ଢେଙ୍କାନାଳ,୧୯।୧ : ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ତହସିଲ ଅନ୍ତର୍ଗତ କାରନ୍ଦା ମୌଜାରେ ଚାଲିଥିବା ବେଆଇନ କଳା ମୁଗୁନି ପଥର ଖଦାନରେ ଚଢ଼ାଉ । ଖଣି ବିଭାଗ ଓ ହିନ୍ଦୋଳ ତହସିଲଦାର ମିଳିତ ଭାବେ ସ୍ଥାନୀୟ ରାସୋଳ ପୁଲିସ ସହାୟତାରେ ଏହି ଚଢ଼ାଉ କରିଛନ୍ତି। ଏହି ଚଢ଼ାଉରେ ବେଆଇନ ଭାବେ ଖନନ ଓ ପରିବହନ କାର୍ଯ୍ୟରେ ନିୟୋଜିତ ଥିବା ୪ଟି ଟିପ୍ପର, ଗୋଟିଏ ହାଇଓ୍ବା, ଜେସିବି, ୩ଟି ପ୍ରୋକଲିନ ମେସିନ ଆଦିକୁ ଜବତ କରାଯାଇଛି। ଏଥିସହ ବେଆଇନ ଖନନ କରିବା ଅଭିଯୋଗରେ ୧୩ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ପ୍ରୋକଲିନ ଓ ଜେସିବି ମେସିନ ଅପରେଟର, ଡ୍ରାଇଭର ଆଦି ରହିଛନ୍ତି।
ଦୀର୍ଘ ଦିନ ହେଲା ବେଆଇନ ଭାବେ ଖନନ କରାଯାଇ ଟ୍ରକ ଟ୍ରକ କଳା ମୁଗୁନି ପଥର ଚୋରା ଚାଲାଣ କରାଯାଉଥିଲା । ବିଶେଷ ସୂତ୍ରରୁ ଖବର ପାଇଁ ଆଜି ସକାଳେ ଏହି ଚଢ଼ାଉ କରାଯାଇଛି। ଜବତ ଗାଡି ଓ ଲୋକଙ୍କୁ ରାସୋଳ ଥାନା ଜିମା ଦିଆଯାଇଛି।ଏ ସମ୍ପର୍କରେ ଖଣି ବିଭାଗ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। କାରନ୍ଦା ଗ୍ରାମର ଜଣେ ଲୋକ ଏହି ବେଆଇନ ଖନନ କରୁଥିଲା। ଏହି ଚଢ଼ାଉ ପରେ ସେ ଫେରାର ହୋଇଯାଇଥିବା ଚଢ଼ାଉ କରିଥବା ମାଇନ୍ସ ଅଫିସର ପ୍ରକାଶ କରିଛନ୍ତି।