ନୂଆଦିଲ୍ଲୀ,୨୯।୫: ପାକ୍ ଅଧିକୃତ କାଶ୍ମୀର ଦିନେ ଆମର ହେବ। ପିଓକେର ଲୋକ ଆମ ନିଜର। ଏପରିକି ପିଓକେ ମଧ୍ୟ ଦିନେ ନିଜେ କହିବ ଆମେ ଭାରତର ଅଂଶ। ଏବେ ପାକିସ୍ତାନ ସହ କେବଳ ପିଓକେ ନେଇ କଥା ହେବୁ। ଯଦି ସେ ଆତଙ୍କବାଦର କଥା ହେବ ତେବେ ଭାରତ ଏହାକୁ କେବେ ବରଦାସ୍ତ କରିବନି। ସବୁ ଷଡଯନ୍ତ୍ରର ଆମେ ଜବାବ୍ ଦେବୁ। ଏଭଳି କିଛି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।
ପାକିସ୍ତାନ ସହ ବିବାଦ ଭିତରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ। କହିଲେ, ପିଓକେର ଲୋକେ ଆମର ଭାଇ। ସେମାନେ ଆମ ନିଜର। ଏପରକି ଏହା ଦିନେ ଭାରତର ହେବ। ସେମାନେ ନିଜେ ଦିନେ ଭାରତର ବୋଲି କହିବେ। ସେମାନେ ଆମର ପରିବାରର ଅଂଶ। ଆମେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ର ସଂକଳ୍ପ ନେଇ ପ୍ରତିଶୃତିବଦ୍ଧ। ଆମର ପୁରା ବିଶ୍ବାସ, ଆମର ଯେଉଁ ଭାଇ ଆଜି ଭୌଗଳିକ ଓ ରାଜନୈତିକ ରୂପରେ ଆମଠାରୁ ଅଲଗା ହୋଇଛନ୍ତି, ସେମାନେ କେବେ ଦିନେ ଭାରତର ମୁଖ୍ୟଧାରାକୁ ଫେରି ଆସିବେ। ’ଭାରତୀୟ ଶିଳ୍ପ ମହାସଂଘ ବା ସିଆଇଆଇ ର ବାର୍ଷିକ ବାଣିଜ୍ୟ ଶିଖର ସମ୍ମିଳନୀ-୨୦୨୫ ରେ ଯୋଗଦେଇ ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ସେ କହିଛନ୍ତି ପୁରା ଦୁନିଆରେ ଅନିଶ୍ଚିତତାର ସ୍ଥିତି ରହିଛି। ପ୍ରତି ସ୍ଥାନରେ ସଂଘର୍ଷ ଚାଲିଛି। ଏହାର ମୁଖ୍ୟ କାରଣ ହେଉଛି ଭରସାର ଅଭାବ।
ରାଜନାଥ କହିଛନ୍ତି, ‘ଅପରେସନ୍ ସିନ୍ଦୂର’ ରେ ପୁରା ଦେଶର ଲୋକ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନର ସଫଳତାକୁ ଦେଖିଛନ୍ତି। ଏଥିରୁ ଆଜି ପ୍ରମାଣିତ ହେଉଛି ‘ମେକ୍ ଇନ୍ ଇଣ୍ଡିଆ’ ଭାରତର ସୁରକ୍ଷା ଓ ସମୃଦ୍ଧି ପାଇଁ ଗୁରୁତ୍ବପୂର୍ଣ୍ଣ। ମେକ୍ ଇନ୍ ଇଣ୍ଡିଆ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଜରୁରୀ। ଯଦି ଆମ ପାଖରେ ଏହି କ୍ଷମତା ନଥାଏ ତେବେ ଭାରତର ସେନା ପାକିସ୍ତାନରୁ ନେଇ ପିଓକେ ପର୍ଯ୍ୟନ୍ତ ଆତଙ୍କବାଦ ବିରୋଧରେ ଏତେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥାନ୍ତା। ଏବେ ପାକିସ୍ତାନ ମଧ୍ୟ ଜାଣି ଯାଇଛି, ତାକୁ ନିଜର ହୀନ କାର୍ଯ୍ୟର ପରିଣାମ ଭୋଗିବାକୁ ପଡିଛି। ଆମେ ଆତଙ୍କବାଦ ବିରୋଧରେ ଭାରତର ରଣନୀତି ଓ ପ୍ରତିକ୍ରିୟା ଦୁଇଟିକୁ ନୂଆ ସ୍ବରୂପ ଦେଇଛୁ। ଏବେ ଯେବେ ବି ପାକିସ୍ତାନ ସହ ଆଲୋଚନା ହେବ, ତାହା କେବଳ ଆତଙ୍କବାଦ ଓ ପିଓକେକୁ ନେଇ ହେବ।