ପ୍ରମୂଖ ଖବର
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ଫାଙ୍କା ପଡ଼ିଛି ଶକ୍ତି ସମୀକ୍ଷକ ପଦବି, ୧୨ ବର୍ଷ ହେଲା ବିନା ହିସାବରେ ଟଙ୍କା ଗଣୁଛି ବିଏମ୍‌ସି

Published By : Prameya | May 3, 2025 12:33 PM

ଭୁବନେଶ୍ୱର, ୦୩/୦୫ : ବିଏମ୍‌ସି କେତେ ବିଜୁଳି ଜାଳୁଛି। କେତେ ଆଲୁଅ ଜଳୁଛି । କେତେ ବିଲ୍‌ ଆସୁଛି ତାର ହିସାବ ନାହିଁ । ଚାଲିଛି ବେହିସାବ କାରବାର । ବିଜୁଳି କିଣାରେ ଚାଲିଛି ଆଖିବୁଜା କାରବାର । ଏହି ସବୁ ହିସାବ ରଖିବାକୁ ଯେଉଁ ଶକ୍ତି ସମୀକ୍ଷକ (ଏନର୍ଜି ଅଡିଟର) ପଦବି ଥିଲା ତାକୁ ଜାଣିଶୁଣି ୧୨ ବର୍ଷ ହେଲା ବିଏମ୍‌ସି ଫାଙ୍କା ପକାଇଛି । ଫଳରେ ବିଦ୍ୟୁତ୍‌ ଚୋରି ଏବଂ ଲାଇଟ୍‌ କିଣାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । 

ପୋଖରୀପୁଟ ମଧୁସୂଦନ ପାର୍କ ନିକଟରେ ଲାଇଟ ଜଳୁନି । ଫାଳେ ଅନ୍ଧାର, ଫାଳେ ଆଲୁଅ । ଏଲ୍‌ଆଇସି ମୁଖ୍ୟ ଅଫିସ୍‌ ନିକଟରୁ ଜେଇଇ ଅଫିସ୍‌ ପର୍ଯ୍ୟନ୍ତ ଷ୍ଟ୍ରିଟ୍‌ ଲାଇଟ ଖରାପ । ନିୟୁ ଏୟାରପୋର୍ଟ ରାସ୍ତା ହାଇମାସ୍କ ଲାଇଟ୍‌ ଦୀର୍ଘଦିନ ହେଲା ଜଳୁନି । କେତେବେଳେ ଫାଳେ ରାଜଧାନୀରେ ଷ୍ଟ୍ରିଟ୍ ଲାଇଟ ଜଳୁଛି ତ ଆଉ କେତେବେଳେ ଫାଳେ ଅନ୍ଧାର । ବିଏମସି ପ୍ରତିଦିନ କେତେ ବିଜୁଳି ଖର୍ଚ୍ଚ କରୁଛି ତାର ହିସାବ ନାହିଁ । ବିନା ଶକ୍ତି ସମୀକ୍ଷକରେ ବିଏମ୍‌ସିର ହିସାବ କିତାବ ଚାଲିଛି । ବିଲ ବାବଦକୁ କୋଟି କୋଟି ଟଙ୍କା ଘରୋଇ କମ୍ପାନି ହାତରେ ଟେକି ଦେଉଛନ୍ତି । ବିଏମ୍‌ସି ପକ୍ଷରୁ ୬୭ଟି ୱାର୍ଡ ସମେତ ସବୁ ମୁଖ୍ୟ ରାସ୍ତା ଏବଂ ଶାଖା ରାସ୍ତାରେ ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିଛି। ଏହି ସବୁ ଷ୍ଟ୍ରିଟ୍‌ଲାଇଟ୍‌ ପାଇଁ ମାସିକ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଏ ବାବଦକୁ ଖର୍ଚ୍ଚ ହେଉଥିବା ଟଙ୍କାର ହିସାବ ନାହିଁ । 

ନିୟମ ଅନୁସାରେ ବିଏମ୍‌ସିରେ ଜଣେ ଶକ୍ତି ସମୀକ୍ଷକ ନିଯୁକ୍ତ ହେବା କଥା । ଏହି ଶକ୍ତି ସମୀକ୍ଷକ ଉନ୍ନତ ଆଲୋକୀକରଣ ବ୍ୟବସ୍ଥାର ମୁଖ୍ୟ ପରିଚାଳକ ଏବଂ ହିସାବ ରକ୍ଷକ । ହିସାବ ହେବା ପରେ ବିଲ୍‌ କରିବା କଥା । କିନ୍ତୁ ୨୦୧୩ ମସିହାରୁ ବିଏମ୍‌ସିରେ ଶକ୍ତି ସମୀକ୍ଷକ ପଦବି ଫାଙ୍କା ପଡିଛି । ଫଳରେ ୧୨ ବର୍ଷ ହେଲାଣି ବିଭିନ୍ନ ଘରୋଇ କମ୍ପାନିକୁ ବିନା ହିସାବରେ କୋଟି କୋଟି ଟଙ୍କା ବିଏମ୍‌ସି ଗଣୁଛି । ଖାଲି ଏତିକି ନୁହେଁ, ନିମ୍ନମାନର ଏଲ୍‌ଇଡି ଲାଇଟ୍‌ ଏବଂ ଯନ୍ତ୍ରାଂଶ ବ୍ୟବହାର ଯୋଗୁଁ ଷ୍ଟ୍ରିଟ୍‌ ଲାଇଟ୍‌ ଅନେକବାର ଖରାପ ହେଉଛି । ଫଳରେ ବାରମ୍ବାର ସହର ଅନ୍ଧାର ରହୁଛି । ବିଦ୍ୟୁତ ଲାଇଟ ଯନ୍ତ୍ରାଂଶର ମାନ ନିର୍ଦ୍ଧାରଣ ପାଇଁ ପ୍ରତି ୬ ମାସ ବ୍ୟବଧାନରେ ଖୁଣ୍ଟରେ ଲାଗିଥିବା ଲାଇଟ୍‌ ଗୁଡିକୁ ଖୋଲି ଏହାର ଯାଞ୍ଚ କରିବାର ହେବାର ଆବଶ୍ୟକତା ରହିଛି । ଟେଣ୍ଡର ନେଇଥିବା କମ୍ପାନି ଲକ୍ସ ଲେବଲ ମେଜରମେଣ୍ଟ (ଏଲ୍‌ଏଲ୍‌ଆଇ) ପରୀକ୍ଷା ଶକ୍ତି ସମୀକ୍ଷକଙ୍କ ଉପସ୍ଥିତିରେ କରିବା କଥା । କିନ୍ତୁ ଏହା କରାଯାଉନି । ବିଏମ୍‌ସି ପକ୍ଷରୁ ଶକ୍ତି ସମୀକ୍ଷକ ନିଯୁକ୍ତି ନ ହେବାରୁ ଏହା ଠିକା ନେଇଥିବା କମ୍ପାନୀକୁ ସୁହାଉଛି । ବିନା ହିସାବରେ ବିଏମ୍‌ସି କୋଟି କୋଟି ଟଙ୍କା ଗଣୁଥିଲେ ମଧ୍ୟ ଲୋକେ ଉନ୍ନତ ମାନର ଆଲୋକ ପାଇ ପାରୁ ନାହାନ୍ତି । ବିଏମ୍‌ସି ପକ୍ଷରୁ ହୋଇଥିବା ଚୁକ୍ତିରେ ଉଲ୍ଲେଖ ଅଛି ଯେ ଯଦି ଠିକାସଂସ୍ଥା ନିର୍ଦ୍ଧିଷ୍ଟ ପରିମାଣରୁ ଅଧିକ ବିଲ୍‌ କରେ ତେବେ ବିଏମ୍‌ସିକୁ ଜରିମାନା ଦେବ । ଶକ୍ତି ସମୀକ୍ଷକ ନଥିବାରୁ ଏହାର ମଧ୍ୟ ହିସାବ ହୋଇ ପାରୁନି । 

ନିୟମ ଅନୁସାରେ ଲାଇଟ୍‌ ଖରାପ ହେବାର ୪୮ ଘଣ୍ଟା ମଧ୍ୟରେ ଯଦି ଠିକାସଂସ୍ଥା ଲାଇଟ୍‌ ମରାମତି ନ କରେ ତେବେ କମ୍ପାନୀ ଉପରେ ଜରିମାନା କରିବାର ପ୍ରାବଧାନ ରହିଛି । ମାତ୍ର ତାହା ମଧ୍ୟ କରାଯାଉନି । କିଛି କିଛି ସ୍ଥାନରେ ଅଭିଯୋଗର ୧୦ରୁ ୧୫ ଦିନ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରୁନି । ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତଥାପି କମ୍ପାନୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି । ଏନେଇ ବିଏମ୍‌ସିର କିଛି କର୍ପୋରେଟର ପ୍ରଶ୍ନ ଉଠାଇଛନ୍ତି । ଅଭିଯୋଗ କରିଛନ୍ତି ଯେ ତୁରନ୍ତ ଏନର୍ଜି ଅଡିଟର ନିଯୁକ୍ତି ହେଉ । ଏହାସହ ୧୨ ବର୍ଷ ଟଙ୍କାର ପୁଣି ହିସାବ କରାଯାଉ । ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବାରମ୍ବାର ଟେଣ୍ଡର ଡକା ହୋଇଛି । ହେଲେ ସିଙ୍ଗଲ ବିଡ୍‌ ଟେଣ୍ଡର ଯୋଗୁଁ ଏହାକୁ ବାତିଲ କରାଯାଇଛି । ଖୁବ୍‌ ଶୀଘ୍ର ଶକ୍ତି ସମୀକ୍ଷକ ନିଯୁକ୍ତ କରାଯିବ ।

ଏହି ଖବରଟିକୁ ପଢନ୍ତୁ-କଟକ ସହର ଭିତରକୁ ଦୌଡ଼ିବ ମେଟ୍ରୋ, ଖୁବଶୀଘ୍ର ଆସିବ ନୂଆ ଡିପିଆର୍‌

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.