ନୂଆଦିଲ୍ଲୀ, ୨୬/୧୨ : ଦିଲ୍ଲୀରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ-ଆପ୍ ମଧ୍ୟରେ ଟଣାଓଟରା। ଭାଙ୍ଗିବାକୁ ବସିଛି ଇଣ୍ଡି ମେଣ୍ଟ। କଂଗ୍ରେସ ଠାରୁ ନେତୃତ୍ଵ ନେଇ ମମତା ବାନାର୍ଜୀଙ୍କୁ ମେଣ୍ଟ ଦାୟିତ୍ଵ ଦେବା ପାଇଁ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଏହି ମହାମେଣ୍ଟରୁ କଂଗ୍ରେସକୁ ବାହାର କରିବାକୁ ଦାବି କରିଛି ଆପ୍। ଅନ୍ୟ ଦଳମାନଙ୍କ ସହ କରୁଛି ଆଲୋଚନା। ଏନେଇ ଆଜି ଦିନ ୧ଟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ ଆପ୍ର ପ୍ରମୁଖ ନେତା ସଞ୍ଜୟ ସିଂହ ପ୍ରେସ୍ମିଟ୍ ଡାକିଛନ୍ତି। କଂଗ୍ରେସ ବିଜେପି ସହ ମିଶି କାମ କରୁଛି ବୋଲି ଆପ୍ ଅଭିଯୋଗ ଆଣିଛି।
ସୂଚନାନୁଯାୟୀ, କଂଗ୍ରେସ ନେତାମାନେ ଲଗାତର ଆପ୍ ବିରୋଧୀ ବୟାନବାଜି କରୁଛନ୍ତି। ଏହାରି ମଧ୍ୟରେ ଡିସେମ୍ଵର ୨୫ ତାରିଖ ସନ୍ଧ୍ୟାରେ କଂଗ୍ରେସ ଅଧ୍ୟକ୍ଷ ଅକ୍ଷୟ ଲାକଡା ଅରବିନ୍ଦ କେଜ୍ରିୱାଲଙ୍କ ନାମରେ ପାର୍ଲ୍ୟାମେଣ୍ଟ ଷ୍ଟ୍ରିଟ୍ ଥାନାରେ ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା ନାମରେ ଆପ୍ ଠକେଇ କରିଥିବା ଅଭିଯୋଗ କରିଥିଲେ। ଯାହାଫଳରେ ଆପ୍ ନେତା କଂଗ୍ରେସ ଉପରେ ଖପ୍ପା ହୋଇଥିଲେ। ଦୁଇ ଦଳ ମଧ୍ୟରେ ତିକ୍ତତା ଆହୁରି ବଢିଥିଲା। ବିଧାନସଭା ନିର୍ବାଚନ ଏକାକୀ ଲଢିବ ବୋଲି ଆପ୍ ଘୋଷଣା କରିଥିଲା।
ତେବେ ଏନେଇ ଆପ୍ କହିଛି ଯେ, ବିଧାନସଭା ନିର୍ବାଚନ ଏକାକୀ ଲଢିବା ପାଇଁ ନିଷ୍ପତ୍ତି ନିଆଯାଇଛି, କିନ୍ତୁ ରାଷ୍ଟ୍ରୀୟ ସ୍ତରରେ ଇଣ୍ଡି ମହାମେଣ୍ଟ ସହ ଆପ୍ର ସମର୍ଥନ ରହିବ।