ପ୍ରମୂଖ ଖବର

୧୫ ମାସରେ ଅଶୋଧିତ ତୈଳ ୩୧% ଶସ୍ତା, ୩୧ ହଜାର କୋଟି ଲାଭରେ ତେଲ କମ୍ପାନି: ପେଟ୍ରୋଲ, ଡିଜେଲ ଦର ହ୍ରାସ ପାଇବ କେବେ?

ନୂଆଦିଲ୍ଲୀ,୦୧/୦୯: କେନ୍ଦ୍ର ସରକାର ଘରୋଇ ଗ୍ୟାସ ସିଲିଣ୍ଡର ଦରରେ ୨୦୦ ଟଙ୍କା ହ୍ରାସ କରି  ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେଇଛନ୍ତି । ତେବେ ସାଧାରଣ ଜନତାଙ୍କ ଅନ୍ୟତମ  ପ୍ରମୁଖ ଆବଶ୍ୟକତା ପେଟ୍ରୋଲ, ଡିଜେଲ ଦର କିନ୍ତୁ ସ୍ଥିର ରହିଛି । ୧୫ ମାସରେ  ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ  ଦର ୩୧% ଶସ୍ତା ହୋଇଛି । ତଥାପି ଉଭୟ ଇନ୍ଧନ ଦରରେ କୌଣସି ପରିବର୍ତ୍ତନ  କରିନାହାନ୍ତି ତୈଳ ବିପଣନ କମ୍ପାନି । 

କେନ୍ଦ୍ର ସରକାର ଅନ୍ତିମ ଥର ପାଇଁ ୨୦୨୨  ମେ’ ୨୧ରେ ଲିଟର ପିଛା ପେଟ୍ରୋଲରେ  ୮ ଟଙ୍କା ଏବଂ ଡିଜେଲରେ ୬ ଟଙ୍କାର  ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ । ଫଳରେ  ପେଟ୍ରୋଲ ଏବଂ ଡିଜେଲ ଦାମ ଯଥାକ୍ରମେ  ୯.୫ ଟଙ୍କା ଏବଂ ୭ ଟଙ୍କା କମ୍‌ ହୋଇଥିଲା।  ସେତେବେଳେ ଅଶୋଧିତ ତୈଳ ଦର  ବ୍ୟାରେଲ ପିଛା ୧୦୯.୫୧ ଡଲାର ଥିଲା ।  ଏହା ପରେ ୨୦୨୩ ଜୁନ୍‌ରେ ଅଶୋଧିତ ତୈଳ ଦର ୩୧.୫୭% ହ୍ରାସ ପାଇ ୭୫  ଡଲାର ତଳକୁ ଆସିଯାଇଥିଲା । ଏହା  ସତ୍ତେ୍ୱ ପେଟ୍ରୋଲ ଏବଂ ଡିଜେଲ ଦର କମି ନ ଥିଲା ।  

କମ୍ପାନିଗୁଡ଼ିକ ଯୁକ୍ତି ବାଢ଼ିଥିଲେ ଯେ,  ୨୦୨୨ରେ ମହଙ୍ଗା ଅଶୋଧିତ ତୈଳ  କ୍ରୟ କରି ପେଟ୍ରୋଲ ଡିଜେଲ ପ୍ରସ୍ତୁତ  କରିବାରେ ସେମାନେ ଅତ୍ୟଧିକ କ୍ଷତି  ସହିଛନ୍ତି । ଏବେ ତାହାର ଭରଣା ଚାଲିଛି ।  ବର୍ତ୍ତମାନ ଛବି ଅଲଗା । ୨୦୨୩- ୨୪ ଏପ୍ରିଲ-ଜୁନ୍‌ ତ୍ରୟମାସରେ ଏହି ତେଲ କମ୍ପାନିଗୁଡ଼ିକ ୩୧,୧୫୯ କୋଟି  ଟଙ୍କାର ଲାଭ କରିଛନ୍ତି ।

ବିଶେଷଜ୍ଞଙ୍କ  ମତରେ, ତେଲ କମ୍ପାନିଗୁଡ଼ିକ ପାଖରେ  ପେଟ୍ରୋଲ ଏବଂ ଡିଜେଲରେ ୫ରୁ ୬ ଟଙ୍କା କମାଇବାର ସମ୍ଭାବନା ଅଛି । ତତ୍କାଳ ଉଭୟ ଇନ୍ଧନ ଦରରେ ୫ ଟଙ୍କା ହ୍ରାସ  କରାଯାଇପାରିବ । ନିଜେ ତୈଳ ମନ୍ତ୍ରୀ  ହରଦୀପ ସିଂ ପୁରୀ କମ୍ପାନିଗୁଡ଼ିକୁ ଦର  ହ୍ରାସ କରିବା ପାଇଁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.