ଭୁବନେଶ୍ବର,୦୩/୦୫: ଦୀଘା ମନ୍ଦିରକୁ ନେଇ ଛିଡୁନି ବିବାଦ। ଆଉ ଏହାରି ମଧ୍ୟରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ମହାପ୍ରଭୁଙ୍କ ଧାମ ସହ ଅନ୍ୟ ମନ୍ଦିରର ତୁଳନା ଅଗ୍ରହଣୀୟ। ଦାରୁ ବ୍ୟବହାର ନେଇ ତଦନ୍ତ ହେବ । ମନ୍ଦ ଉଦ୍ଦେଶ୍ୟ ଥିବା ଲୋକଙ୍କୁ ଦଣ୍ଡ ମିଳିବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ଘଟଣାକୁ ନେଇ ଆଲୋଚନା ହେଉଛି। ସେ ସବୁ ସତ କି ମିଛ, ତାହା ତଦନ୍ତ ସରିବା ପରେ ଜଣାପଡ଼ିବ । ଜଗନ୍ନାଥଙ୍କ ଦାରୁର ବଳକା କାଠରେ ମୂର୍ତ୍ତୀ ତିଆରି କରି ବାହାରକୁ ନେବା । ଏ ସବୁ ବାବଦରେ ଚର୍ଚ୍ଚା ଆଲୋଚନା ହେଉଛି । ତେବେ କିଏ କେଉଁ ମନ୍ଦିରକୁ ଗଲେ ତାହା ଅପରାଧ ନୁହେଁ । କିନ୍ତୁ ଠାକୁରଙ୍କ ବଳକା କାଠକୁ କେଉଁଠି ନେଇ ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ । ମହାପ୍ରଭୁ ଜଗନ୍ନାଥଙ୍କ ଧାମ ସହ ବିଶ୍ଵର କୌଣସି ଜଗନ୍ନାଥ ମନ୍ଦିରକୁ ତୁଳନା କରିବା ଆପ୍ରସଙ୍ଗିକ ଏବଂ ଅଗ୍ରହଣୀୟ । ତେଣୁ ଏହି ସବୁ ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଛି । ଯଦି ଏଥିରେ କାହାର ମନ୍ଦ ଉଦ୍ଦେଶ୍ୟ ଅଛି, ସେହି ମନ୍ଦ ଉଦ୍ଦେଶ୍ୟ ଥିବା ଲୋକଙ୍କ ଉପରେ ଦଣ୍ଡ ବିଧାନ କରାଯିବ ।
ଏ ବାବଦରେ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେବ । ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ଲେଖା ଯିବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅସନ୍ତୋଷ ବାବଦରେ ଜଣାନ୍ତୁ । କାରଣ ଚାରି ଧାମ ମଧ୍ୟରୁ ଜଗନ୍ନାଥଙ୍କ ପୁରୀ ଧାମ ଗୋଟିଏ । ତେଣୁ ଅନ୍ୟ କେଉଁଠି ମନ୍ଦିର ତିଆରି କରାଯାଇପାରେ, କିନ୍ତୁ ଧାମର ଆଖ୍ୟା ଦିଆଯାଇପାରିବ ନାହିଁ । ସବୁ ଧର୍ମର ଲୋକ ଦୀଘା ମନ୍ଦିରରେ ଯାଇ ପୂଜାର୍ଚ୍ଚନା କରିବା ନେଇ ମଧ୍ୟ ବ୍ୟକ୍ତିଗତ ଭାବେ ଆପତ୍ତି ଥିବା ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।