ନୂଆଦିଲ୍ଲୀ,୦୬/୧୨: ଚାଷୀ ଆନ୍ଦୋଳନକୁ ନେଇ ଦେଶରେ ଘନଘନ ଖବର। ପ୍ରତିଟି ମୁହୂର୍ତ୍ତରେ ବଦଳୁଛି ରୁପରେଖ। ଏଇ ଯେମିତି ବର୍ତ୍ତମାନର ସୂଚନା ମୁତାବକ, ଚାଷୀମାନେ ଦିଲ୍ଲୀଗସ୍ତରୁ ପଛଘୁଞ୍ଚା ଦେଇଛନ୍ତି। ପଞ୍ଜାବ ଏବଂ ହରିୟାଣାର ଶମ୍ଭୁ ସୀମାରେ ପୋଲିସର କାର୍ଯ୍ୟାନୁଷ୍ଠାନ ପରେ କୃଷକ ସଂଗଠନ ଏହି ନିଷ୍ପତ୍ତି ନେଇଛନ୍ତି। କୃଷକ ନେତା ସରଓ୍ବନ ପନ୍ଧେର କୃଷକମାନଙ୍କୁ ପଛକୁ ଫେରିବାକୁ କହିଛନ୍ତି। ଶୁକ୍ରବାର ରାତିର ବୈଠକରେ ଆହୁରି ରଣନୀତି ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ କୃଷକ ସଂଗଠନ ପୂର୍ବରୁ ଘୋଷଣା କରିଥିଲା। ଏଥିପାଇଁ ୧୦୧ ଜଣ କୃଷକଙ୍କ ତାଲିକା ମଧ୍ୟ ଜାରି କରାଯାଇଥିଲା। ପୋଲିସ ସହ ତୀବ୍ର ସଂଘର୍ଷ ପରେ କୃଷକ ନେତାମାନେ ରାତି ପ୍ରାୟ ୩ ଟାରେ ଦିଲ୍ଲୀ ଅଭିମୁଖେ ଯାତ୍ରାକୁ ସ୍ଥଗିତ ରଖିଥିଲେ।
ହରିୟାଣାରେ ପ୍ରବେଶ ବେଳେ ପୁଲିସ ସହ ସଂଘର୍ଷ:
ଦିଲ୍ଲୀ ଯାଉଥିବା କୃଷକମାନେ ଶମ୍ଭୁ ସୀମା ଦେଇ ହରିୟାଣାକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପୋଲିସର ସୁରକ୍ଷା ଏବଂ ବ୍ୟାରିକେଡ୍ ଯୋଗୁଁ ସେମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରେ ଚାଷୀମାନେ ବ୍ୟାରିକେଡ୍ ଭାଙ୍ଗୁଥିବା କରିବାକୁ ପୋଲିସକୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଥିଲା। କିଛି ଘଣ୍ଟା ଧରି ଶମ୍ଭୁସୀମାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ସତର୍କତାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ମଧ୍ୟ ଅମ୍ବାଲାରେ ଇଣ୍ଟରନେଟ୍ ବନ୍ଦ କରି ଦେଇଛନ୍ତି। ସଂସଦର ବର୍ତ୍ତମାନର ଅଧିବେଶନରେ ଦିଲ୍ଲୀରେ ପହଞ୍ଚି କୃଷକମାନେ ସରକାରଙ୍କ ଉପରେ ଚାପ ପକାଇବାକୁ ଚାହୁଁଛନ୍ତି। ସେମାନଙ୍କର ଦାବି ହେଉଛି ସରକାର ଏମଏସପି ଉପରେ ଆଇନଗତ ଗ୍ୟାରେଣ୍ଟି ଦେବା ଉଚିତ୍। କୃଷକ ସଂଗଠନଗୁଡ଼ିକ ସରକାରଙ୍କ ନିକଟରେ ମୋଟ ୧୨ ଟି ଦାବି ରଖିଛନ୍ତି।
ଆନ୍ଦୋଳନକୁ ନେଇ ରାଜନୀତି ମଧ୍ୟ ସରଗରମ:
ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି ଯେ ପୋଲିସ ଏକାସାଙ୍ଗରେ ଚାଷୀଙ୍କ ଉପରକୁ ୧୧ ଟି ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ବର୍ତ୍ତମାନ ସୁଦ୍ଧା ହରିୟାଣା ପୋଲିସ ଦ୍ବାରା ମୋଟ ୨୧ ଥର ଲୁହବୂହା ଗ୍ୟାସ୍ ପ୍ରୟୋଗ କରାଯାଇଛି। ଏଥିରେ ଦୁଇ ଜଣ କୃଷକ ଆହତ ହୋଇଛନ୍ତି। ଏହା ପରେ କୃଷକ ନେତା ସରଓ୍ବନ ସିଂ ପନ୍ଧେର ନିଜେ କୃଷକମାନଙ୍କୁ ସୀମାରୁ ଫେରିଆସିବାକୁ କହିଥିଲେ। ଅନ୍ୟପକ୍ଷରେ ହରିୟାଣାରୁ ଲଗାତାର କୃଷକଙ୍କ ଭିଡିଓଗ୍ରାଫି କରାଯାଉଛି। ଏହା ମଧ୍ୟ ଘୋଷଣା କରାଯାଉଛି ଯେ ସରକାରୀ ସମ୍ପତ୍ତି ନଷ୍ଟ କରନ୍ତୁ ନାହିଁ, ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ତଥାପି କୃଷକମାନେ ଆଗକୁ ବଢ଼ିବାକୁ ଜିଦ୍ରେ ଅଟଳ ଅଛନ୍ତି, ଅନ୍ୟପକ୍ଷରେ ରାଜନୀତି ମଧ୍ୟ ଚାଷୀଙ୍କ ଆନ୍ଦୋଳନକୁ ନେଇ ସରଗରମ ହେବାରେ ଲାଗିଛି। ଚାଷୀଙ୍କୁ ଅଟକାଇବାକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି।