ପୁରୀ,୧୦/୦୫: ଶ୍ରୀମନ୍ଦିର ଚାରି  ଦ୍ୱାରରେ ସମସ୍ତ ଡିଏଫ୍‌ଏମ୍‌ଡି (ଡୋର୍‌ ଫ୍ରେମ୍‌ ମେଟାଲ୍‌ ଡିଟେକ୍ଟର୍‌) ମେସିନ୍‌  ଅଚଳ ହୋଇ ପଡ଼ିଛି । ସିଂହଦ୍ୱାରରେ ୫ଟି  ଓ ଅନ୍ୟ ୩ ଦ୍ୱାରରେ ୩ଟି ଡିଏଫ୍‌ଏମ୍‌ଡି  ନିଷ୍କ୍ରିୟ ଅବସ୍ଥାରେ ଥିବାବେଳେ ହାତ ମାରି ଯାଞ୍ଚ୍‌ କରୁଛି ପୁଲିସ । ଶ୍ରୀମନ୍ଦିର ଭିତରକୁ ସମସ୍ତ ପ୍ରବେଶ ପଥରେ ଏହି ମେସିନ୍‌ ଲାଗିଛି । ସିଂହଦ୍ୱାରରେ ଥିବା ୫ଟି ଲେନ୍‌ରେ ୫ଟି ଅଚଳ ମେସିନ୍‌ ଭିତରେ  ପ୍ରବେଶ କରି ଶ୍ରୀମନ୍ଦିର ଭିତରକୁ ଯାଉଛନ୍ତି  ଶ୍ରଦ୍ଧାଳୁ । ହେଲେ ଅନ୍ୟ ୩ ଦ୍ୱାର ଠାରେ  ଥିବା ୩ଟି ଅଚଳ ମେସିନ୍‌ ପାଶ୍ୱର୍ ଦେଇ  ଶ୍ରଦ୍ଧାଳୁ ପ୍ରବେଶ କରୁଥିବା ଦେଖିବାକୁ  ମିଳିଛି । ମାସ ମାସ ଧରି ଏହି ଅଚଳ ମେସିନ୍‌ ୪ ଦ୍ୱାରରେ ଲାଗିଥିବାବେଳେ  ଏହାର ମରାମତି କରାଯାଉ ନାହିଁ । କିନ୍ତୁ ଗଣମାଧ୍ୟମକୁ ତଥ୍ୟ ଦେବାବେଳେ ଏହି  ମେସିନ୍‌ ସଚଳ ଥିବା ନେଇ ପୁଲିସ ଭୁଲ୍‌  ସୂଚନା ପ୍ରଦାନ କରୁଥିବା ଜଣାପଡ଼ିଛି ।  

ଏହାକୁ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ କରାଯିବ  ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।  ଏବେ ଯୁଦ୍ଧ ସମୟରେ ଶ୍ରୀମନ୍ଦିର ଭଳି  ସମ୍ବେଦନଶୀଳ ସ୍ଥାନରେ ଅଘଟଣର  ଆଶଙ୍କା ରହିଛି । ତେଣୁ ଅବ୍ୟବସ୍ଥାକୁ  ତରନ୍ତ ଦୂର କରିବାକୁ ଦାବି ହେଉଛି ।