ନୂଆଦିଲ୍ଲୀ: ବୁଧବାର ଦିଲ୍ଲୀ ବିଧାନସଭା ନିର୍ବାଚନ। ଯାହାକୁ ନେଇ କେବଳ ଦିଲ୍ଲୀ ନୁହଁ ସମଗ୍ର ଦେଶରେ ରାଜନୈତିକ ପରିବେଶ ଉଷ୍ମ ରହିଛି । ହେଲେ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଏକ ନୂଆ ବିବାଦରେ ଛନ୍ଦି ହୋଇପଡିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶି ମାରଲେନା ସିଂ। ତାଙ୍କ ଅଫିସରେ କାମ କରୁଥିବା ଜଣେ କର୍ମଚାରୀଙ୍କ ନିକଟରୁ ପୋଲିସ ୫ ଲକ୍ଷ ଟଙ୍କା ଜବତ କରିଛି। ତେବେ ଆପ୍ ଏହି ଆରୋପକୁ ଖଣ୍ଡନ କରିବା ସହ ଏହି ଅଭିଯୋଗକୁ ଭିତ୍ତିହିନ ବୋଲି କହିଛି।
ସୂଚନା ମୁତାବକ, ମଙ୍ଗଳବାର ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀ ଅତୀଶିଙ୍କ ଅଫିସରେ କାମ କରୁଥିବା ଜଣେ କର୍ମଚାରୀଙ୍କ ନିକଟରୁ ୫ ଲକ୍ଷ ଟଙ୍କା ଜବତ କରିଛି। ଏହି କର୍ମଚାରୀଙ୍କ ନାମ ଗୌରବ ହୋଇଥିବା ବେଳେ ସେ ଦିଲ୍ଲୀ ସରକାର ଅଧିନରେ ଏମଟିଏସ୍(ମଲ୍ଟି-ଟାସ୍କିଙ୍ଗ ଡିପାର୍ଟମେଣ୍ଟ) ଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଜାରି ହୋଇଥିବା ଏକ ଭିଡିଓରେ ଗୌରବଙ୍କୁ ଏକ ବ୍ୟାଗଭର୍ତ୍ତୀ ଟଙ୍କା ସହ ଅଟକ ରଖାଯାଇଥିବା ଦେଖିବାକୁ ମିଳିଛି।
ଫରିଦାବାଦରେ ବସବାସ କରୁଥିବା ଗୌରବଙ୍କୁ ପୋଲିସ ଟଙ୍କା ବିଷୟରେ ପଚାରିବାରୁ ଏହା ତାଙ୍କର ବ୍ୟକ୍ତିଗତ ଟଙ୍କା ହୋଇଥିବା ବୋଲି ପୋଲିସକୁ ସୂଚନା ପ୍ରଦାନ କରିଛନ୍ତି। “ଏକ ଘର ବିକ୍ରି କରି ନୂଆ ଘର କିଣିବା ପାଇଁ ମୁଁ ଏହି ଟଙ୍କା ନେଇ ଯାଉଛି। ଯଦି ଆପଣଙ୍କୁ ପ୍ରମାଣ ଦରକାର ତେବେ ତାହା ମଧ୍ୟ ମୁଁ ଦେଇପାରିବି” ବୋଲି ସେ ପୋଲିସଙ୍କୁ କହିଛନ୍ତି।
ନିର୍ବାଚନ ପାଇଁ ଦିଲ୍ଲୀରେ କଡାକଡି ଚେକିଂ କରାଯାଉଥିବା ବେଳେ ଗୈରବ ନିଜ ଡ୍ରାଇଭର ସହ କାରରେ 5 ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ପୋଲିସ ହାତରେ ଧରା ପଡିଛନ୍ତି। ପୋଲିସ ତାଙ୍କ ସହ ତାଙ୍କ ଡ୍ରାଇଭରଙ୍କୁ ନିଜ ହେପାଜତକୁ ନେବା ସହ ଏହି ଘଟଣା ଉପରେ ଛାନବିନ ଜାରି ରଖିଛି ବୋଲି ସୂଚନା ପ୍ରଦାନ କରିଛି।