ନୂଆଦିଲ୍ଲୀ,୨୬/୧୨: ଦେଶରେ ଷ୍ଟାର୍ଟଅପ୍ ସଂସ୍କୃତିକୁ ପ୍ରୋତ୍ସାହିତ କରାଯାଉଛି । ଏବେ ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍ ସଂଖ୍ୟା ୧.୫୭ ଲକ୍ଷକୁ ବୃଦ୍ଧି ହୋଇଛି ।ଶିଳ୍ପ ପ୍ରୋତ୍ସାହନ ଏବଂ ଆନ୍ତଃ ବାଣିଜ୍ୟ ବିଭାଗ (ଡିପିଆଇଆଇଟି) ଏହି ସଂସ୍ଥାଗୁଡିକୁ ମାନ୍ୟତା ପ୍ରଦାନ କରିଛି । ଡିସେମ୍ବର ୨୫ ସୁଦ୍ଧା ଡିପିଆଇଆଇଟି ପୋର୍ଟାଲରେ ୭.୫୯ ଲକ୍ଷ ଷ୍ଟାର୍ଟଅପ୍ ପଞ୍ଜୀକୃତ ହୋଇଥିବା ସୂଚନା ମିଳିଛି । ଏଥିସହିତ ଭାରତ ବିଶ୍ୱର ଟପ୍-୩ ଷ୍ଟାର୍ଟଅପ୍ ହବ୍ ପାଲଟିଛି ।
ମାନ୍ୟତା ପ୍ରାପ୍ତ ଷ୍ଟାର୍ଟଅପ୍ ଗୁଡିକ ମଧ୍ୟରୁ ୭୩ ହଜାରରେ ଅନ୍ତତଃ ପକ୍ଷେ ଜଣେ ମହିଳା ନିର୍ଦ୍ଦେଶକ ରହିଛନ୍ତି । ଷ୍ଟାର୍ଟଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧିନରେ ଏହି ସଂସ୍ଥାଗୁଡିକୁ ପ୍ରୋତ୍ସାହିତ କରାଯାଉଛି । ଏବେ ଷ୍ଟାର୍ଟଅପ୍ କ୍ଷେତ୍ରରେ ଭାରତ ବିଶ୍ୱର ଏକ ପ୍ରମୁଖ ସ୍ଥଳ ଭାବେ ଉଭା ହୋଇଛି। ଭାରତ ତୃତୀୟ ବୃହତ୍ ଷ୍ଟାର୍ଟଅପ୍ ହବ୍ ।
ଭାରତ ୧୦୦ ୟୁନିକର୍ଣ୍ଣ ସୃଷ୍ଟି କରିଥିବା ଜଣାପଡ଼ିଛି । ଏହି ଷ୍ଟାର୍ଟଅପ୍ଗୁଡିକ ନବସୃଜନ ଏବଂ ଔଦ୍ୟୋଗିକତାକୁ ତ୍ୱରାନ୍ୱିତ କରିବା ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଗତ ୧ ଦଶନ୍ଧି ମଧ୍ୟରେ ଦେଶର ଔଦ୍ୟୋଗକିତା ପରିଦୃଶ୍ୟରେ ବଡ଼ ପରିବର୍ତ୍ତନ ଆସିଛି । ବେଙ୍ଗାଲୁରୁ, ହାଇଦ୍ରାବାଦ, ମୁମ୍ବାଇ ଏବଂ ଦିଲ୍ଲୀ ଏନ୍ସିଆର୍ ଭଳି ସହରଗୁଡିକ ଏହାର କେନ୍ଦ୍ରସ୍ଥଳ ଭାବେ ଉଭା ହୋଇଛି ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଚଳିତ ବର୍ଷ ୧୩ ନୂଆ ପିଢ଼ିର କମ୍ପାନି ପ୍ରାଥମିକ ପବ୍ଲିକ ଅଫର୍(ଆଇପିଓ) ଜାରି କରିଛନ୍ତି । ଷ୍ଟାର୍ଟଅପ୍ଗୁଡିକ ଦେଶର ପୁଞ୍ଜି ବଜାରରୁ ୨୯,୨୦୦ କୋଟିର ପାଣ୍ଠି ସଂଗ୍ରହ କରିଛନ୍ତି । ଏହା ମଧ୍ୟରେ ୧୪,୬୭୨ କୋଟିର ଫ୍ରେସ୍ ଇସ୍ୟୁ ଏବଂ ୧୪,୫୪୭ କୋଟିର ଅଫର ଫର୍ ସେଲ୍ ସାମିଲ ରହିଛି । ୧୩ ଷ୍ଟାର୍ଟଅପ୍ ଆଇପିଓ ମଧ୍ୟରେ ୧୦ଟି ବଡ଼ ଏବଂ ୩ଟି ଏସ୍ଏମ୍ଇ ଆଇପିଓ ରହିଥିଲା ।
ଦେଶରେ ଡିଜିଟାଲିକରଣରେ ଦ୍ରୁତ ପ୍ରସାର, ଯୁବ ଏବଂ ଦକ୍ଷ ଶ୍ରମ ଶକ୍ତି ବିଭିନ୍ନ କ୍ଷେତ୍ରରେ ଷ୍ଟାର୍ଟଅପ୍ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରୁଛି । ଏବେ ଫିନ୍ଟେକ, ଏଡୁଟେକ, ଏବଂ ଇ-କମର୍ସ ବର୍ଗରେ ଷ୍ଟାର୍ଟଅପ୍ଗୁଡିକ ଆସୁଛନ୍ତି । ଷ୍ଟାର୍ଟଅପ୍ ଇଣ୍ଡିଆ ପକ୍ଷରୁ ଜାରି ଷ୍ଟାର୍ଟଅପ୍ ଇକୋସିଷ୍ଟମ ରିପୋର୍ଟ ମୁତାବକ, ଏବେ ଦେଶର ଷ୍ଟାର୍ଟଅପ୍ଗୁଡିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ), ବ୍ଲକ୍ଚେନ୍ ଏବଂ ଇଣ୍ଟର୍ନେଟ୍ ଅଫ୍ ଥିଙ୍ଗ୍ସ (ଆଇଓଟି)କୁ ସ୍ଥାନୀୟ ଏବଂ ବିଶ୍ୱ ସ୍ତରର ସମସ୍ୟା ସମାଧାନ ଦିଗରେ ବ୍ୟବହାର କରୁଛନ୍ତି ।
୨୦୧୬ରେ କେନ୍ଦ୍ର ସରକାର ଗ୍ରହଣ କରିଥିବା ଷ୍ଟାର୍ଟଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ଏ କ୍ଷେତ୍ରରେ ଆଧାରଶିଳା ସାବ୍ୟସ୍ତ ହୋଇଛି । ଏହାବାଦ୍ ଅଟଳ ଇନୋଭେସନ ମିଶନ (ଏଆଇଏମ୍) ଏବଂ ନ୍ୟାସ୍ନାଲ ଇନିସିଏଟିଭ ଫର୍ ଡେଭ୍ଲପିଂ ଆଣ୍ଡ୍ ହାର୍ନେସିଂ ଇନୋଭେସନ (ନିଧି) ନବସୃଜନକୁ ଭିତ୍ତିଭୂମି ଏବଂ ଆର୍ôଥକ ସହାୟତା ପ୍ରଦାନ କରୁଛି । ସେହିଭଳି ସମୃଦ୍ଧି କାର୍ଯ୍ୟକ୍ରମ ଦ୍ୱାରା ୩୦୦ ସଫ୍ଟୱେର ଉତ୍ପାଦ ଷ୍ଟାର୍ଟଅପ୍କୁ ସହାୟତା ପ୍ରଦାନ କରାଯାଇଛି । ୪ ବର୍ଷ ଲାଗି ଏହି ଷ୍ଟାର୍ଟଅପ୍ ୯୦ କୋଟିର ସହାୟତା ପାଇବେ । ଷ୍ଟାର୍ଟଅପ୍ ପିଛା ୪୦ ଲକ୍ଷର ସହାୟତା ଦିଆଯାଉଛି ।