ନୂଆଦିଲ୍ଲୀ, ୧୭/୦୧:ଅଧ ରାତିରେ ଦିଲ୍ଲୀ ଏମ୍ସ ଗସ୍ତ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଏହି ଗସ୍ତ ସମୟରେ ସେ ହସ୍ପିଟାଲ ଆଖପାଖ ଥିବା ସଡ଼କ, ଫୁଟପାଥରେ ଶୋଇଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ସହିତ ଆଲୋଚନା କରିଥିଲେ । ତେବେ ରାଜଧାନୀ ଦିଲ୍ଲୀର ଏତେ ବଡ଼ ଡ଼ାକ୍ତରଖାନାରେ ଅବ୍ୟବସ୍ଥାକୁ ଦେଖି ଅସନ୍ତୋଷ ପ୍ରକାଶ କରିବା ସହ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ ।
ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ କଂଗ୍ରେସ ପାର୍ଟିର ସୋସିଆଲ ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି। କଂଗ୍ରେସ ପକ୍ଷରୁ ଭିଡ଼ିଓ ଓ ଫଟୋ ସେୟାର କରି କ୍ୟାପସନରେ ଲେଖାଯାଇଛି, ଚିକିତ୍ସା ପାଇଁ ମାସ ମାସ ଧରି ଅପେକ୍ଷା , ଚିକିତ୍ସାରେ ଅବହେଳା ଓ ସରକାରଙ୍କ ଅସମ୍ବେଦନଶୀଳ ହେଉଛି ଦିଲ୍ଲୀ ଏମ୍ସର ସତ । କଂଗ୍ରେସ ଆହୁରି ମଧ୍ୟ କହିଛି ଯେ, ଶହ ଶହ କିଲୋମିଟର ଦୂରରୁ ଆସୁଥିବା ରୋଗୀ ଏବଂ ତାଙ୍କ ପରିବାର ବର୍ଗ ଭୀଷଣ ଥଣ୍ଡାରେ ଫୁଟପାଥ୍ ରେ ଶୋଇବାକୁ ବାଧ୍ୟ ହେଉଛନ୍ତି । କେନ୍ଦ୍ର ଏବଂ ଦିଲ୍ଲୀ ସରକାର ରୋଗୀଙ୍କ ସମସ୍ୟା ବୁଝିବା ବଦଳରେ ସେମାନଙ୍କୁ ଅସହାୟ ଅବସ୍ଥାରେ ଛାଡ଼ି ଦେଉଛନ୍ତି । କେବଳ ଏତିକି ନୁହେଁ ରୋଗୀ ଏବଂ ରୋଗୀ ସମ୍ପର୍କୀୟଙ୍କ ସହିତ ରାହୁଲ ଗାନ୍ଧି ଆଲୋଚନା କରିଛନ୍ତି । ତେବେ ପୋଷ୍ଟ ହୋଇଥିବା ଭିଡି଼ଓରେ ରାହୁଲ ଗାନ୍ଧୀଙ୍କୁ ରୋଗୀ ଓ ତାଙ୍କ ପରିଜନଙ୍କ ସହିତ କଥାବାର୍ତ୍ତା ହେବାର ଦେଖିବାକୁ ମିଳିଛି। ଆଗକୁ ରାଜଧାନୀ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଭଳି ସମୟରେ ରାହୁଲ ଗାନ୍ଧିଙ୍କ ଦିଲ୍ଲୀ ଏମ୍ସ ଗସ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।