ବୋରିଗୁମ୍ମା,୦୨/୦୧: ନୂଆବର୍ଷ ଭୋଜିରେ ଗଡ଼ିଲା ମୁଣ୍ଡ । ରାତିରେ ମିଳି ମିଶି ଭୋଜି କରିବା ପରେ ସକାଳୁ ସାଙ୍ଗକୁ ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦେଲେ ସାଙ୍ଗ । ମୃତ ଯୁବକ ଜଣକ ବୋରିଗୁମ୍ମା ନକୁଳଗୁଡା ଗ୍ରାମର ଜଗନ୍ନାଥ ମାଝୀ (୨୮) ବୋଲି ଜଣାପଡ଼ିଛି । ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ନୂଆ ବର୍ଷରେ ସାଙ୍ଗ ସାଥି ସହ ଦିନରେ ଜଗନ୍ନାଥ ଭୋଜି କରି ଖାଇଥିଲେ । ପୁଣି ରାତିରେ ଜଗନ୍ନାଥ ନିଜ ସାଙ୍ଗ ସାଥି ସହ ନିଜ ଘର ପଛପଟେ ଏକ ପରିବା କିଆରିରେ ରାତିରେ ଭୋଜିର ଆୟୋଜନ କରିଥିଲେ । ରାତିରେ ଭୋଜି ଖାଇ ଆଉ ଘରକୁ ଫେରି ନଥିଲେ ଜଗନ୍ନାଥ । ସକାଳୁ ଜଗନ୍ନାଥଙ୍କ ମାଆ ତାଙ୍କୁ ଘରେ ନ ପାଇ ଖୋଜାଖୋଜି କରିଥିଲେ । ଖୋଜାଖୋଜି କରିବା ପରେ ଘର ପଛପଟେ ପରିବା କିଆରିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଗନ୍ନାଥଙ୍କ ମୃତଦେହ ପଡ଼ି ଥିବାର ଦେଇଥିଲେ ମାଆ । ଏହା ଦେଖି ଜଗନ୍ନାଥଙ୍କ ମାଆ ଗାଁ ଲୋକଙ୍କୁ ଖବର ଦେଇ ପୋଲିସକୁ ଏହି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଖବର ପାଇ ବିସିଂପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଘଟଣାର ତଦନ୍ତ ଆରମ୍ଭ କରୁଛି । ସାଇଣ୍ଟିଫିକ ଟିମ ଆସିବା ପରେ ଅଧିକ ତଦନ୍ତ ହେବ ବୋଲି ସୂଚନା ମିଳିଛି ।