ନୂଆଦିଲ୍ଲୀ, ୨୭।୧୨: ୨୦୨୫ରେ କୋଭିଡ୍ ଭଳି ଘାତକ ସାଜିବ ଆଉ ମାରାତ୍ମକ ରୋଗ । ଚିନ୍ତାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ । ଏପର୍ଯ୍ୟନ୍ତ ଆସିଲାଣି ୬୧ ମାମଲା । ଆଗକୁ ଆହୁରି ବଢ଼ିପାରେ ସଂକ୍ରମିତଙ୍କ ସଂଖ୍ୟା । ଏଥିମଧ୍ୟରୁ ଅଧିକାଂଶ ସଂକ୍ରମିତ ମାମଲା ଚାଷୀ ଓ ସଂକ୍ରମିତ ପଶୁଙ୍କ ସଂସ୍ପର୍ଶରେ ଆସିବାରୁ ବ୍ୟାପିଥିଲା । ପକ୍ଷୀଙ୍କଠାରୁ ମଣିଷକୁ ହୁଏ ସଂକ୍ରମିତ ।
ସାରା ବିଶ୍ୱରେ ହାହାକାର ଖେଳାଇଥିଲା କୋଭିଡ୍ ମହାମାରୀ । କୋଭିଡରେ ଲକ୍ଷ ଲକ୍ଷ ମୃତ୍ୟୁବରଣ କରିଛନ୍ତି ସତ । କିନ୍ତୁ ମାଲେରିଆ, ଏଚଆଇଭି, ଟ୍ୟୁବରକୋଲସିସ ମଧ୍ୟ ଚିନ୍ତାର କାରଣ ହୋଇଛି । ଏହି ତିନୋଟି ରୋଗ ପାଇଁ ପ୍ରତି ବର୍ଷ ପ୍ରାୟ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ । ଏହିସବୁ ରୋଗର ମୁକାବିଲା ପାଇଁ ସାଧାରଣ ଭାବେ ଆଣ୍ଟିବାୟୋଟିକ୍ସ ଓ ଆଣ୍ଟିଭାଇରାଲ ଔଷଧର ବ୍ୟବହାର କରାଯାଏ । କିନ୍ତୁ, ତଥାପି କିଛି କ୍ଷେତ୍ରରେ ଏହା କାମ ଦେଉନି । ଆଗାମୀ ଦିନରେ ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇବ ଆଉ ଏକ ମାରାତ୍ମକ ସଂକ୍ରାମକ ରୋଗ । ୨୦୨୫ରେ ଇଫ୍ଲୁଏଞ୍ଜା ଭୂତାଣୁ ଚିନ୍ତାର କାରଣ ହେବ । ବିଶେଷଜ୍ଞଙ୍କ ମୁତାବକ, ଇନଫ୍ଲୁଏଞ୍ଜା-ଏ ର ଏକ ଉପସ୍ୱରୂପ ଏଚ୫ଏନ୧ ଆଗକୁ ମଣିଷଙ୍କୁ ସଂକ୍ରମିତ କରିବ । ଏହି ଭୂତାଣୁ ଜଙ୍ଗଲୀ ଓ ଗୃହପାଳିତ ପକ୍ଷୀଙ୍କ ଭିତରେ ସଂକ୍ରମିତ ହୋଇଥାଏ । ଆମେରିକାର କିଛି ରାଜ୍ୟରେ ଗୃହପାଳିତ ପଶୁ ତଥା ମଙ୍ଗୋଲୀୟ ଘୋଡ଼ାଙ୍କଠାରେ ସଂକ୍ରମିତ ହେବାର ଦେଖାଦେଇଛି । ପକ୍ଷୀଙ୍କ ଦ୍ୱାରା ସଂକ୍ରମିତ ହେଉଥିବା ଏହି ଭୂତାଣୁ ମଣିଷଙ୍କୁ ମଧ୍ୟ ସଂକ୍ରମିତ କରିପାରେ । ଚଳିତ ବର୍ଷ ଆମେରିକାରେ ୬୧ ମାମଲା ସାମ୍ନାକୁ ଆସିଛି । ଏହି ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ କୃଷି କ୍ଷେତ୍ର ତଥା ସଂକ୍ରମିତ ପଶୁଙ୍କ ସଂସ୍ପର୍ଶରେ ଆସିଥିଲେ ।