ଆସିଲାଣି ପୁସ୍ତକ ମେଳା । ଗୋଟେ ସଜଡ଼ା ସୁନ୍ଦର ବହି ଥାକ ମୁଁ ଏଇ କେତେ ଦିନ ହେଲା ସ୍ୱପ୍ନରେ ଦେଖୁଛି । ମନେ ପଡ଼ୁଛନ୍ତି ନନା । କହିଥିଲେ ପୁରୁଣା ବହି ବିକିବୁନି (ଆମ ସମୟରେ ତାହା ପ୍ରଚଳିତ ଥିଲା), ଯାହାକୁ ପଢ଼ିବାକୁ ଦେବୁ କହିବୁ କାଳି ଦାଗ ଦେବନି । ମଲାଟ ପକାଇ ରଖିବ । ବର୍ଷକ ପରେ ଫେରାଇ ଦେବ । ମୁଁ ସେ କଥା ମାନିଛି ଆଜିଯାଏଁ ।
ଆଜି ମୋ ନନାଙ୍କ କଥା ଭାରି ମନେ ପଡ଼ୁଛି । ବାପାଙ୍କୁ ଆମେ ନନା ଡାକୁ । ବହି ଭଲ ତ ସିଏ ଭଲ । ଓଡ଼ିଆ, ଇଂରାଜୀ, ବଙ୍ଗଳା ସବୁ ବହି ଆମ ଘରେ ତିନିଟା ବଡ଼ ଆଉ ଗୋଟାଏ ଛୋଟ ଆଲମାରୀରେ ଭର୍ତ୍ତି ହୋଇଥାଏ । ସେ ଲଣ୍ଡନରେ ୨୪ ବର୍ଷ ଧରି ଫେରିବା ପରେ ମୋର ଜନ୍ମ, ଯେତେବେଳେ ତାଙ୍କୁ ୫୧ ବର୍ଷ ବୟସ, ମୋ ପିଲାଏ ଛୋଟ ଥାଆନ୍ତି । ଥରେ ମୁଁ ଗାଁକୁ ଯାଇଥାଏ । ନନାଙ୍କୁ କହିଲି ଆପଣଙ୍କ ପାଖରେ ତ ଏତେ ଡିକ୍ସନାରୀ । ମୋ ପିଲାମାନଙ୍କ ପାଇଁ ଗୋଟାଏ ଦୁଇଟା ଦିଅନ୍ତୁ । ତାଙ୍କ ପାଖରେ ଅକ୍ସଫୋର୍ଡ, ଷ୍ଟୁଡେଣ୍ଟସ, ଚାମ୍ବରର୍ସ ଠାରୁ ଅଜନ୍ତା ଏପରିକି ଇଂରାଜୀ-ବଙ୍ଗଳା ଡିକ୍ସନାରୀ ଥାଏ । ନନାଙ୍କୁ ପ୍ରାୟ ୭୫ରୁ ଊଦ୍ଧ୍ୱର୍ ହୋଇଥାଏ ବୟସ । ସେ କହିଲେ- ଦେଇ ହେବନି, କାଳେ ମୋର ଦରକାର ହେବ । ବୋଉ ପାଟି କଲା ‘ଆଉ ବସିପାରୁନ ବେଶୀ ସମୟ ଏତେ ଡିକ୍ସନାରୀ ଦରକାର ହେଉଛି?’ ନନା ନିରବ ରହିଲେ । ମୁଁ ବି ମନ ଖରାପ କଲି । କ୍ରମେ ପିଲାମାନଙ୍କର ଡିକ୍ସନାରୀ ଲୋପ ହେଲା । ମୁଁ କିଣିଲି ଦୁଇ ତିନିଟି ।
୧୯୮୫ରେ ମୋ ନନା ମୋ ପାଖକୁ ଆସିଲେ । କାରଣ ସେ ବରାବର ଅସୁସ୍ଥ ହେଉଥିଲେ । ବୋଉ ତାଙ୍କ ଖବର ଏକୁଟିଆ ବୁଝିପାରୁନଥିଲା । ନନାଙ୍କ ସହିତ ଆସିଲା ପେଟି ପେଟି ବହି । କିଏ ବର୍ଷାରେ ନଷ୍ଟ ହେଇଥିଲା ତ କିଏ ଉଇ ଗର୍ତ୍ତରେ ଯାଇଥିଲା । ନନା କହିଲେ- ନେ ସବୁତକ ଡିକ୍ସନାରୀ, ତୋ ପିଲାଏ ପଢ଼ିବେ ବୋଲି ଆଣିଛି । ମୁଁ କହିଲି- ନାଇଁ ନନା, ଆପଣ ଆସିଛନ୍ତି ଆଉ ସାଙ୍ଗରେ ଆଣିଛନ୍ତି । ମୋ ପିଲାଙ୍କ ପାଇଁ କ’ଣ ମୁଁ ଆଜିଯାଏ ଡିକ୍ସନାରୀ କିଣିନି? ନନା କିଛି କହିଲେନି । ୧୯୮୮ ଅକ୍ଟୋବରରେ ସେ ଆରପୁରକୁ ଗଲେ । ଏସବୁର ଅବତାରଣା ଆଜି କାହିଁକି କରୁଛି ଯେ? ନନାଙ୍କୁ ମୁଁ ଡିକ୍ସନାରୀ ମାଗିଥିବା ବେଳେ ତାଙ୍କର ବୟସ ଯେତିକି ହେଇଥିଲା ମୁଁ ଆଜି ପାଖାପାଖି ସେଇ ବୟସରେ ପହଞ୍ଚିଲିଣି । ଉଇମାନଙ୍କ ଦୟାରୁ ତିନିଥର ମୋ ବହିମାନେ ନଷ୍ଟ ହେଲେଣି । ଆଜି କେଉଁ ବହି ଉଇ ଖାଇଗଲେ ତା’ ମଧ୍ୟ ମୁଁ ମନେ ପକାଇ ପାରୁନାହିଁ । ତଥାପି ଶ୍ମଶାନରକ୍ଷକ ହରିଶ୍ଚନ୍ଦ୍ର ରାଜାଙ୍କ ଭଳି ମୁଁ ଜଗିବସିଛି ମୋ ବହିଥାକମାନଙ୍କୁ । ଏ ଉଦାହରଣଟି ବେଖାପ ହେଲା କି? ଥାଉ ସେମିତି । ‘ଆପଣଙ୍କର ଯେଉଁ ବହି ଦରକାର ନାହିଁ କାଢ଼ି ଦିଅନ୍ତୁ । ଆମେ ନେଇଯିବୁ ।’ ଏକଥା ବିକାଶବାବୁ (ଶତପଥୀ)ଙ୍କ ଭଳି ବହିପ୍ରାଣ ମଣିଷମାନେ ବାରମ୍ବାର କହୁଛନ୍ତି । ମୁଁ ବହିତକ ଧରୁଛି ପୁଣି ଥୋଇ ଦେଉଛି । କାଳେ ଦରକାର ହେବ କି? ବହି ପୁଣି ଅଲୋଡ଼ା ହେବ କେମିତି?
ଆଜି ବି ନୂଆ ବହିଟିଏ ବାହାରିଲେ ମୋ ଗାଡ଼ିରେ ନୂଆ ଇଂଜିନ ଲାଗିବା ଭଳି, ତେଲଟାଙ୍କି ପୂର୍ଣ୍ଣହେଲା ଭଳି ଲାଗୁଛି । ବଞ୍ଚିବାର ଆଗ୍ରହ ବଢ଼ିଯାଉଛି । କାହାକୁ ବହିଟିଏ ଦେଲେ ଭାବୁଛି କେହି ଫୋନ୍ କରି କହନ୍ତେନି କେମିତି ଲାଗିଲା । ଫୋନଟିଏ ପାଇଲେ ପୁରସ୍କାର ପାଇବା ଭଳି ଲାଗୁଛି । ଯଦିଚ ମୁଁ ଜାଣିଛି ମୋ ବହିତକ ବସ୍ତାରେ ପଶି ଖରବକାଗଜ ସହିତ ବିକ୍ରି ହୋଇପାରନ୍ତି ବା ମୂଳପୋଛ ହୋଇ କେଉଁ ଲାଇବ୍ରେରୀକୁ ଯାଇପାରନ୍ତି । ଏତେ ଜାଗା ମାଡ଼ି ବସି ନିଜକୁ ଜାହିର କରୁଥିବା ବହିମାନଙ୍କ ଦେହରେ କଣା ହୋଇଯିବ । ଧରିଲେ ହାତରେ ପାଉଡର ଭଳି ଗୁଣ୍ଡ ଲାଗିବ । ନନା ସେଦିନ ଯାହା କହିଥିଲେ ଆଜି ମୁଁ ତାଙ୍କୁ ବୁଝିପାରୁଛି । ଆଜି ମୁଁ ପରିହାସ କରି ବନ୍ଧୁମାନଙ୍କୁ କହୁଛି ଆମ ଘରକୁ ଚୋର ଆସିବନି । କେବେ ଔଷଧ ଓ ବହି ଏକତ୍ର ଥିଲେ ଏବେ ଔଷଧ ଥାକ ଖାଲି । ଖାଲି ବହି ଗଦା ଭିତରେ ପଶି ସେ ବାଟ ନପାଇ ବିକଳରେ ଡାକିବ- ମତେ ପଦାକୁ ଯିବାକୁ ବାଟ ଦେଖାଇଦିଅ । ଆଉ ଦିନେ ଆସିବିନି ଏ ଘରକୁ । ବହି ମୋତେ ଘାରିଛି । କେତେ ପଢ଼ିଛି ବୁଝିଛି ସେ ଅଲଗା କଥା । ଆଜି ତ ଡିକ୍ସନାରୀ ଲୋଡ଼ା ହେଉନି । ମୋବାଇଲ ଢେର୍ ।
ନନା ଗଲେଣି କେବେଠୁଁ । ସେଦିନ ଟାଣରେ ଯାହା କହିଥିଲି ତାହା ତାଙ୍କୁ କେତେ ବାଧିଥିବ ମୁଁ ଆଜି ବୁଝିପାରୁଛି । କିନ୍ତୁ କ୍ଷମା ମାଗିବାକୁ ସିଏ ମୋତେ ସୁଯୋଗ ବି ଦେଇ ନାହାନ୍ତି । ମୋ ନାନୀ ତା’ ଶୋଇବା ଘର କାନ୍ଥରେ ଲେଖିଥିଲା- ମଣିଷର ପ୍ରଥମ ବନ୍ଧୁ ଈଶ୍ୱର । ତା’ପରେ ବହି ହିଁ ପରମ ବନ୍ଧୁ । ଆସିଲାଣି ପୁସ୍ତକ ମେଳା । ଗୋଟେ ସଜଡ଼ା ସୁନ୍ଦର ବହି ଥାକ ମୁଁ ଏଇ କେତେ ଦିନ ହେଲା ସ୍ୱପ୍ନରେ ଦେଖୁଛି । ମନେ ପଡ଼ୁଛନ୍ତି ନନା । କହିଥିଲେ ପୁରୁଣା ବହି ବିକିବୁନି (ଆମ ସମୟରେ ତାହା ପ୍ରଚଳିତ ଥିଲା), ଯାହାକୁ ପଢ଼ିବାକୁ ଦେବୁ କହିବୁ କାଳି ଦାଗ ଦେବନି । ମଲାଟ ପକାଇ ରଖିବ । ବର୍ଷକ ପରେ ଫେରାଇ ଦେବ । ମୁଁ ସେ କଥା ମାନିଛି ଆଜିଯାଏଁ । ମଲାଟ ପକାଇବା, ଖାତାରେ କାଗଜ ଯୋଡ଼ି ଯୋଡ଼ି ବାଇଣ୍ଡିଂ କରିବା ସେ ଶିଖାଇଥିଲେ । କୁଆଡ଼େ ଗଲା ସେ ଦିନ! ଏବେ ମୁଁ ଅସଜଡ଼ା ବହି ମେଳରେ ବସି ଏ ଲେଖା ଲେଖୁଛି । କେହି ଆଗ୍ରହ କରୁଛନ୍ତି ‘ଆମେ ସଜାଡ଼ି ଦେବୁ କି?’ ସେମାନଙ୍କ ଆଗ୍ରହର ହାତକୁ ମୁଁ ଫେରାଇ ଦେଉଛି । ନାଇଁ ବେଳ ହେଲେ ମୁଁ ସଜାଡ଼ିବି । ତୁମେ କେଉଁଠି ରଖିବ ମୁଁ ପାଇବିନି କାଳେ । ମୋ ନନାଙ୍କ ପବିତ୍ର ସ୍ମୃତିକୁ ବହିମେଳା ଅବସରରେ ପ୍ରଣାମ କରି ତାଙ୍କୁ କ୍ଷମା ମାଗୁଛି ।