ଲମତାପୁଟ, ୦୩/୦୧: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ପୁଣି ଶୀତର ଲହରୀ । ୫ ଡଗ୍ରୀ ତଳକୁ ଖସିଲା ପାରଦ । ହାଡଭଙ୍ଗା ଶୀତରେ ଜୀବନ ଯାପନ ଅସ୍ତବ୍ୟସ୍ତ ହୋଇପଡିଛି । ନୂଆ ବର୍ଷ ଠାରୁ ପୁଣି ଶୀତ ଲହରୀ ଆରମ୍ଭ ହୋଇଯାଇଥିବା ବେଳେ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । ଡୁଡୁମା, ରାଣୀଡୁଡୁମା, ବାଲଡା ଗୁମ୍ଫା ଭଳି ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଶୀତର ମଜା ନେବା ସହ ପ୍ରବଳ ଭିଡ଼ ଜମୁଛି । ଅଳ୍ପ ପରିମାଣର ଶୀତ ଅନୁଭୂତ ହେଉଥିଲେ ମଧ୍ୟ ସାରା ଅଞ୍ଚଳକୁ ଢାଙ୍କି ରଖିଛି କୁହୁଡି ।
ଧୀରେ ଧୀରେ ଶୀତ ପ୍ରକୋପ ବଡିବା ସହ ପାରଦ ଖସିବାରେ ଲାଗିଛି । ଦିନ ୧୦ଟା ପର୍ଯ୍ୟନ୍ତ ସାରା ଅଞ୍ଚଳ କୁହୁଡିରେ ଢାଙ୍କି ହୋଇ ରହୁଛି । ରାସ୍ତାର ୧୦ ମିଟର ଦୂରତା ପରେ କିଛି ବି ଦେଖାଯାଉନି । ଯାତାୟତ ପାଇଁ ଭାରି ଅସୁବିଧା ହେଉଥିବା ବେଳେ ଦୁର୍ଘଟଣାର ଶିକାର ହେଉଛି ଲୋକେ । ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଲଗାଇ ଶୀତ ଛଡାଉଛନ୍ତି ଅଞ୍ଚଳବାସୀ । ଆଗକୁ ଆହୁରି ଶୀତ ବଢିଲେ ପର୍ଯ୍ୟଟକଙ୍କ ଭିଡ଼ ଆହୁରି ବଢିବା ନେଇ ଆଶା ରହିଛି ।