ଭୁବନେଶ୍ୱର, ୧୧/୪ : ଅପେରା ସୂର୍ଯ୍ୟ ମନ୍ଦିର ଓ ସିଂହବାହିନୀ ମାଲିକଙ୍କୁ ଅଗ୍ରୀମ ଟଙ୍କା ଫେରାଇଲେ ଅଭିନେତା ପୀୟୂଷ ତ୍ରିପାଠୀ । ଅଭିନେତା ଓ ମାଲିକଙ୍କୁ ନେଇ ଜାରି ବିବାଦ ଭିତରେ ଶୁକ୍ରବାର ଯାତ୍ରା ମାଲିକ ମହାସଂଘର ବୈଠକ ବସିଥିଲା । ପୀୟୂଷ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ବୈଠକ ଶେଷ ହେବା ପରେ ଗଣମାଧ୍ୟମ ସାମ୍ନାରେ ପୀୟୂଷ ବୟାନ ଦେଇଥିବାବେଳେ ଅନେକ କଥା ଅସ୍ପଷ୍ଟ ରଖି ମାଲିକଙ୍କ ଉପରେ ଛାଡ଼ି ଦେଇଛନ୍ତି ।
ପୀୟୂଷ ପ୍ରତିକ୍ରିୟା ରଖି କହିଛନ୍ତି, 'ଅପେରା ସୂର୍ଯ୍ୟ ମନ୍ଦିର ଓ ସିଂହବାହିନୀ ମାଲିକଙ୍କୁ ଅଗ୍ରୀମ ଟଙ୍କା ଫେରାଇଛି । ଛୋଟ କଥାରୁ ବିବାଦ ହେଲା, ଆଶା କରୁଛି ଏହାର ଅନ୍ତ ହେଲା । ସ୍ବାସ୍ଥ୍ୟଗତ ଓ ପାରିବାରିକ ସମସ୍ୟା ରହିଛି । ତେବେ ଗାଡ଼ି ମୋ ପାଖରେ ରହିବ, EMI ମୁଁ ଦେବି । ଆସନ୍ତାବର୍ଷ ଅଭିନୟ କରିବି କି ନାହିଁ ତାର ନିଷ୍ପତ୍ତି ମାଲିକ ସଂଘ ନେବ ।'
ପ୍ରକାଶ ଯେ, ଗତ ସପ୍ତାହରେ ବସିଥିବା ମାଲି ସଂଘ ବୈଠକରେ ହଠାତ୍ ଖବର ଆସିଥିଲା ପୀୟୁଷଙ୍କୁ ଆଉ ଯାତ୍ରାରେ ଦେଖିବାକୁ ମିଳିବନି ଆସନ୍ତା ଯାତ୍ରା ଋତୁରେ । ତେବେ କୁହାଯାଇଥିଲା କି ଆଜି ଏହାର ନିଷ୍ପତ୍ତି ନିଆଯିବ । ଏ ନେଇ ଯାତ୍ରା ମାଲିକ ସଂଘକୁ ଜଣାଇଥିଲେ । ତେବେ ପୀୟୂଷଙ୍କ ବାପା ଅସୁସ୍ଥ ଥିବାରୁ ସେ ଏହି ନିଷ୍ପତ୍ତି ନେଇଥିବା କହିଥିଲେ। ମାତ୍ର କିଛି ଦିନ ପୂର୍ବରୁ ଉଭୟ ପାର୍ଟିର ପୋଷ୍ଟରରେ ପୀୟୂଷଙ୍କ ଫଟୋ ନଜର ଆସିଥିଲା ।
ଗତ ଫେବ୍ରୁଆରୀ ମାସରେ ପୀୟୂଷ ଏକ ବଡ଼ ବିବାଦରେ ଛନ୍ଦି ହୋଇପଡ଼ିଥିଲେ । ପୀୟୂଷ ଏବଂ ଯାତ୍ରା ସିଂହବାହିନୀ ପ୍ରଯୋଜକ ସଞ୍ଜୀବ ପାଢ଼ୀଙ୍କ ମଧ୍ୟରେ ହୋଇଥିଲା ଏହି ବିବାଦ । ସୂର୍ଯ୍ୟମନ୍ଦିର ଯାତ୍ରା ପାର୍ଟିରେ ଅଭିନୟ କରୁଥିବା ପିୟୁଷଙ୍କୁ ଆଗାମୀ ବର୍ଷଠୁ ନେବାକୁ ଚାହିଁଥିଲେ ସିଂହବାହିନୀ ଅପେରାର ପରିଚାଳକ । ଏଥିପାଇଁ କିଛି ପର୍ଯ୍ୟାୟରେ କଥାବାର୍ତ୍ତା ପରେ ଚୁକ୍ତି ହୋଇଥିଲା । ସିଂହବାହିନୀ ପ୍ରଯୋଜକ ସଞ୍ଜୀବ ପାଢ଼ୀଙ୍କ କହିବା ଅନୁସାରେ ଚୁକ୍ତି କରି ପିୟୁଷଙ୍କୁ ୫୫ ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ। ଏକ ଦାମୀ ଫର୍ଚ୍ୟୁନର ଗାଡ଼ି ଦେଇଥିଲେ। ପୀୟୁଷ ସିଂହବାହିନୀକୁ ଆସିବାକୁ କଥା ହେବା ସହ ପୁରୀ ଜଗନ୍ନାଥ ମନ୍ଦିରରେ ଶପଥ ବି କରିଥିବା ଦାବି କରିଥିଲେ ସଞ୍ଜୀବ।
କିନ୍ତୁ ପରେ ପୀୟୁଷ ମନା କରିଥିଲେ ସିଂହବାହିନୀ ଯାତ୍ରା ଅନୁଷ୍ଠାନରେ କାମ କରିବେନି । ସୋସିଆଲ୍ ମିଡିଆରେ ପୀୟୂଷ ସିଂହବାହିନୀ ଯାଉନଥିବା କଥା ମଧ୍ୟ କହିଥିଲେ। ଯାହାକୁ ନେଇ ଅନେକ ବିବାଦ ହୋଇଥିଲା। ଶେଷରେ ନ୍ୟୁଜ୍ ସେଭେନ ଷ୍ଟୁଡିଓରେ ଉଭୟଙ୍କ ମଧ୍ୟରେ ସମାଧାନ ହୋଇଥିଲା। ପୀୟୂଷ ସିଂହବାହିନୀ ସହ କାମ କରିବେ ବୋଲି କହିଥିଲେ।