ମାଲକାନଗିରି,୧୬/୫ (ଆପ୍ର): ମାଲକାନଗିରି ବ୍ଲକ ଗୌଡ଼ଗୁଡା ପଞ୍ଚାୟତରେ ଏକ ତରଫା ଗ୍ରାମ ସଭାକୁ ବିରୋଧ କରି ଜିଲ୍ଲାପାଳଙ୍କ ନିକଟରେ ଆଜି ଅଭିଯୋଗ କରିଛନ୍ତି ପଞ୍ଚାୟତର ଶତାଧିକ ଆଦିବାସୀ ମହିଳା ଓ ପୁରଷ। ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡା ଗ୍ରାମ ପଂଚାୟତରେ ଚଳିତ ୧୨ ତାରିଖରେ ଏକ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂଖ୍ୟାବାଚକ ଏମଭି ବେଙ୍ଗଲୀ ଗ୍ରାମଗୁଡିକର ନାମ ପରିବର୍ତ୍ତନ ଓ ରାଜସ୍ବ ଗ୍ରାମର ମାନ୍ୟତା ଏ ଗ୍ରାମସଭାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
କୌଣସି ଗ୍ରାମସଭା ଆୟୋଜନର ପନ୍ଦର ଦିନ ପୂର୍ବରୁ ସମସ୍ଥ ଗ୍ରାମରେ ଡ଼ାକବାଜି ଯନ୍ତ୍ରରେ ଲୋକମାନଙ୍କୁ ଅବଗତ କରେଇବାର ନିୟମ ରହିଛି। ଗୌଡ଼ଗୁଡା ଗ୍ରାମ ପଂଚାୟତରେ କିନ୍ତୁ ଓଲଟା ଦେଖିବାକୁ ମିଳୁଛି। ପଞ୍ଚାୟତ ନିର୍ବାହୀ ଅଧିକାରୀ ଅତି ଚତୁରତାର ସହ କେବଳ ବଙ୍ଗୀୟ ଭାଷାଭାଷୀ ଗ୍ରାମର ଲୋକ ଏବଂ କେବଳ ୱାର୍ଡ ମେମ୍ବର ମାନଙ୍କୁ ଗ୍ରାମସଭାରେ ଉପସ୍ଥିତ ହେବାକୁ ଜଣାଇଥିଲେ। କୌଣସି ଆଦିବାସୀ ଗ୍ରାମର ଲୋକମାନଙ୍କୁ ଖବର ଦିଆଯାଇନଥିବାର ଓ ମେମ୍ବର, ସରପଞ୍ଚଙ୍କ ଦସ୍ତଖତ ନେଇ ପରବର୍ତ୍ତୀ ସମୟରେ ରିଜୋଲୁସନ ଖାତାରେ ସେ କଣ ଲେଖିଛନ୍ତି ନିଜେ ସରପଞ୍ଚ ଜାଣିନାହାନ୍ତି। ଆଦିବାସୀ ସମ୍ପ୍ରଦାୟର ଲୋକମାନେ ସଭାରେ ଯୋଗ ଦେଇନଥିବାରୁ ଗ୍ରାମସଭା ସ୍ଥଗିତ ରଖିବାକୁ ସରପଞ୍ଚ କହିଲେ ବି ପିଇଓ ମାନିନଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।
ଗୌଡ଼ଗୁଡା ଗ୍ରାମ ପଞ୍ଚାୟତରୁ ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ୍ବ ଆଦିବାସୀ ମହିଳା ପୁରୁଷମାନେ ନୀତିନିୟମ ଉଲ୍ଲଙ୍ଘନ କରିଥିବା ସ୍ୱତନ୍ତ୍ର ଗ୍ରାମସଭାକୁ ରଦ୍ଧକରି ପୁନର୍ବାର ଗ୍ରାମସଭା କରିବାକୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଆସି ଏକ ଲିଖିତ ଅଭିଯୋଗ ପତ୍ର ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ପ୍ରଦାନ କରିଛନ୍ତି। ଏହାର ନେତୃତ୍ୱ ନେଇଥିଲେ ଅନୁସୂଚିତ ଜାତି/ଜନଜାତି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ଜାରାଶବର ମାଡି, ଗୌଡ଼ଗୁଡା ସରପଞ୍ଚ ପାଣ୍ଡ୍ରି ପଡ଼ିଆମି, ମୁଡ଼ା ମାଡକାମୀ, ଏରା ସୋଡି, ଭଗବାନ ଶିସା,ରାମସିଙ୍ଘ ପଡ଼ିଆମି ଓ ହାତିରାମ ମାଡକାମୀ ପ୍ରମୁଖ ଉପସ୍ଥିତ ଥିଲେ।