ଭୁବନେଶ୍ୱର,୨୩/୧(ମନୋରଞ୍ଜନ ମହାନ୍ତି): ବୁଧବାର ରାତି ଗୋଟାଏ। ପ୍ରବଳ ଜାଡ଼ । କ୍ୟାପିଟାଲ୍ ହସ୍ପିଟାଲ୍ ଜରୁରି ସେବା କେନ୍ଦ୍ର ବାହାର ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ତଳେ ଲୋକ ରୁଣ୍ଡ ହୋଇଥାନ୍ତି । ମନକୁ ଅନେକ କଥା ଆସିବା ପୂର୍ବରୁ ହଠତ୍ ଶୁଭିଲା ‘ଜୟ ଜଗନ୍ନାଥ, ରସଗୋଲା ଆମର, ଟଙ୍କିକିଆ ଚା’, ବିସ୍କୁଟ୍ ଆପଣଙ୍କର’ । ଭିଡ଼ ଆଡ଼େଇ ଦେଖିଲାବେଳକୁ ଜୋତା, ଜିନ୍, କୋଟ୍ ସାଙ୍ଗକୁ ମୁଣ୍ଡରେ ପଗଡ଼ି ଭିଡ଼ା ଜଣେ ଯୁବକ । ଧଳା ସ୍କୁଟି ଉପରେ ଚା’ କେଟିଲ୍ ଆଉ ବ୍ୟାଗ୍ ଭିତରେ ବିସ୍କୁଟ୍ । ସ୍କୁଟି ପଛରେ ନାଲି ରଙ୍ଗରେ ଆର୍ଏସ୍-୧, ଚା’ କପ୍ ସାଙ୍ଗକୁ ବିସ୍କୁଟ୍ ଚିତ୍ର । ଯୁବକ ଜଣକ ‘ଜୟ ଜଗନ୍ନାଥ’ କହି ସମସ୍ତଙ୍କଠୁ ଟଙ୍କାଟିଏ ନେଉଥାନ୍ତି, କେଟିଲ୍ରୁ ଚା’ ଢ଼ାଳି ଲୋକଙ୍କ ହାତକୁ ବଢ଼ାଉଥାନ୍ତି । ବିସ୍କୁଟ୍ ପ୍ୟାକେଟ୍ ଖୋଲି ବିସ୍କୁଟ୍ ଦେଉଥାନ୍ତି । ଚାହୁଁ ଚାହୁଁ ୫୦ କପ୍ରୁ ଅଧିକ ଚା’ ଆଉ କିଛ ବିସ୍କୁଟ୍ ସରିଗଲା । ବ୍ୟାଗ୍, କେଟିଲ୍ ଧରି ଯୁବକ ଜଣକ ସେଠୁ ବାହାରିଗଲେ । ସେ ଗଲା ପରେ ଲୋକଙ୍କୁ ପଚାରି ଜାଣିଲୁ, ସେ ନିତି ରାତିରେ ଆସି ଚା’, ବିସ୍କୁଟ୍ ଖୁଆନ୍ତି । ଶୀତବସ୍ତ୍ର, ମଶାଧୂପ ଦେଇ ସୁଖଦୁଃଖ ହୋଇ ଚାଲିଯାଆନ୍ତି । ଦୁଇ/ତିନି ଦିନ ପରେ ଭେଟ ହେବା ପରେ ସେ କହିଲେ ତାଙ୍କ କାହାଣୀ । ‘ମାନବ ସେବା ହିଁ ମାଧବ ସେବା’ । ଏହାକୁ ବୁଝିଥିବା ଜଣେ ପ୍ରେରଣାଦାୟୀ ଯୁବ ଉଦ୍ୟୋଗୀ ହେଉଛନ୍ତି ପ୍ରିୟରଞ୍ଜନ ସାମଲ ଓରଫ୍ ପ୍ରେମ । ଦୀର୍ଘ ୧୦ ବର୍ଷ ହେଲା ସେ ଏମିତି ପ୍ରେମ ବାଣ୍ଟି ଚାଲିଛନ୍ତି ।
କେନ୍ଦ୍ରାପଡ଼ା ଆଳି ଗୋବିନ୍ଦପୁରର ପବିତ୍ର ସାମଲ ଓ ତନୁଜା ସାମଲଙ୍କ ଏକମାତ୍ର ସନ୍ତାନ ପ୍ରେମ । ବୟସ ୩୧ । ବାହା ହୋଇନାହାନ୍ତି । ବହୁତ ଗେହ୍ଲା କିନ୍ତୁ ଜୀବନ ସଂଘର୍ଷମୟ । ଗାଁରୁ ପାଠ ସାରି ୨୦୦୯ ମସିହାରେ ଭୁବନେଶ୍ୱର ଆସନ୍ତି । ୨୦୧୨ରେ ଇଞ୍ଜିନିୟରିଂରେ ଡିପ୍ଲୋମା କରନ୍ତି । ଚାକିରି ଖୋଜି ନୟାନ୍ତ ହେବା ପରେ ଜଣେ ବ୍ୟକ୍ତି ତାଙ୍କୁ କ୍ୟାଟେରିଂ କାମ ପାଇଁ ଡାକି ନିଅନ୍ତି । ଖାଇପିଇ ୩୦୦/୪୦୦ ଟଙ୍କା । ଭଲ ଖାଦ୍ୟ ଓ ଟଙ୍କା ଦେଖି ଆଗ୍ରହ ବଢ଼େ । ତେବେ ୬ ମାସ ପରେ କୋରାପୁଟ ଚାଲିଯାଆନ୍ତି । ମହାପ୍ରଭୁଙ୍କ ଉପରେ ବିଶ୍ୱାସ ରଖୁଥିବାରୁ ଭାଗ୍ୟକୁ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରରେ ମୁର୍ଶିଦାବାଦର ଜଣେ ଫେରିବାଲା ସହ ଭେଟ ହୁଏ । ତାଙ୍କ ସହ ମିଶି ୨ ବର୍ଷ ଫେରି କରନ୍ତି । ଘରେ ଜାଣିଥାନ୍ତି ପୁଅ ଚାକିରି କରୁଛି । ହେଲେ ଯେତେବେଳେ ୨୦୧୪ରେ ଭୁବନେଶ୍ୱର ଫେରି ଝାରପଡ଼ା ଜଗନ୍ନାଥ ନଗରରେ ଛୋଟିଆ କପଡ଼ା ଦୋକାନ କରନ୍ତି, ସେତେବେଳେ ସବୁ ଜଣାପଡ଼ିଯାଏ । ଏବେ ସେହି ପାଖରେ ଦୋକାନର ସ୍ଥାନ ଓ ଆକାର ବଦଳିଛି କିନ୍ତୁ ବେପାର ତା’ ବାଟରେ ଆଉ ପ୍ରେମଙ୍କ ସେବା ତା’ ବାଟରେ ଚାଲିଛି । ସେ କହନ୍ତି, ‘ମୁଁ ଜଣେ ଭଲ ବିଜିନେସ୍ମ୍ୟାନ୍ ନୁହେଁ, ଭଲ ସେଲ୍ସମ୍ୟାନ୍’ । ୨୦୧୫ରୁ ପ୍ରେମଙ୍କ ମାନବ ସେବା ଆରମ୍ଭ ହୁଏ । ୨୦୧୬ ପର୍ଯ୍ୟନ୍ତ ଭୁବନେଶ୍ୱର ସାରା ଖରାରେ ବୁଲି ପାଣି ବାଣ୍ଟନ୍ତି । ଖରାଦିନ ସରିଯିବା ପରେ ଲୋକେ କହନ୍ତି, ଭାଇ କ’ଣ ଆଉ କିଛି ହେବନି । ଏହାପରେ ରାତିରେ ଚା’, ବିସ୍କୁଟ୍, ମଶାଧୂପ, ପେଟ୍ରୋଲ୍, ଡିଜେଲ୍, ଶୀତବସ୍ତ୍ର ସହ ଅସହାୟ, ନିରାଶ୍ରୟଙ୍କ ପାଇଁ ଯାହା ଦରକାର ତାକୁ ପ୍ରେମ୍ ଧରି ଠିକଣା ଜାଗାରେ ପହଞ୍ଚିଯାନ୍ତି ।
ପ୍ରତି ସୋମବାର ରାତିରେ ୫୦୦ ଲୋକଙ୍କ ପାଇଁ ଭାତ, ଡାଲମା, ଖଟା ବାଣ୍ଟନ୍ତି । ମାତ୍ର ମାଗଣା ପରିବର୍ତ୍ତେ ପ୍ରତ୍ୟେକଙ୍କଠାରୁ ୧ ଟଙ୍କା ନିଅନ୍ତି । ରାତି ସାଢ଼େ ୧୦ରେ ଦୋକାନ ବନ୍ଦ ପରେ ୧୧ଟା ବେଳକୁ ଏସବୁ ସ୍କୁଟିରେ ଧରି ବାହାରି ଯାଆନ୍ତି । ଭୁବନେଶ୍ୱର ଭିତରେ ୨୫/୩୦ କିମି ବୁଲନ୍ତି । ପ୍ରତି ଗଳିରେ ହୁଇସିଲ୍ ମାରି ପହରା ଦିଅନ୍ତି । ରାତିରେ ଲୋକଙ୍କୁ ୭୦୦ରୁ ୮୦୦ କପ୍ ଚା’ ପିଆନ୍ତି, ବିସ୍କୁଟ୍ ଖୁଆନ୍ତି । କାହାର ମଶାଧୂପ କି ଶୀତବସ୍ତ୍ର ଦରକାର ଥିଲେ ଦିଅନ୍ତି । କାହାର ଗାଡ଼ିରେ ତେଲ ସରିଯାଇଥିଲେ ତୁରନ୍ତ ଟଙ୍କାଟିଏ ନେଇ ତେଲ ଲିଟରଟେ ଦିଅନ୍ତି । ସେଥିପାଇଁ ୨ ଲିଟର୍ ଲେଖାଏଁ ପେଟ୍ରୋଲ୍ ଓ ଡିଜେଲ୍ ପାଖରେ ରଖିଥାନ୍ତି । ଅନେକ ଏହାକୁ ବିଶ୍ୱାସ ନ କରି ତାଙ୍କ ସହ ଝଗଡ଼ା କରନ୍ତି । କିନ୍ତୁ ‘ଜୟ ଜଗନ୍ନାଥ’ କହି ପ୍ରେମ୍ ଆଗକୁ ଚାଲନ୍ତି । ପ୍ରତି ରାତିରେ ତାଙ୍କର ୭ରୁ ୮ ହଜାର ଟଙ୍କା ଖର୍ଚ୍ଚ ହୁଏ । ହେଲେ ମିଳେ ମାତ୍ର ୧ ହଜାରରୁ ୧୫୦୦ ଟଙ୍କା । ଏଥିପାଇଁ ଘରଦ୍ୱାର, ସୁନାଗହଣା ବନ୍ଧା ପଡ଼ିସାରିଲାଣି । ବ୍ୟାଙ୍କ ଖାତା ଖାଲି । କାର୍ ଗ୍ୟାରେଜ୍ରେ । ରାତିକୁ ଯାହା ଜିନିଷ ନିଅନ୍ତି, ସେ ବି ଅଧା ନଗଦ, ଅଧା ବାକି ।
ଦୋକାନୀମାନେ ଜାଣିଛନ୍ତି ଟଙ୍କା ବୁଡ଼ିବନି ସେଥିଲାଗି କିଛି କହନ୍ତିନି । ବେଳେବେଳେ ବାପା, ମା’ ଓ କିଛି ସମ୍ପର୍କୀୟ ସାହାଯ୍ୟ କରନ୍ତି । ଅନେକ ବନ୍ଧୁ, ସାଥୀ ବିରୋଧ କରନ୍ତି ଏବଂ ରାଗନ୍ତି । ହେଲେ ସେ ହାରିନାହାନ୍ତି । ବରଂ ୟା ଭିତରେ ତାଙ୍କ ସେବା କାର୍ଯ୍ୟ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଲମ୍ବିଯାଇଛି । ମାସକୁ ୨୦ରୁ ୨୫ଦିନ ପୁରୀ ଯାଇ ସେଠିବି ସେବା ଦେଉଛନ୍ତି । ହେଲେ କାହାର ସାହାଯ୍ୟ ଗ୍ରହଣ କରନ୍ତି ନାହିଁ । ବଡ଼ କଥା ହେଲା³ ଯେତିକି ଆୟ ହୁଏ ତାକୁ ୪ଟି ଡବାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନାଁରେ ରଖନ୍ତି । ମାସ ଶେଷରେ ପୁରୀ ଶ୍ରୀମନ୍ଦିର ଯାଇ ହୁଣ୍ଡିରେ ଢ଼ାଳନ୍ତି । ପ୍ରେମ୍ କହନ୍ତି, ‘ଏ ସେବକ ତାଙ୍କର । ଆୟବ୍ୟୟ ସବୁ ତାଙ୍କର । ମହାପ୍ରଭୁଙ୍କ ଆଶୀର୍ବାଦ । ସେ ଚଳେଇଛନ୍ତି । ମୁଁ କିଛି କରେନି, ସବୁ କାଳିଆର ନିର୍ଦ୍ଦେଶ । ରାତି ହେଲେ ଶହ ଶହ କଲ୍, ଭାଇ ଆଜି ଆସିବେନି? ଅଟୋଷ୍ଟାଣ୍ଡ୍, ରେଳ ଷ୍ଟେସନ୍, ବସ୍ଷ୍ଟାଣ୍ଡ୍ରୁ ନେଇ ପରିବା ହାଟ ପର୍ଯ୍ୟନ୍ତ ସବୁଠୁ ଡାକରା । ସେମାନଙ୍କ ସ୍ନେହବୋଳା ଡାକ ଶୁଣି ମୁଁ ଅଟକି ପାରେନା । ରାତି ଅଧ ପର୍ଯ୍ୟନ୍ତ ମୋତେ ଅପେକ୍ଷା କରିଥାନ୍ତି । ଚା’ କପ୍ ପାଇଲା ପରେ ସେମାନେ ଯେଉଁ ଆଶୀର୍ବାଦ ଢ଼ାଳି ଦିଅନ୍ତି, ତାହା ଶହେ ପୁଣ୍ୟ ଅର୍ଜନ କରିବା ଭଳି ଲାଗେ । ବାପାମା’ଙ୍କ ସମର୍ଥନ, ଜେଜେ ବିଦ୍ୟାଧର ସାମଲ ଓ ଅଜା ଗୁରୁ ଚରଣ ଧଳଙ୍କ ପ୍ରେରଣା ମୋତେ ଆଗେଇ ନେଉଛି । ବାକି ସବୁ ପ୍ରଭୁ ବୁଝିବେ ବୋଲି ପ୍ରେମ କହନ୍ତି’ ।