କାଳିଆପାଣି ୧୬/୫: କାଳିଆପାଣି ଥାନା ସମ୍ମୁଖରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଥାନା ଅଧିକାରୀଙ୍କ ବୈମାତୃକ ମନୋଭାବ ଓ ପକ୍ଷପାତିତା ଅଭିଯୋଗ କରି କିଛି ମହିଳା ଥାନା ଘେରାଉ ସହ ଥାନା ସମ୍ମୁଖରେ ଅନଶନରେ ବସି ରହିଥିବା ଦେଖିବାକୁ ମିଳିଛି।
ଘଟଣାରୁ ପ୍ରକାଶ ଯେ, ସ୍ଥାନୀୟ କାଳିଆପାଣି ଥାନା ସନ୍ନିକଟ ବିଜିଆର କ୍ୟାମ୍ପରେ ରହୁଥିବା ପ୍ରତିମା ନାୟକ ନାମକ ଜୈନିକ ମହିଳାଙ୍କୁ କିଛି ଦିନ ତଳେ ସେହି କଲୋନୀରେ ରହୁଥିବା କିଛି ଯୁବକ ଆଶାଳିନ ବ୍ୟବହାର କରିବା ସହିତ ଗାଳି ଗୁଲଜ କରିଥିବା ନେଇ କାଳିଆପାଣି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା। କିନ୍ତୁ ଥାନାଧିକାରୀ ଅଦ୍ୟାବଧି ଅଭିଯୁକ୍ତ ମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି।
ଏନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖି, ପୂର୍ବତନ ବ୍ଲକ ଅଧକ୍ଷା ଭଗବତୀ ମହାନ୍ତଙ୍କ ନେତୃତ୍ୱରେ କାଳିଆପାଣି ଗ୍ରାମର ବହୁ ମହିଳା ଆଜି ଥାନା ଘେରାଉ କରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ। ଏଥିରେ ପକ୍ଷପାତିତା ନିତି ଅବଲମ୍ବନ କଲେ ବାଧ୍ୟ ହୋଇ ଆନ୍ଦୋଳତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଥିଲେ। ଥାନା ଅଧିକାରୀ ଶିବ ଚରଣ ବେହେରା ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ତଦନ୍ତ ଚାଲିଛି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନକୁ ପ୍ରତ୍ୟାହୃତ କରାଯାଇଥିବା ଶ୍ରୀମତୀ ମହାନ୍ତ ଗଣ ମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି।