କଟକ,୨୨।୧ : ଏସସିବି ମେଡିକାଲକୁ ଚିକିତ୍ସା ପାଇଁ ଜେଲରୁ ଆସିଥିଲେ ମହିଳା କଏଦୀ। ସୁଯୋଗ ଦେଖି ଜେଲ୍ ଗାର୍ଡକୁ ଚକମା ଦେଇ ମହିଳା କଏଦୀ ଫେରାର ହୋଇଯାଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମହିଳା କଏଦୀଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଛି।
ଚୌଦ୍ଵାର ଜେଲରେ ବିଚାରଧିନ ଥିବା ମହିଳା କଏଦୀ ଗୀତାଞ୍ଜଳି ବାରିକଙ୍କୁ ଚେକ୍ ଅପ୍ କରିବା ପାଇଁ ଏସସିବି ମେଡିକାଲ ପ୍ରସୂତି ବିଭାଗକୁ ଆଣିଥିଲେ ଜେଲ କର୍ମଚାରୀ। ମହିଳା କଏଦୀ ଗୀତାଞ୍ଜଳିଙ୍କ ଅଲଟ୍ରାସାଉଣ୍ଡ ପାଇଁ ଡାକ୍ତର ପରାମର୍ଶ ଦେବା ପରେ ଗାର୍ଡ ରଞ୍ଜନ ରଶ୍ମୀ ବିଭାଗକୁ ନେଇଥିଲେ। ହେଲେ ସେଠାରେ ଥିବା ଜେଲ ଗାର୍ଡଙ୍କୁ ଚକମା ଦେଇ ଫେରାର ହୋଇ ଯାଇଥିଲେ। ତେବେ ଫେରାର ହେବା ନେଇ ଜେଲ କର୍ତ୍ତୃପକ୍ଷ ତଥା ଗୀତାଞ୍ଜଳିଙ୍କ ସହ ଥିବା ଗାର୍ଡ ଏ ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ଫେରାର କଏଦୀଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି। ଗୀତାଞ୍ଜଳିଙ୍କୁ ଏକ ଚୋରି ମାମଲାରେ କଟକ ଜିଲ୍ଲା ମାହାଙ୍ଗା ଥାନା ପୋଲିସ ଗିରଫ କରିଥିବା ବେଳେ ସେ ଚୌଦ୍ଵାର ଜେଲ ରେ ବିଚାରାଧୀନ କଏଦୀ ଭାବରେ ରହୁଥିଲେ।
ତେବେ ପୂର୍ବରୁ କଟକ ଏସସିବି ମେଡିକାଲରୁ ବହୁ ପୁରୁଷ କଏଦୀ ଏଭଳି କି ହାଇଦର ଭଳି ଅପରାଧୀ ଜେଲ ଗାର୍ଡ ଙ୍କୁ ଚକମା ଦେଇ ଖସି ଯାଇଥିବା ବେଳେ ମହିଳା କଏଦୀ ଖସିଯିବା ପ୍ରଥମ ଘଟଣା ବୋଲି ଜଣା ପଡ଼ିଛି।