କଳିଙ୍ଗା,୨୭/୦୭: ଦିନକୁ ଦିନ ବୃଦ୍ଧି ପାଉଛି ଜଙ୍ଗଲୀ ହାତୀଙ୍କ ଉପଦ୍ରବ। ଜି. ଉଦୟଗିରିର କଳିଙ୍ଗାରେ ଦନ୍ତା ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ କଳିଙ୍ଗା ପଞ୍ଚାୟତ ମାଲାନସୁଗା ଗ୍ରାମର ସାମନ୍ତ ଦିଗାଲ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ,ଶନିବାର ସନ୍ଧ୍ୟାବେଳେ ମୃତ ସାମନ୍ତ ଦୁଇ ଜଣ ବନ୍ଧୁଙ୍କ ସହ ଦିନ ମଜୁରୀ କାମ ସାରି ନିଜ ଘରକୁ ଫେରୁଥିଲେ । ସେହି ସମୟରେ ଏକ ଦନ୍ତାହାତୀ ଆକ୍ରମଣ କରିଥିଲା। ଦୁଇ ସାଙ୍ଗ କୌଣସି ପ୍ରକାରେ ଖସି ଯାଇଥିବା ବେଳେ ହାତୀ ସାମନ୍ତଙ୍କୁ ଦଳାଚକଟା କରି ମାରିଥିଲା। ରବିବାର ସକାଳୁ ଗ୍ରାମବାସୀ ପୁଲିସ ଏବଂ ବନ ବିଭାଗକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ମୃତଦେହ ଜବତ କରିଛି। ଘଟଣାସ୍ଥଳରେ ଜି. ଉଦୟଗିରି ଏସ୍ଡ଼ିପିଓ ବିଜୟ କୁମାର ବିଶି ଏବଂ ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି । ଏନେଇ ଜି.ଉଦୟଗିରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ତେବେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ସ୍ଥାନୀୟ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ହାତୀ ଚଲାପଥ ସୂଚନା ଫଳକ ଲଗାଯିବା ସହ ହାତୀ ଘଉଡ଼ାଇବା ଅଭିଯାନ ଚାଲୁ ଥିବା ବନାଞ୍ଚଳ ଅଧିକାରୀ କାଜୋଲ ନାୟକ କହିଛନ୍ତି।