ବୈପାରିଗୁଡା,୨୭/୧୦: ଫେଲ ମାରିଲେ ଗଞ୍ଜେଇ ମାଫିଆ । ଅଭିନବ ଉପାୟରେ ଚୋରା ଚଲାଣ ପାଇଁ ବୈପାରିଗୁଡା ଥାନା ଅନ୍ତର୍ଗତ କାଠପୋଡା ପଂଚାୟତର ବଡଅଟାଲ ଗାଁ ନିକଟରେ ଥିବା ଜଙ୍ଗଲରେ ଗଛିତ ରଖିଥିଲେ ଗଞ୍ଜେଇ । ଖବର ପାଇଁ ମାଡ଼ି ବସିଲା ପୋଲିସ । ଜବତ ହେଲା ୫୦ ଲକ୍ଷ ଟଙ୍କାର ଗଞ୍ଜେଇ । କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ୍ରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ପୂର୍ବରୁ ଖବର ପାଇଥିଲା ବୈପାରିଗୁଡା ପୋଲିସ । ଖବର ପାଇ ପୋଲିସ କାଠପୋଡା ପଞ୍ଚାୟତର ବଡଅଟାଲ ଗାଁ ନିକଟରେ ଥିବା ଜଙ୍ଗଲରେ ଚଠାଉ କରିଥିଲା । ଚାଲାଣ ହେବା ପୂର୍ବରୁ ପୋଲିସ ଜଙ୍ଗଲରେ ଚଢାଉ କରି ୪୦୦କିଲୋ ଗଞ୍ଜେଇ ଜବତ କରିଥିଲା । ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପଚାଶ ଲକ୍ଷ ଟଙ୍କା ବୋଲି ଜଣା ପଡିଛି । ସେପଟେ ଜବତ ଗଞ୍ଜେଇ ଜୟପୁର କୋର୍ଟ ଚଲାଣ କରିଥିବା ବେଳେ ଅଭିଯୁକ୍ତଙ୍କୁ ଖୋଜା ଆରମ୍ଭ କରିଛି ବୈପାରିଗୁଡା ପୋଲିସ ।