ବଙ୍ଗୋମୁଣ୍ଡା,୦୧/୦୮: ବଙ୍ଗୋମୁଣ୍ଡା ଉପ-ଡାକଘର ପୋଷ୍ଟ ମାଷ୍ଟର ନରେନ୍ଦ୍ର ଭୋଇ (୫୨ବର୍ଷ)ଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାକୁ ପଠାଯାଇଛି । ଖବର ପାଇ ବଙ୍ଗୋମୁଣ୍ଡା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଅଧିକ ତଦନ୍ତ କରୁଛି । ଏସଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି ଏବଂ ଥାନାଧିକାରୀ ସଂଜୀବ ପ୍ରଧାନ ଉପସ୍ଥିତରେ ପୋଷ୍ଟ୍ ମାଷ୍ଟରଙ୍କୁ ଡାକ୍ତରଖାନାକୁ ପଠାଯାଇଛି ।
ସୂଚନା ମୁତାବକ, ପୋଷ୍ଟ ମାଷ୍ଟର ନରେନ୍ଦ୍ର ଭୋଇ ପ୍ରାୟ ୧୫ ଦିନ ତଳେ ବଙ୍ଗୋମୁଣ୍ଡା ଉପ-ଡାକଘରେ ନିଯୁକ୍ତି ପାଇଥିଲେ । ସେ ରାତିରେ ଡାକ ଅଫିସରେ ରୁହନ୍ତି । ଗୁରୁବାର ଅଫିସ୍ କାମ ସାରି ଅନ୍ୟ କର୍ମଚାରୀ ଘରକୁ ଯାଇଥିଲେ । ଶୁକ୍ରବାର ସକାଳ ୯ଟା ୪୫ରେ କର୍ମଚାରୀ ଆସିଲା ପରେ ପୋଷ୍ଟ ମାଷ୍ଟରଙ୍କୁ ଡାକିଥିଲେ । ହେଲେ କୌଣସି ଉତ୍ତର ନମିଳିବାରୁ ସନ୍ଦେହ କରି ବଙ୍ଗୋମୁଣ୍ଡା ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି । ପୁଲିସ ଉପସ୍ଥିତିରେ କବାଟ ଖୋଲିଲା ପରେ ସଂଜ୍ଞାହୀନ ହୋଇ ଶୋଇଥିଲେ । ଏସଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି ଏବଂ ଥାନାଧିକାରୀ ସଂଜୀବ ପ୍ରଧାନ ଉପସ୍ଥିତ ରହି ପୋଷ୍ଟ ମାଷ୍ଟରଙ୍କୁ ଡାକ୍ତରଖାନାକୁ ପଠାଇଛନ୍ତି ।