ବଲାଙ୍ଗୀର,୨୭/୦୭: ପାଖେଇ ଆସିଲାଣି ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା କୃଷି ଭିତ୍ତିକ ପର୍ବ ନୂଆଁଖାଇ । ଏହି ପର୍ବକୁ ନେଇ ଚଳଚଞ୍ଚଳ ପୂରା ପଶ୍ଚିମ ଓଡ଼ିଶା । ଏଥିପାଇଁ ସମସ୍ତଙ୍କ ମନରେ ଭରିଯାଇଛି ଉତ୍ସାହ । ଆଉ ଏହାରି ମଧ୍ୟରେ ନୂଆଁଖାଇ ପର୍ବ ପାଇଁ ବଲାଙ୍ଗୀରରେ ଲଗ୍ନ ଧାର୍ଯ୍ୟ ହୋଇଛି।
ବଲାଙ୍ଗୀର ଶୈଳଶ୍ରୀ ପେଲେସଠାରେ ଆଜି ରାଜପୁରୋହିତ ସନ୍ତୋଷ ଦାସ ତାରିଖ ଏବଂ ସମୟ ଘୋଷଣା କରିଛନ୍ତି । ମା' ପାଟଣେଶ୍ୱରୀ ଓ ମା' ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ସହ ପାଟଣା ମହାରାଜଙ୍କ ରାଶି ନକ୍ଷତ୍ର ଆନୁଯାୟୀ ପଣ୍ଡିତ ମହାସଭାରେ ଲଗ୍ନ ଧାର୍ଯ୍ୟ ହୋଇଛି । ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଆସନ୍ତା ମାସ ୨୮ ତାରିଖ ଦିନ ୯ ଟା ୪୭ ମିନିଟରୁ ୧୧ଟା ୧୧ ମିନିଟ ମଧ୍ୟରେ ନବାନ୍ନ ଲାଗି ହେବ। ନୂଆଁଖାଇ ଆଦ୍ୟ ପରମ୍ପରାର ପ୍ରଥମ କାର୍ଯ୍ୟ ଯାହା କି ଏହି ଲଗ୍ନ ଧାର୍ଯ୍ୟ ପରମ୍ପରା ଅଟେ । ଲଗ୍ନ ନିର୍ଘଣ୍ଟ ଧାର୍ଯ୍ୟ ପରେ ଜିଲ୍ଲାରେ ଏନେଇ ଉତ୍ସାହ ଦେଖିବାକୁ ମିଳିଛି।