ଭୁବନେଶ୍ୱର, ୦୩/୦୫ : ବୃକ୍ଷରୋପଣ ପାଇଁ ସରକାର ବଡ଼ ଅଭିଯାନ ଆରମ୍ଭ କଲେ । ରାଜକୋଷରୁ ୩୦୦ କୋଟି ବରାଦ ହେଲା । ସବୁଜ ବଳୟ ସୃଷ୍ଟି କରିବାକୁ ରାଜ୍ୟ ସରକାର ଗ୍ରୀନ୍ ମହାନଦୀ ମିଶନ ଆରମ୍ଭ କଲେ । ବ୍ୟାପକ ଚାରା ରୋପଣ କଲେ । ଲୋକଙ୍କୁ ଚାରା ବଣ୍ଟନ କଲେ । ହେଲେ ଠିକଣା ଭାବେ ରକ୍ଷଣାବେକ୍ଷଣ ହେଲାନି । ରୋପଣ ହୋଇଥିବା ଚାରା ମଧ୍ୟରୁ ଅଧାରୁ ଅଧିକ ଆଉ ଦିଶୁନି । ସମନ୍ୱୟ ଅଭାରୁ ‘ସରକାରଙ୍କ ମାଲ୍, ଦରିଆ ମେଁ ଡାଲ୍’ ନୀତିରେ ରାଜକୋଷରୁ ବିପୁଳ ପାଣ୍ଠି ଖର୍ଚ୍ଚ ହେଲା । ମାତ୍ର ମୂଳ ଉଦ୍ଦେଶ୍ୟ ପୂରଣ ହେଲାନି । ଅଡିଟ୍ରୁ ମିଶନ ଏକରକମ ଫେଲ୍ ବୋଲି ଜଣାପଡ଼ିଛି ।
୨୦୧୮-୧୯ ଆର୍ଥିକ ବର୍ଷରୁ ରାଜ୍ୟରେ ଗ୍ରୀନ୍ ମହାନଦୀ ମିଶନ କାର୍ଯ୍ୟକାରୀ ହେଉଛି । ଏହି ମିଶନ ଜରିଆରେ ମହାନଦୀ ଓ ତାହାର ଶାଖାନଦୀ ଯଥା କାଠଯୋଡ଼ି, ବିରୂପା, ବିଲୁଆଖାଇ, କୁଆଖାଇ, କୁଶଭଦ୍ରା, ଦୟା, ଭାର୍ଗବୀ, ଦେବୀ, କନ୍ଦଳ, ଲୁଣା ଚିତ୍ରୋତ୍ପଳା ନଦୀର ତଟବର୍ତ୍ତୀ ଅଞ୍ଚଳରେ ଉଭୟ ପାଶ୍ୱର୍ରେ ଏକ କିଲୋମିଟର ଓସାରର ବନୀକରଣ କରାଯାଇଛି । ଏହି ମିଶନକୁ ପରବର୍ତ୍ତୀ ସମୟରେ ସରକାର ସମ୍ପ୍ରସାରଣ କଲେ । ୨୦୧୯-୨୦ ଆର୍ଥିକ ବର୍ଷଠାରୁ ଋଷିକୂଲ୍ୟା, ବ୍ରାହ୍ମଣୀ, ବୈତରଣୀ, ବଂଶଧାରା ଏବଂ ଏହାର ଶାଖାନଦୀର ଉଭୟ ପାଶ୍ୱର୍ରେ ଏକ କିମି ଓସାରର ବନୀକରଣ କରାଗଲା ।
ଗ୍ରୀନ୍ ମହାନଦୀ ମିଶନରେ ନଦୀ ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ମଧ୍ୟ ନିଜ ଜମି ଓ ଘରବାଡ଼ିରେ ଗଛ ଲଗାଇବାକୁ ମାଗଣାରେ ଚାରା ଯୋଗାଇ ଦିଆଗଲା । ହେଲେ କେତେ ଗଛ ରହିଲା, କେତେ ଉଜୁଡ଼ିଗଲା ତାହାର ହିସାବ କେହି ରଖିଲେନି । ରକ୍ଷଣାବେକ୍ଷଣ ପାଇଁ ବ୍ଲକ ଓ ଜିଲ୍ଲାସ୍ତରୀୟ କମିଟି ଗଠନ ହେଲା । ମାତ୍ର କମିଟି ତା ବାଟରେ, ଚାରା ରକ୍ଷଣାବେକ୍ଷଣ ତା ବାଟରେ ରହିଲା । ଏହି ଯୋଜନାରେ ନଦୀଗୁଡ଼ିକର ଶକ୍ତି ବୃଦ୍ଧି ସହ ମୃତ୍ତିକାକ୍ଷୟକୁ ରୋକାଯିବାକୁ ଲକ୍ଷ୍ୟ ରହିଥିଲା । ଏହି ଯୋଜନାରେ ପ୍ରାୟ ୨୯୭ କୋଟି ଟଙ୍କା ବ୍ୟୟ ସରିଲାଣି । ମାତ୍ର ମୂଳ ଲକ୍ଷ୍ୟଠୁ ଢେର ପଛରେ ମିଶନ । ସରକାରୀ ପାଣ୍ଠିରେ ଗତ ୬ବର୍ଷ ମଧ୍ୟରେ ୨୨ଟି ଜିଲ୍ଲାରେ ପ୍ରାୟ ୧ କୋଟି ୪୮ଲକ୍ଷ ଚାରା ରୋପଣ ହୋଇଛି । ନିଜ ଜମି ଓ ବାଡ଼ିରେ ଚାରା ରୋପଣ ପାଇଁ ସାଧାରଣ ଲୋକଙ୍କୁ ୨କୋଟି ୬୫ଲକ୍ଷରୁ ଅଧିକ ଚାରା ବଣ୍ଟାଯାଇଛି । ତେବେ ଲଗାଯାଇଥିବା ଚାରା ମଧ୍ୟରୁ ଶତକଡ଼ା ୭୦ଭାଗ ବଞ୍ଚିଥିବା ଜଙ୍ଗଲ ବିଭାଗ କହୁଛି । ମାତ୍ର ବାସ୍ତବରେ ୫୦%ରୁ କମ୍ ଚାରା ବଞ୍ଚିଛି । ୨୫ ହଜାର ହେକ୍ଟର ଜମିରେ ଚାରା ରୋପଣ କେବଳ ସରକାରୀ କାଗଜପତ୍ରରେ ।
ବିଭାଗୀୟ ସୂଚନା ଅନୁସାରେ, ଗ୍ରୀନ୍ ମହାନଦୀ ମିଶନରେ ଅନୁଗୁଳ ଡିଭିଜନରେ ପାଖାପାଖି ୪ଲକ୍ଷ ରୋପଣ ସହ ୧୧.୬୩ ଲକ୍ଷ ଚାରା ମାଗଣାରେ ବଣ୍ଟନ ହୋଇଥିଲା । ସେହିଭଳି କଟକ ଡିଭିଜନରେ ୭ଲକ୍ଷ ଗଛ ଲାଗିଥିଲା, ପ୍ରାୟ ୩୨ଲକ୍ଷ ଚାରା ବଣ୍ଟନ ହୋଇଛି । ଗଞ୍ଜାମ ଡିଭିଜନରେ ୪.୧୬ ଲକ୍ଷ ରୋପଣ ଓ ୧୩.୯୩ ଲକ୍ଷ ବଣ୍ଟନ ହୋଇଥିଲା । କଳାହାଣ୍ଡିରେ ଯଥାକ୍ରମେ ୨୦.୫୫ ଲକ୍ଷ ଓ ୧୪.୧ ଲକ୍ଷ, କେନ୍ଦୁଝରରେ ୫.୩୩ଲକ୍ଷ ଏବଂ ୩.୮ଲକ୍ଷ, ଖୋର୍ଦ୍ଧାରେ ୭.୫୬ଲକ୍ଷ ଏବଂ ୨୦.୧୫ଲକ୍ଷ, ନୟାଗଡ଼ରେ ୬.୨୬ ଏବଂ ୧୯.୧୪ଲକ୍ଷ ଚାରା ରୋପଣ ସହ ବଣ୍ଟନ ହୋଇଥିଲା । ଏହାସହ ପୁରୀ, ରାୟଗଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଡିଭିଜନରେ ମଧ୍ୟ ଚାରା ରୋପଣ ସହ ଲୋକଙ୍କୁ ଚାରା ବଣ୍ଟନ ହୋଇଥିଲା । ପରିବେଶର ସୁରକ୍ଷା ସହ ଜଳସ୍ତର ବୃଦ୍ଧି ଏବଂ ମହାନଦୀ ଅବବାହିକାରେ ରହୁଥିବା ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଲାଗି ରାଜ୍ୟ ସରକାର ଏହି ମିଶନ କାର୍ଯ୍ୟକାରୀ କରିଥିଲେ । ମାତ୍ର ମିଶନ ପ୍ରତି ଯେତିକି ଆନ୍ତରିକତା ପ୍ରକାଶ ପାଇବା କଥା ପାଇଲାନି । ଚଳିତ ଆର୍ଥିକ ବର୍ଷ ଯାଏଁ ରକ୍ଷଣାବେକ୍ଷଣ ପାଇଁ ପାଣ୍ଠି ମଞ୍ଜୁର ହୋଇଛି । ମାତ୍ର ମିଶନ କେବଳ ମିଛ ପରିସଂଖ୍ୟାନରେ ଚାଲିଛି । ଏହାକୁ ନେଇ ପରିବେଶବିତ୍ ଓ ଜଙ୍ଗଲପ୍ରେମୀ ଆପତ୍ତି ଦର୍ଶାଇଛନ୍ତି ।
ଏହି ଖବରଟିକୁ ପଢନ୍ତୁ-"ଶ୍ରମିକ ସାଥୀ ମୋବାଇଲ୍ ଆପ୍'ର ଶୁଭାରମ୍ଭ