ନୂଆଦିଲ୍ଲୀ, ୦୯/୦୭ : ଜଳବାୟୁ ଚକ୍ରରେ ତୀବ୍ର ପରିବର୍ତ୍ତନ। ଆଣ୍ଟାର୍କଟିକାରେ ଦ୍ରୁତ ଗତିରେ ତରଳୁଛି ବରଫ। ସମୁଦ୍ର ତଳୁ ଉପରକୁ ଉଠୁଛି ଲୁଣିଅଂଶ। ସମୁଦ୍ରର ବରଫ ତିଆରି କ୍ଷମତା ଉପରେ ପଡ଼ୁଛି ଓଲଟା ପ୍ରଭାବ। ୨୦୧୫ ପରଠାରୁ ତରଳିଗଲାଣି ଗ୍ରିନଲ୍ୟାଣ୍ଡ୍ ଆକାରର ବରଫ। ଯାହା ଗତ ଦଶନ୍ଧିର ସବୁଠାରୁ ବଡ଼ ପରିବେଶଗତ ପରିବର୍ତ୍ତନ। ସଦ୍ୟ ଅଧ୍ୟୟନରୁ ଆସିଲା ଚିନ୍ତାଜନକ ରିପୋର୍ଟ। ଅଧିକ ଲୁଣିଆ ହୋଇଗଲାଣି ଆଣ୍ଟାର୍କଟିକା। ଡ଼ାକି ଆଣିବ ବଡ଼ ବିପଦ। ବିଶ୍ଵ ଉଷ୍ମତାକୁ କରିବ ତ୍ଵରାନ୍ଵିତ, ବଢିବ ଝଡ଼ ସଂଖ୍ୟା, ବଢିବ ସମୁଦ୍ର ଜଳସ୍ତର।
ସାଧାରଣତଃ, ସମୁଦ୍ର ପୃଷ୍ଠରେ ଥଣ୍ଡା ମଧୁର ଜଳ ଥାଏ ଏବଂ ତଳେ ଉଷ୍ମ ଲୁଣିଆ ପାଣି ରହିଥାଏ। ଏହି ସ୍ତରୀକରଣ ସମୁଦ୍ର ଗର୍ଭରେ ତାପକୁ ଫସାଇ ରଖେ। ପୃଷ୍ଠ ଜଳକୁ ଥଣ୍ଡା ରଖି ସମୁଦ୍ର ବରଫ ଗଠନ କରିବାରେ ସାହାଯ୍ୟ କରେ। ଲୁଣିଆ ପାଣି ଅଧିକ ସଘନ ହୋଇଥିବାରୁ ତାହା ଭାରୀ ହୋଇଥାଏ। ତେଣୁ ଯେତେବେଳେ ପୃଷ୍ଠ ଜଳ ଅଧିକ ଲୁଣିଆ ହୁଏ, ତାହା ସହଜରେ ବୁଡ଼ିଯାଏ ଏବଂ ଗଭୀର ସମୁଦ୍ରର ତାପମାତ୍ରା ବଢାଇଦିଏ। ସମୁଦ୍ର ବରଫ ଏକ ବିଶାଳ ଦର୍ପଣ ପରି ସୂର୍ଯ୍ୟକିରଣକୁ ପ୍ରତିଫଳିତ କରିଥାଏ। ହେଲେ ବରଫ ତରଳିଗଲେ ଅଧିକ ସୌରଶକ୍ତି ପୃଥିବୀରେ ରହିଯାଏ। ଯାହା ବିଶ୍ଵ ଉଷ୍ମତାକୁ ତ୍ଵରାନ୍ଵିତ କରେ, ଝଡ଼କୁ ତୀବ୍ର କରେ ଏବଂ ବିଶ୍ଵବ୍ୟାପୀ ଉପକୂଳବର୍ତ୍ତୀ ସହରଗୁଡ଼ିକରେ ସମୁଦ୍ର ସ୍ତର ବୃଦ୍ଧି କରେ।
ବରଫ ତରଳିଲେ ସମୁଦ୍ର ସତେଜ ହୁଏ। ହେଲେ ଆଣ୍ଟାର୍କଟିକାରେ ବରଫ ତରଳି ଏହାର ବିପରୀତ ଦିଗରେ କାର୍ଯ୍ୟ କରୁଛି। ବରଫ ତରଳିବା ସମୟରେ ସମୁଦ୍ରରେ ଗଚ୍ଛିତ ଅଧିକ ତାପ ବାୟୁମଣ୍ଡଳକୁ ଯାଉଛି। ଯାହା ବିଶ୍ଵ ଉଷ୍ମତାକୁ ତ୍ଵରାନ୍ଵିତ କରିବା ସହ ଝଡ଼ ସଂଖ୍ୟା ଓ ତୀବ୍ରତା ବୃଦ୍ଧି କରୁଛି। ଏହା ସ୍ଥଳଭାଗରେ ଉଷ୍ମଲହରି ଆଣୁଛି। ଆଣ୍ଟାର୍କଟିକାର ବରଫ ଚାଦରକୁ ଆହୁରି ତରଳାଇ ବିଶ୍ଵ ସ୍ତରରେ ସମୁଦ୍ର ସ୍ତରକୁ ବୃଦ୍ଧି କରୁଛି।