କାମାକ୍ଷାନଗର,୧୫।୧ : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ମକୁଆକାଟେଣୀ ଗାଁ ଜୁଆଙ୍ଗ ସାହି ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ ମାଇନ୍ସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ କଙ୍କଡ଼ାହାଡ଼ ଥାନା ଖଜୁରିଆ ଗାଁର ବୁବୁନା ବାରିକ। ଗୁରୁତର ଜଣଙ୍କ ସେହି ଗାଁର ଭୁବନା ମହାନ୍ତ।
ବୁବୁନା ନିଜ ବାଇକ ଯୋଗେ ତାଳଚେର ଭୁବନେଶ୍ୱରୀ ମାଇନ୍ସରୁ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ମକୁଆକାଟେଣୀ ଗାଁ ଜୁଆଙ୍ଗ ସାହି ନିକଟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ବୁବୁନାଙ୍କର ମୃତ୍ୟୁ ହୋଇଥିବା ବେଳେ ଭୁବନା ମହାନ୍ତ ଗୁରୁତର ହୋଇଥିଲେ। ଭୁବନାଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏ ନେଇ ଖବର ପାଇବା ପରେ କଙ୍କଡ଼ାହାଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି।