ଭୁବନେଶ୍ୱର,୧୦/୦୫: ରାଜ୍ୟରେ ଦିଆଯାଉଥିବା ବିଭିନ୍ନ ସମବାୟ ଋଣରେ ଆସିଲା ସଂସ୍କାର । ବିଶେଷ କରି ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) କେଉଁ ଋଣ ପାଇଁ କେତେ ଟଙ୍କା ଦେଇପାରିବ, ତାହା ନିର୍ଦ୍ଧାରଣ କରାଯାଇଛି । ସେହିପରି କେଉଁ ଋଣ ବାବଦରେ କେତେ ଟଙ୍କା ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ(ଡିସିସିବି) ଦେଇପାରିବ, ତାହା ମଧ୍ୟ ସ୍ଥିର ହୋଇଛି । ଏହିପରି ୯ ପ୍ରକାର ଋଣ ଓ ୩ଟି ଜମା ବାବଦରେ ସମବାୟ ବିଭାଗ ନୀତି ଚୂଡ଼ାନ୍ତ କରିଛି ।
ନୂଆ ଯୋଜନା ଅନୁସାରେ କୁକୁଡ଼ା ଓ ବତକ ଫାର୍ମ ପାଇଁ ପାକ୍ସ ଓ ଲାମ୍ପ୍ସଗୁଡିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେଇପାରିବେ । ଏଥିରେ ସବ୍ସିଡି ଟଙ୍କା ରହିବା ସହ ଡିସିସିବିର ଅନୁମତି ବାଧ୍ୟତାମୂଳକ । ତେବେ ଡିସିସିବି ସିଧାସଳଖ କୁକୁଡ଼ା ଓ ବତକ ଫାର୍ମ ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେଇପାରିବ । ୫୦ ଲକ୍ଷରୁ ଅଧିକ ଋଣ ପାଇଁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରୁ ଅନୁମତି ନେବାକୁ ପଡିବ ।
ଏଣିକି ସମବାୟ ବ୍ୟାଙ୍କ ସ୍କୁଟର, ମୋଟରସାଇକେଲ୍ ସମେତ ବ୍ୟାଟେରୀ ଚାଳିତ ଦୁଇ ଚକିଆ ଯାନ ପାଇଁ ଋଣ ପ୍ରଦାନ କରିବେ । ହେଲେ ଏହି ଋଣ ପ୍ରଦାନ ପାଇଁ ଆର୍ଟିଓ ପଞ୍ଜୀକରଣ ବାଧ୍ୟତାମୂଳକ । ୨୧ରୁ ୬୦ ବର୍ଷର ବ୍ୟକ୍ତିଙ୍କୁ ଏହି ଋଣ ମିଳିପାରିବ । ବାର୍ଷିକ ୨ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ଏହି ଋଣ ନେଇପାରିବେ । ୫୦ ହଜାର ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଡିସିସିବି ଦେଇପାରିବେ । ମାତ୍ର ୫ଲକ୍ଷରୁ ଅଧିକ ହେଲେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରୁ ଅନୁମତି ନେବାକୁ ପଡିବ ।
ଅପରପକ୍ଷେ, ଅଟୋ ରିକ୍ସା, ଟ୍ୟାକ୍ସି, ଇ-ରିକ୍ସା ସମେତ ବିଭିନ୍ନ ପ୍ରକାର ବ୍ୟାବସାୟିକ ଯାନ(ହାଲୁକା ଓ ଭାରୀ) ବାବଦରେ ମଧ୍ୟ ସମବାୟ ବ୍ୟାଙ୍କ ଋଣ ପ୍ରଦାନ କରିବ । ଜଣେ ବ୍ୟକ୍ତି କିମ୍ବା ଭାଗିଦାରୀ ସଂସ୍ଥା, ସମବାୟ ସଂସ୍ଥା ଓ କର୍ପୋରେଟ୍ ସଂସ୍ଥାକୁ ଏ ବାବଦରେ ସର୍ବାଧିକ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ । ପୁରୁଣା ଯାନ ବାବଦରେ ମଧ୍ୟ ଋଣ ଦିଆଯିବ । ଏହା ବ୍ୟତୀତ ଟ୍ରାକ୍ଟର, ପାୱାର ଟିଲର୍, ଟ୍ରେଲର୍, କମ୍ବାଇନ୍ଡ ହାରଭେଷ୍ଟର୍, ଗ୍ରେନ୍ ଥ୍ରେସର୍, ସ୍ପ୍ରେୟାର୍, ଡଷ୍ଟର୍, କଳଲଙ୍ଗଳ, ଡ୍ରିଲ୍ସ ସମେତ ବିଭିନ୍ନ କୃଷି ଯନ୍ତ୍ରପାତି କିଣି ବ୍ୟବସାୟ କରିବା ଲାଗି ଋଣ ମିଳିବ । ଏହି ଋଣ ନେବା ବେଳେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ଦେବାକୁ ପଡିବ ନାହିଁ । ୨ ଲକ୍ଷରୁ ଅଧିକ ଟଙ୍କା ଋଣ ନେଲେ ୧୫-୨୫% ସୁଧ ଦେବାକୁ ପଡିବ ।
ଗୋଶାଳା ପ୍ରତିଷ୍ଠାଠୁ ଆରମ୍ଭ କରି ଉନ୍ନତମାନର ଗୋପାଳନ ପାଇଁ ମଧ୍ୟ ଋଣ ମିଳିବ । ଏ ନେଇ ପାକ୍ସ ଓ ଲାମ୍ପ୍ସଗୁଡିକ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ ଦେଇପାରିବେ । ଡିସିସିବି ସିଧାସଳଖ ୫୦ ଲକ୍ଷ ପର୍ଯ୍ୟନ୍ତ ଋଣ ଦେଇପାରିବ । ୫୦ ଲକ୍ଷରୁ ଅଧିକ ହେଲେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରୁ ଅନୁମତି ନେବାକୁ ପଡିବ । ଏହାବ୍ୟତୀତ ମତ୍ସ୍ୟ ଚାଷ ଋଣ, କ୍ଷୁଦ୍ର ଜଳସେଚନ ଋଣ, ଉପଭୋକ୍ତା ସ୍ଥାୟୀ ଋଣ, ନଗଦ ଓ ବକେୟା ଋଣ, ପରିବହନ ଯୋଜନାରେ ଋଣ ପାଇଁ ନୂଆ ନୀତି ନିର୍ଦ୍ଧାରଣ କରାଯାଇଛି । ଏହାବାଦ୍ ସମବାୟ ବ୍ୟାଙ୍କଗୁଡିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁନା ଋଣ ମଧ୍ୟ ଦେଇପାରିବେ । ଏ ନେଇ ରାଜ୍ୟ ସମବାୟ ନିବନ୍ଧକ ରାଜ୍ୟରେ ଥିବା ସମସ୍ତ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଓ ଅର୍ବାନ ସମବାୟ ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।