ପ୍ରମୂଖ ଖବର
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ

ଭୁବନେଶ୍ୱର,୦୬/୦୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏନେଇ କମିଶନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାଷ୍ଟ୍ରପତି ଜୁଲାଇ ୬ରୁ ୯ ଯାଏଁ ଓଡ଼ିଶାରେ  ରହିବେ । ଏହାପୂର୍ବରୁ ବ୍ଲୁ ବୁକ୍‌ ଆଧାରରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ପୁଲିସ୍‌ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ।  

ଶନିବାର  ସନ୍ଧ୍ୟାରେ ରାଷ୍ଟ୍ରପତି ଭୁବନେଶ୍ୱରରେ  ପହଞ୍ଚିବେ । ବିମାନ ବନ୍ଦରରୁ ସିଧା  ଜୟଦେବଭବନ ଯିବେ । ସେଠାରେ  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ  ୯୬ତମ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ  ଯୋଗଦେବେ । ରାତିରେ ସେ  ରାଜଭବନରେ ରହିବେ । ତା’ ପରଦିନ ପୁରୀ ଯିବେ । ମହାପ୍ରଭୁଙ୍କ ରଥଯାତ୍ରା  ଦେଖିବେ । ସେଥିପାଇଁ ବାୟୁସେନାର  ୩ଟି ହେଲିକପ୍ଟର ବ୍ୟବସ୍ଥା ହୋଇଛି ।  ୮ରେ ଖଣ୍ଡଗିରି-ଉଦୟଗିରି ପରିଦର୍ଶନ  କରିବେ । ପରେ ବିଭୂତି କାନୁନଗୋ  କଳା ଓ ହସ୍ତଶିଳ୍ପ ମହାବିଦ୍ୟାଳୟ  ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ  କରିବେ । ସେହିଦିନ ହରିଡାମଡ଼ା  ଗାଁରେ ପ୍ରଜାପିତା ବ୍ରହ୍ମାକୁମାରୀଙ୍କ  ଦିବ୍ୟ ରିଟ୍ରିଟ୍‌ କେନ୍ଦ୍ର ଉଦ୍‌ଘାଟନ କରିବା  ସହ ‘ସ୍ଥାୟିତ୍ୱ ପାଇଁ ଜୀବନଶୈଳୀ’ର  ଶୁଭାରମ୍ଭ କରିବେ । 

୯ରେ ରାଷ୍ଟ୍ରପତି  ନାଇଜହ ଯାଇ ଦୀକ୍ଷାନ୍ତ ସମାରୋହରେ  ଯୋଗଦେବେ । ସେହି ଦିନ ଦିଲ୍ଲୀ  ଫେରିଯିବେ । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ  ଆଜି ଭୁବନେଶ୍ୱର ବିମାନବନ୍ଦର ଠାରୁ  ରାଜଭବନ ଏବଂ ସେଠାରୁ ଖଣ୍ଡଗରି  ଓ ନାଇଜର ପର୍ଯ୍ୟନ୍ତ କାରକେଡ  ରିହର୍ସାଲ୍‌ କରାଯାଇଥିଲା । ସୁରକ୍ଷା  ନେଇ ଡିଜିପି ଅରୁଣ ଷଡ଼ଙ୍ଗୀ ପୁଲିସ୍‌  କମିଶନର, କେନ୍ଦ୍ରାଞ୍ଚଳ ଆଇଜି ଓ ପୁରୀ  ଏସ୍‌ପିଙ୍କ ସହ ଆଲୋଚନା କରିଛନ୍ତି ।  ଆସନ୍ତାକାଲି ପୁରୀରେ କାର୍‌କେଡ୍‌  ରିହର୍ସାଲ୍‌ କରାଯିବ । ରାଷ୍ଟ୍ରପତିଙ୍କ ଗସ୍ତ  ସମୟରେ ଯେମିତି କୌଣସି ସମସ୍ୟା  ନ ହୁଏ ସେ ଦିଗରେ ଏସ୍‌ପିଜି ଓ  ଏନ୍‌ଏସ୍‌ଜି ଟିମ୍‌ ଡିଜିପି ଶ୍ରୀ ଷଡ଼ଙ୍ଗୀଙ୍କ  ସହ ଆଲୋଚନା କରିଛନ୍ତି ।  

ଭୁବନେଶ୍ୱରରେ ରାଷ୍ଟ୍ରପତିଙ୍କ  ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୁଲିସ ଫୋର୍ସ  ମୁତୟନ ହେବେ ବୋଲି କମିଶନର ଶ୍ରୀ  ପଣ୍ଡା କହିଛନ୍ତି । ଏହାସହ ୩ଟି କୁଇକ୍‌  ରେସପନ୍ସ ଟିମ୍‌, ୨ଟି ସ୍ପେଶାଲ ଟାକ୍ଟିକାଲ  ୟୁନିଟ୍‌ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ମୁତୟନ  ରହିବେ । ୬ ଜଣ ଆଡିସନାଲ ଡିସିପି,  ୧୭ ଏସିପି, ୨୫ ଇନ୍ସପେକ୍ଟର, ୧୦୦  ଜଣ ଏସଆଇ ଓ ଏଏସଆଇ ରାଷ୍ଟ୍ରପତିଙ୍କ  ସୁରକ୍ଷାରେ ନିୟୋଜିତ ହେବେ ।  ୧୨୦ ଜଣ ଟ୍ରାଫିକ କର୍ମଚାରୀ ଓ ୧୦୦  ହୋମଗାର୍ଡ, ଅଗ୍ନିଶମ ବିଭାଗର ଅଧିକାରୀ  ମଧ୍ୟ ଉପସ୍ଥିତ ରହିବେ । ଖଣ୍ଡଗିରି ଓ  ଉଦୟଗିରିରେ ମାଙ୍କଡ଼ଙ୍କ ଉପରେ ନଜର  ରଖିବାକୁ ବନ ବିଭାଗକୁ କୁହାଯାଇଛି ।  ବନ ବିଭାଗର ୩ଟି ଟିମ୍‌ ମାଙ୍କଡ଼ଙ୍କୁ  ଘଉଡ଼ାଇବା ପାଇଁ ନିୟୋଜିତ ରହିବେ ।

  • PrameyaOdia
  • prameya
  • president india
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.