ନୂଆଦିଲ୍ଲୀ: ମହାରାଷ୍ଟ୍ରର ଜଣେ ୨୩ ବର୍ଷ ବୟସ୍କ ଯୁବକ ତାଙ୍କୁ ଚାକିରି ପାଇଥିବା ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟରୁ ୨୧ କୋଟି ଟଙ୍କା ଉଠାଇ ନେଇଛନ୍ତି। ଏହି ଟଙ୍କାରେ ସେ ନିଜ ପ୍ରେମିକାଙ୍କ ପାଇଁ ହୀରା, ବିଳାସପୂର୍ଣ୍ଣ କାର ଏବଂ ୪-ବିଏଚକେ ଫ୍ଲାଟ କିଣିବାରେ ବ୍ୟବହାର କରିଥିବା ନେଇ ଖବର ଏବେ ସାମ୍ନାକୁ ଆସିଛି। କମ୍ପ୍ୟୁଟର ଅପରେଟର ହର୍ଷଲ କୁମାର କ୍ଷୀରସାଗର, ଯିଏକି ଏକ ରାଜ୍ୟ କ୍ରୀଡ଼ା କମ୍ପ୍ଲେକ୍ସରେ ମାସିକ ୧୩,୦୦୦ ଟଙ୍କା ଦରମାରେ କାମ କରୁଥିଲେ। ସେ ଚଞ୍ଚକତା କରି ନିଜ ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରିନେଇଥିଲେ।
ଜାତୀୟ ଗଣମାଧ୍ୟମ ଏନଡିଟିଭିର ଏକ ରିପୋର୍ଟ ମୁତାବକ, ଖେଳ ବିଭାଗ ଆର୍ଥିକ ଅନିୟମିତତା ନେଇ ପୋଲିସରେ ଅଭିଯୋଗ କରିବା ପରେ ଘଟମା ସାମ୍ନାକୁ ଆସିଛି। ପୋଲିସ କ୍ଷୀରସାଗରଙ୍କ ସହ ତାଙ୍କୁ ଏ କାମରେ ସହଯୋଗ କରିବା ପାଇଁ ତାଙ୍କ ସହକର୍ମୀ ଯଶୋଦା ସେଟ୍ଟି ଓ ତାଙ୍କ ସ୍ୱାମୀ ବି କେ ଜିବନଙ୍କୁ ଗିରପ କରିଛି।
ପୋଲିସର ସୂଚନାନୁସାରେ, କ୍ଷୀରସାଗର ଏକ ନୂତନ ଇମେଲ ଆକାଉଣ୍ଟ ଖୋଲିଥିଲେ। ଯାହାର ଠିକଣା କ୍ରୀଡା କମ୍ପ୍ଲେକ୍ସର ଆକାଉଣ୍ଟ ସହିତ ସମାନ ଥିଲା। ଏହା ପରେ ସେ ତାଙ୍କ କାର୍ଯ୍ୟାଳୟରୁ ଏକ ପୁରୁଣା ଚିଠି ବ୍ୟବହାର କରି ବ୍ୟାଙ୍କକୁ ଇମେଲ କରିଥିଲେ ଓ ସ୍ପୋର୍ଟସ କମ୍ପ୍ଲେକ୍ସର ଆକାଉଣ୍ଟ ସହିତ ଲିଙ୍କ୍ ହୋଇଥିବା ଇମେଲକୁ ଅପଡେଟ୍ କରିବାକୁ ବ୍ୟାଙ୍କକୁ ଅନୁରୋଧ କରିଥିଲେ। ବ୍ୟାଙ୍କ ଏହି ଇମେଲ ଆଇଡିକୁ ଅପଡେଟ କରିଥିଲା। ତା’ପରେ କ୍ରୀଡା କମ୍ପ୍ଲେକ୍ସର ଓଟିପି ଏବଂ ଆକାଉଣ୍ଟରୁ ଟଙ୍କା ବାହାର କରିବାପାଇଁ ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ସୂଚନା ଏହି ମେଲ ଆଇଡିକୁ ଆସିବାକୁ ଲାଗିଲା। ଏହାପରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ବ୍ୟବହାର କରି ସେ ଜୁଲାଇ ୧ରୁ ଡିସେମ୍ବର ୭ ମଧ୍ୟରେ ୧୩ ଟି ବ୍ୟାଙ୍କରୁ ୨୧.୬ କୋଟି ଟଙ୍କା ଟ୍ରାନ୍ସଫର କରିଥିବା ଅଭିଯୋଗ ହୋଇଛି।
କ୍ଷୀରସାଗର ଏହି ଟଙ୍କାକୁ ବ୍ୟବହାର କରି ୧.୩ କୋଟି ଟଙ୍କା ମୂଲ୍ୟର ଏସୟୁଭି, ୧.୨ କୋଟି ଟଙ୍କା ମୂଲ୍ୟର ଏକ ବିଏମଡବ୍ଲୁ କାର ଏବଂ ୩୨ ଲକ୍ଷ ଟଙ୍କା ମୂଲ୍ୟର ବିଏମଡବ୍ଲୁ ବାଇକ କିଣିବାରେ ବ୍ୟବହାର କରିଥିଲେ। ପୋଲିସ କହିଛି ଯେ ସେ ତାଙ୍କ ପ୍ରେମିକାଙ୍କୁ ଛତ୍ରପତି ଶିବାଜୀ ମହାରଜ ଏୟାରପୋର୍ଟ ନିକଟରେ ୪-ବିଏଚକେ ଫ୍ଲାଟ କିଣି ଉପହାର ସ୍ୱରୁପ ଦେଇଛି। ଏହା ସହ ହୀରା ଖଚିତ ଏକ ଚଷମା ମଧ୍ୟ ନିଜ ପ୍ରମିକାଙ୍କୁ ଉପହାର ସ୍ୱରୁପ ପ୍ରଦାନ କରିଛି।
ବରିଷ୍ଠ ପୋଲିସ ଅଧିକାରୀ ପ୍ରଶାନ୍ତ କଦମ ଏନଡିଟିଭିକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଏଫଆଇଆରରେ ତିନି ଜଣଙ୍କ ନାମ ରହିଛି। "ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି, ତେବେ ମୁଖ୍ୟ ଅଭିୟୁକ୍ତ ଜଣଙ୍କ ଖସିଯାଇଛି। ଅନୁସନ୍ଧାନରୁ ଜଣାପଡିଛି ଯେ ସେ ବିଏମଡବ୍ଲୁ କାର ଏବଂ ବାଇକ କିଣିଛନ୍ତି, ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି ଏବଂ କିଛି ସୁନା ଅଳଙ୍କାର ମଧ୍ୟ କିଣିଛନ୍ତି। ଆମ ଦଳ ମୁଖ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି" ବୋଲି ସେ କହିଛନ୍ତି।