରେ ଭିତରକନିକାରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା 'ଦାନା' । ଦୀର୍ଘ ସମୟ ଧରି ଦେଖାଇଥିଲା ନିଜକ କରାଳ ରୂପ । ଶେଷରେ ଶୁକ୍ରବାର ପୂର୍ବାହ୍ନରେ ସରିଥିଲା ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ତେବେ ଏହି ଜଟିଲ ସ୍ଥିତିରେ ସରକାର ଜିରୋ କାଜୁଆଲ୍ଟି କରିବେ ବୋଲି ଲକ୍ଷ୍ୟ ରଖିଥିଲେ । ବାତ୍ୟାକୁ ସଠିକ୍ ଭାବରେ ନିୟନ୍ତ୍ରଣ କରି ତାହା ପ୍ରମାଣିତ ମଧ୍ୟ କରିଛନ୍ତି ।
ଏହାରି ମଧ୍ୟରେ କେନ୍ଦ୍ରାପଡା ବାତ୍ୟା ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଏହି ବାତ୍ୟାରେ ବିଶେଷ ଭାବରେ ରାଜନଗର ଓ ରାଜକନିକା ବ୍ଲକ ପ୍ରଭାବିତ ହୋଇଛି । ତେଣୁ ଏହି ଦୁଇଟି ବ୍ଲକ୍ରେ ଅଧିକ ଦିନ ପର୍ଯ୍ୟନ୍ତ ରିଲିଫ ପରିଚାଳନା ହେବ ବୋଲି ସେ କହିଛନ୍ତି ।
ବାତ୍ୟା 'ଦାନା'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି । ବାତ୍ୟା କାରଣରୁ ଏହି ଅଞ୍ଚଳର ଅନେକ ସ୍ଥାନରେ ଗଛ ଏବଂ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି । ଫଳରେ ରାସ୍ତା ଗୁଡ଼ିର ଅବରୋଧ ହୋଇ ରହିଛି ଏବଂ ବିଦ୍ୟୁତ କାଟ କରାଯାଇଛି । ବର୍ତ୍ତମାନ ବର୍ଷା ଲାଗି ରହିଥିବା କାରଣରୁ ବର୍ଷା ଛାଡ଼ିବା ପରେ ସମସ୍ତ ରାସ୍ତାରୁ ଗଛ ଗୁଡ଼ିକୁ କଢିବା ଏବଂ ବିଦ୍ୟୁତ ସେବା ପୁନଃ ସଂସ୍ଥାପନ କରିବା ହିଁ ପ୍ରଶାସନର ଲକ୍ଷ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
ବାତ୍ୟା ପ୍ରଭାବିତ ଅଞ୍ଚଳରେ ବର୍ଷା ଛାଡ଼ିବା ପରେ ହିଁ ସମସ୍ତ କ୍ଷୟକ୍ଷତିର ଆକଳନ କରାଯିବ । ବିଶେଷ କରି ବର୍ଷା କାରଣକୁ ଚାଷ ଜମି ଗୁଡ଼ିକରେ ପାଣି ଜମି ରହିଥିବାର ଦେଖିବାକୁ ମିଳିଛି । ଚାଷଜମିରୁ ପାଣି ନିଷ୍କାସନ ହେବା ପରେ ହିଁ କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହା ଆକଳନ କରାଯିବ । ଜିଲ୍ଲା ପ୍ରଶାସନ ଏନେଇ ଏକ ବିସ୍ତୃତ ରିପୋର୍ଟ ସରକାରଙ୍କୁ ଦେବା ପରେ ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ।