ଭୁବନେଶ୍ଵର : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା-୨୦୨୫ର ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥର ପାସ୍ ହାର ୯୪.୯୩ ପ୍ରତିଶତ ରହିଛି। ଅର୍ଥାତ୍ ଶହେରୁ ପ୍ରାୟ ୯୫ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ରେଗୁଲାର୍ ବର୍ଗରେ ମୋଟ୍ ୫ ଲକ୍ଷ ୨ ହଜାର ୪୧୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିରୁ ୪ ଲକ୍ଷ ୮୪ ହଜାର ୮୬୩ ଜଣ ପାସ୍ କରିଛନ୍ତି । ୧୭ ହଜାର ୩୮୪ ଜଣ ଫେଲ୍ ହୋଇଛନ୍ତି। ୧ ହଜାର ୮୧୨ ଜଣ ଛାତ୍ରଛାତ୍ରୀ ସର୍ବୋଚ୍ଚ ଗ୍ରେଡ୍ ଏ-୧ ହାସଲ କରିପାରିଛନ୍ତି । ସେହିପରି ୧୨ ହଜାର ୨ ଶହ ଛାତ୍ରଛାତ୍ରୀ ଏ-୨, ୩୮ ହଜାର ୮୩୧ ଜଣ ବି-୧, ୮୪ ହଜାର ୯୭୧ ଜଣ ବି-୨, ୧ ଲକ୍ଷ ୩୩ହଜାର ୮୮୨ ଜଣ ଗ୍ରେଡ୍ ସି’ , ୧ ଲକ୍ଷ ୪୬ହଜାର ୧୫୪ଜଣ ଗ୍ରେଡ୍-ଡି’ ଓ ୬୭ ହଜାର ୧୩ ଜଣ ‘ଇ’ ଗ୍ରେଡ୍ ରେ ପାସ୍ କରିଥିବା ବୋର୍ଡ ତରଫରୁ ସୂଚନା ପ୍ରଦାନ କରାଯାଇଛି। ତେବେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କିଛି ଛାତ୍ରଛାତ୍ରୀ ସେମାନଙ୍କର ଅନୁଭୂତି ବଖାଣିଛନ୍ତି।
ଆଇଏଏସ୍ ହେବାର ମୂଳଦୁଆ
ବାପା ସୀତାରାମ ପଟ୍ଟନାୟକ,ମା’ ବୀଣାପାଣି ଓ ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଆର୍ଶୀବାଦରୁ ପରୀକ୍ଷା ଫଳ ବହୁତ ଭଲ ହୋଇଛି । ପରୀକ୍ଷା ପୂର୍ବରୁ ସାମାନ୍ୟ ଡରିଯାଇଥିଲି, କାଳେ କେଉଁଠି ପାଠରେ ଉଣା ହୋଇଯିବ । ହେଲେ ସ୍କୁଲରେ ଯାହା ପଢେ ତାକୁ ପୁଣିଥରେ ଘରେ ପଢେ । ଘରେ ବାପା ଓ ମା’ ମୋତେ ସହଯୋଗ କରିଛନ୍ତି । ଆଗକୁ ଯୁକ୍ତ ଦୁଇ ବିଜ୍ଞାନ ପଢିବି । ସେଥିପାଇଁ କୋଚିଂ ନେଉଛି । ଭବିଷ୍ୟତରେ ଆଇଏଏସ୍ ହେବାକୁ ଲକ୍ଷ୍ୟ ରଖିଛି । ଯାହାର ମୂଳଦୁଆ ପଡ଼ିଛି ।
ଶୁଭଶ୍ରୀ ପଟ୍ଟନାୟକ, ୟୁନିଟ-୬ ହାଇସ୍କୁଲ
ହାର୍ଡୱାର୍କ ନୁହେଁ, ସ୍ମାର୍ଟୱାର୍କରେ ବିଶ୍ୱାସ
ମାଟ୍ରିକ ଫଳକୁ ନେଇ ଖୁସି ଅଛି । ଯଦିଓ ଆଶା ଥିଲା ଅଧିକ ଫଳ ରହିବ । ପ୍ରଥମ କଥା ହେଲା ମୁଁ ହାର୍ଡୱାର୍କରେ ବିଶ୍ୱାସ କରେନି, ବରଂ ସ୍ମାର୍ଟୱାର୍କରେ ବିଶ୍ୱାସ ରଖେ । ସେଥିପାଇଁ ସବୁ କୋର୍ସକୁ ଧୀରେଧୀରେ ପଢି ସାରିଥିଲି । ଦିନକୁ ୮ରୁ ୧୦ ଘଣ୍ଟା ମାଟ୍ରିକ ପାଇଁ ପ୍ରସ୍ତୁତି କରୁଥିଲି । ଏହାପରେ ଖେଳ ଓ ଅନ୍ୟାନ୍ୟ କାମରେ ବିତାଉଥିଲି । ବାପା ସଂଜୟ କୁମାର ରାୟ ଓ ମା ଉଷାରାଣୀଙ୍କ ଆଶୀର୍ବାଦ ଓ ସ୍କୁଲର ଗୁରୁଜୀ ଓ ଗୁରୁମାଙ୍କୁ ମୁଁ ଧନ୍ୟବାଦ ଦେଉଛି ।
ଶୁଭଙ୍କର ରାୟ, ଧର୍ମବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର
ଭବିଷ୍ୟତରେ ବୈଜ୍ଞାନିକ ହେବି
ୟୁନିଟ-୩ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମୋତେ ଏକ ବିରାଟ ସୁଯୋଗ ଦେଇଛି । ମୋ ଶିକ୍ଷା ପ୍ରତି ନିୟମିତ ଧ୍ୟାନ ରଖିବା ସହ ମୋ ସନ୍ଦେହ ଦୂର କରିବାରେ ଗୁରୁଜି ଓ ଗୁରୁମାଙ୍କ ଅବଦାନକୁ କେବେ ଭୁଲି ପାରିବିନି । ମାଟ୍ରିକ ପରୀକ୍ଷା ପାଇଁ ଦିନକୁ ୮ଘଣ୍ଟା ପରିଶ୍ରମ କରୁଥିଲି । ଭଗବାନ ଆଜି ସେହି ପରିଶ୍ରମର ପ୍ରକୃତ ଫଳ ଦେଇଛନ୍ତି । ଏଥିପାଇଁ ମୁଁ ସମସ୍ତଙ୍କୁ ଶ୍ରେୟ ଦେବି । ଭବିଷ୍ୟତରେ ଜଣେ ବୈଜ୍ଞାନିକ ହେବାକୁ ମୁଁ ଲକ୍ଷ୍ୟ ରଖିଛି ।
ପ୍ରତ୍ୟୁଷା ପ୍ରିୟଦର୍ଶିନୀ, ୟୁନିଟ-୩ ଏସଏସଭିଏମ୍
ପରିଶ୍ରମ ଅନୁସାରେ ଫଳ ମିଳିନି
ମେଟ୍ରିକ ଫଳକୁ ନେଇ ସେତେଟା ଖୁସି ନାହିଁ । ଆହୁରି ମାର୍କ ରହିଥାନ୍ତା । ସେହି ହିସାବରେ ପରିଶ୍ରମ ମଧ୍ୟ କରିଥିଲି । ତଥାପି ଏ-୧ ଗ୍ରେଡ୍ ରଖି ସ୍କୁଲରେ ପ୍ରଥମ ସ୍ଥାନରେ ରହିଛି । ଆନନ୍ଦ ଲାଗୁଛି । ଏହି ସଫଳତାର ଶ୍ରେୟ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେବି । ପରିବାରଲୋକଙ୍କ ତ୍ୟାଗ ଭୁଲିପାରିବିନି ।
ଶୁଭରଞ୍ଜନ ବାରିକ, ବିବେକାନନ୍ଦ ଶିକ୍ଷା କେନ୍ଦ୍ର
ମା’ଙ୍କ ପରିଶ୍ରମ ସାର୍ଥକ ହୋଇଛି
ଖୁସି ଲାଗୁଛି । ଘରେ ମୋ ପାଇଁ ସମସ୍ତେ ଖୁସି । ଗତ ଦେଢବର୍ଷର ପରିଶ୍ରମର ଫଳ ଆଜି ମିଳିଛି । ବାପା ମହେନ୍ଦ୍ର ନାଥ ନାୟକ ସରକାରୀ ଚାକିରି କରୁଥିବାରୁ ସେ ସବୁବେଳେ ବ୍ୟସ୍ତ ଥିଲେ । ହେଲେ ମା’ ମଧୁସ୍ମିତା ମୋ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରଖିଥିଲେ । ମୁଁ କେମିତି ସମୟରେ ପଢିବି ସେଥିପାଇଁ ସେ ମୋତେ ପ୍ରଭାବିତ କରିଥିଲେ । ତେଣୁ ମୋର ପରିଶ୍ରମ ସାର୍ଥକ ହେବାର କାରଣ ମୋ ମା । ମୁଁ କହିବି, ମୋର ନୁହେଁ ମୋ ମାଙ୍କ ପରିଶ୍ରମ ସଫଳ ହୋଇଛି । ଆଗକୁ ନିଟ୍- ମେଡିକାଲ ପାଇଁ ପ୍ରସ୍ତୁତି କରିବି ।
ପ୍ରଣତି ମଞ୍ଜରି ପ୍ରଧାନ, ୟୁନିଟ-୮ ଏସଏସଭିଏମ୍
ଡାକ୍ତର ହୋଇ ରୋଗୀ ସେବା କରିବି
ମାଟ୍ରିକ ପରୀକ୍ଷା ପାଇଁ ମୁଁ ଦୈନିକ ୯ ରୁ ୧୦ ଘଣ୍ଟା ପରିଶ୍ରମ କରୁଥିଲି । ବିଦ୍ୟାଳୟରେ ମଧ୍ୟ ଅନେକ ସମର୍ଥନ ମିଳିଥିଲା । ଆଜି ଫଳାଫଳ ଦେଖି ଖୁସି ଲାଗୁଛି । ଏଥିପାଇଁ ବିଦ୍ୟାଳୟର ଗୁରୁଜୀ ଗୁରୁମା ଓ ବାପା, ମା ଙ୍କୁ ଶ୍ରେୟ ସଫଳତାର ଦେବି । ଭବିଷ୍ୟତରେ ଡ଼ାକ୍ତର ହୋଇ ଗରିବ ରୋଗୀଙ୍କ ସେବା କରିବାର ଲକ୍ଷ୍ୟ ରଖିଛି ।
ପ୍ରତ୍ୟୁଷା ପ୍ରିୟଦର୍ଶିନୀ ସାହୁ, ନିଳାଦ୍ରୀବିହାର ଏସଏସଭିଏମ୍
ଯାହା ମାର୍କ ଅଛି, ଖୁସି ମୁଁ
ସର୍ବପ୍ରଥମେ ଜଗତର ନାଥ ଜଗନ୍ନାଥ, ବିଦ୍ୟାଳୟର ଗୁରୁଜୀ ଗୁରୁମା ଓ ପିତା ମାତାଙ୍କୁ ମୋ ସଫଳତାର ଶ୍ରେୟ ପ୍ରଦାନ କରୁଛି । ଦୈନିକ ମୁଁ ୬ ରୁ ୭ ଘଣ୍ଟା ପରିଶ୍ରମ କରୁଥିଲି । ଅଧିକ ନମ୍ବର ରଖିବାର ଆଶା ଥିଲା । ଯାହା ବି ମିଳିଛି ସେଥିରେ ଖୁସି ଅଛି । ଭବିଷ୍ୟତରେ ଡ଼ାକ୍ତର ହୋଇ ଲୋକମାନଙ୍କର ସେବା କରିବାର ଲକ୍ଷ୍ୟ ରହିଛି ।
ପ୍ରିୟଙ୍କା ବେହେରା, ଆଦିମାତା କଲୋନି ଏସଏସଭିଏମ୍
ଅଧିକ ନମ୍ବର ଆଶା ଥିଲା
ଦିନକୁ ୧୦ ରୁ ୧୨ ଘଣ୍ଟା ପରିଶ୍ରମ କରୁଥିଲି । ଯଦିଓ ସ୍କୁଲରେ ମୁଁ ଅଧିକ ମାର୍କ ରଖିଛି, ହେଲେ ଆଶା ଥିଲା ଆଉ ଟିକେ ଅଧିକ ମାର୍କ ରହିବ । ଆଜିପରିବାର ଲୋକଙ୍କ ସହଯୋଗ ଓ ଗୁରୁଜୀ ଗୁରୁମା'ଙ୍କ ଆଶୀର୍ବାଦ ପାଇଁ ମୁଁ ସଫଳ ହୋଇଛି । ଭବିଷ୍ୟତରେ ଡ଼ାକ୍ତର ହୋଇ ରାଗୀମାନଙ୍କର ସେବା କରିବାର ଲକ୍ଷ୍ୟ ରହିଛି ।
ଅନୁଷ୍କା ସାହୁ, ଜୟଦେବ ଶିକ୍ଷା କେନ୍ଦ୍ର ପଟିଆ