ନୂଆଦିଲ୍ଲୀ,୨୭/୧୨: ଭାରତର ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ଅବଦୁଲ ରେହମାନ ମକ୍କିର ମୃତ୍ୟୁ ହୋଇଛି। ଆତଙ୍କବାଦୀ ସଂଗଠନ ଜମାତ-ଉଦ-ଦାୱାର ଡେପୁଟି ଚିଫ୍ ମକ୍କି ପାକିସ୍ତାନରେ ରହୁଥିଲା। ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ମକ୍କିର ଶୁକ୍ରବାର ଲାହୋରରେ ମୃତ୍ୟୁ ହୋଇଛି। ଜମାତ-ଉଦ-ଦାୱା ଅନୁଯାୟୀ, ଗତ କିଛି ଦିନ ହେବ ମକ୍କି ଅସୁସ୍ଥ ହୋଇ ଲାହୋରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା। ଶୁକ୍ରବାର ସକାଳେ ମକ୍କି ହୃଦଘାତରେ ପୀଡିତ ହୋଇ ତାର ମୃତ୍ୟୁ ହୋଇଛି।
ପରିବାରିକ ସୂତ୍ର ଅନୁଯାୟୀ ଆତଙ୍କବାଦୀ ଅବଦୁଲ ରେହମାନ ମକ୍କିକୁ ଶୁକ୍ରବାର ଦିନ କବର ଦିଆଯାଇଛି। ଅବଦୁଲ ରେହମାନ ମକ୍କି ଆତଙ୍କବାଦୀ ସଂଗଠନର ମୁଖ୍ୟ ଜମାତ-ଉଦ-ଦାୱା ଏବଂ ଦଳର ଡେପୁଟି ନେତା ହାଫିଜ ସଇଦଙ୍କ ଘନିଷ୍ଠ ସମ୍ପର୍କୀୟ ଥିଲା। ମୁମ୍ବାଇ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ମିଳିତ ଜାତିସଂଘ ମକ୍କି ଉପରେ ପ୍ରତିବନ୍ଧକ ଲଗାଇଥିଲା ଏବଂ ତା ଉପରେ ୨ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ଘୋଷଣା କରିଥିଲା।
୨୦୨୩ ରେ ମିଳିତ ଜାତିସଂଘ ମକ୍କିକୁ ଏକ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଥିଲା। ଏହାପୂର୍ବରୁ ୨୦୨୦ ରେ ପାକିସ୍ତାନର ଆତଙ୍କବାଦ ନିରୋଧୀ କୋର୍ଟ ଆତଙ୍କବାଦୀ ଆର୍ଥିକ ମାମଲାରେ ମକ୍କିକୁ ୬ ମାସ ଜେଲ ପଠାଇଥିଲେ। ଆତଙ୍କବାଦ ପାଣ୍ଠି ମାମଲାରେ ଦଣ୍ଡିତ ହେବା ଦିନଠାରୁ ଜମାତ-ଉଦ-ଦାୱା ଡେପୁଟି ଚିଫ୍ ନିଜକୁ ସମସ୍ତଙ୍କ ନଜରରୁ ଲୁଚି ରଖୁଥିଲା ଏବଂ ସର୍ବସାଧାରଣରେ ଏହା କ୍ୱଚିତ୍ ଦେଖିବାକୁ ମିଳିଥିଲା।
ପାକିସ୍ତାନ ମୁତ୍ତାହିଦା ମୁସଲିମ ଲିଗ୍ (ପିଏମଏଲ୍) ଏକ ବିବୃତ୍ତିରେ କହିଛି ଯେ ମକ୍କି ପାକିସ୍ତାନର ବିଚାରଧାରର ସମର୍ଥକ ଥିଲା। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପାଇଁ ମକ୍କି ଆତଙ୍କବାଦୀଙ୍କୁ ଟଙ୍କା ଏବଂ ସମ୍ବଳ ଯୋଗାଇ ଦେଇଥିଲା ଯେଉଁଥିରେ ୧୬୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାରି ଭିତରେ ୯ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ଆତଙ୍କବାଦୀ ଅଜମଲ କାସାବଙ୍କୁ ଜୀବୀତ କାବୁ କରାଯାଇଥିଲା ଏବଂ ତାକୁ ପରବର୍ତ୍ତି ସମୟରେ ଫାଶି ଦିଆଯାଇଥିଲା।