କେନ୍ଦ୍ରାପଡ଼ା,୨୪/୧୦: ମାଡ଼ି ଆସୁଛି ବାତ୍ୟା 'ଦାନା' । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଇଛି । ବାତ୍ୟାର ମୁକାବିଲା କରିବା ପାଇଁ ଅନେକ ପ୍ରକାରର ବ୍ୟବସ୍ଥା ମଧ୍ୟ କରାଯାଇଛି । କେନ୍ଦ୍ରାପଡ଼ାରେ ଓଡ୍ରାଫ ଟିମ୍ ଉପସ୍ଥିତ ରହିବା ସହ ଅଗ୍ନିଶମ ବାହିନୀ ମଧ୍ୟ ସମସ୍ତ ପ୍ରକାରର ଜଟିଳ ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିଛି । କେବଳ ସେତିକି ନୁହେଁ, କେନ୍ଦ୍ରାପଡା ପୌରାଞ୍ଚଳରେ ୮ ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ କରାଯାଇଛି । ଗୁରୁବାର ସକାଳ ସୁଦ୍ଧା ଜିଲ୍ଲାର ମୋଟ୍ ୨୫ ହଜାର ୪୭୨ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଏହା ସହ ପୌରାଞ୍ଚଳର ବସ୍ତି ବାସିନ୍ଦାଙ୍କୁ ସ୍ଥାନାନ୍ତର ପାଇଁ ଯୋଜନା ମଧ୍ୟ କରାଯାଇଛି ।
ସୂଚନା ଥାଉକି, ଉପକୂଳ ମୁହାଁ 'ଦାନା'। ଭୀଷଣ ବାତ୍ୟା ରୂପ ନେଲା ସାମୁଦ୍ରିକ ଝଡ଼। ବୁଧବାର ରାତିରେ ଦାନା ଭୀଷଣ ବାତ୍ୟାରେ ପରିଣତ ହୋଇଛି । କେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏହା କେନ୍ଦ୍ରୀଭୂତ ହୋଇଛି । ଘଣ୍ଟାକୁ ୧୫ କିମି ବେଗରେ ଉତ୍ତର ଉତ୍ତରପଶ୍ଚିମ ଦିଗରେ ବଢୁଛି। ବାତ୍ୟା ଏବେ ପାରାଦୀପର ଦକ୍ଷିଣପୂର୍ବକୁ ୨୮୦ କିମି ଦୂରରେ ରହିଛି । ଧାମରାର ଦକ୍ଷିଣ ଦକ୍ଷଣ-ପୂର୍ବର ୩୧୦ କିମି ଦୂରରେ ରହିଛି । ଆଜି ମଧ୍ୟରାତି ଓ ଶୁକ୍ରବାର ସକାଳ ମଧ୍ୟରେ ଭିତରକନିକା ଓ ଧାମରା ପାଖରେ ଲ୍ୟାଣ୍ଡଫଲ୍ କରିବ।
ସ୍ଥଳଭାଗ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ ରୁ ୧୨୦ କିମି ରହିବ । ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଧାମରା ଓ ଭିତରକନିକାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଧାମରାରେ ଝିପିଝିପି ବର୍ଷା ହେଉଛି । ପବନର ବେଗ କ୍ରମଶଃ ବଢୁଛି। ଭିତରକନିକା ଓ ବାଲେଶ୍ଵରରେ ବର୍ଷା ସହ ପବନ ହେଉଛି । ଆର୍ଯ୍ୟପଲ୍ଲୀ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି । ଉଚ୍ଚ ଜୁଆର ଆସୁଛି।